ପଞ୍ଜିକାକୁ ନେଇ ବିବାଦ

ପୁରୀ ଅଫିସ, ୧୮ା୪: ଚଳିତ ବର୍ଷ ପୁଣିଥରେ ପଞ୍ଜିକାକୁ ନେଇ ବିବାଦ ଦେଖିବାକୁ ମିଳିଛି। ମୁକ୍ତିମଣ୍ଡପ ପଣ୍ଡିତ ସଭା ଦ୍ୱାରା ସ୍ବୀକୃତ ପଞ୍ଜିକା ବିଶ୍ୱସନୀୟ ନୁହେଁ ବୋଲି କେତେଜଣ ପଞ୍ଜିକା ସମୀକ୍ଷକ ରବିବାର ସ୍ଥାନୀୟ ଚନ୍ଦ୍ରଶେଖର ପାଠାଗାରରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ପଞ୍ଜିକା ସମୀକ୍ଷକ ହରିଶଙ୍କର ମିଶ୍ର, ଜ୍ୟୋତିର୍ବିତ ଦେବୀ ପ୍ରସାଦ ମିଶ୍ର ଏବଂ ଆଇନଜୀବୀ ଶିବ ପ୍ରସାଦ ମିଶ୍ର କହିଛନ୍ତି, ରାଜ୍ୟର ଆଞ୍ଚଳିକ ପର୍ବାଦି ସହ ଜନ୍ମଜାତକ ପ୍ରସ୍ତୁତି, ମୃତେ ପୁଷ୍କର ଦୋଷ, ଶ୍ରାଦ୍ଧ ଦିବସ ନିରୂପଣ, ଯୋଗିନୀ ସ୍ଥିତି, ବିବାହ ଓ ବ୍ରତ ଦିନ ନିରୁପଣ, ଲଗ୍ନ ଏବଂ ଶୁଦ୍ଧ ଶୁଭ ବେଳା ଆଦି ଅନେକ ଶୁଭାଶୁଭ କାର୍ଯ୍ୟ ପାଇଁ ପଞ୍ଜିକା ଅନୁସରଣ କରାଯାଏ। ପଣା ବା ମେଷ ସଂକ୍ରାନ୍ତିଠାରୁ ପ୍ରଚଳିତ ହେଉଥିବା ପଞ୍ଜିକା ଜ୍ୟୋତିଷ ଓ ଧର୍ମଶାସ୍ତ୍ରୀୟ ସିଦ୍ଧାନ୍ତ ଉପରେ ଆଧାରିତ। ଗଣନା ଠିକ୍‌ ରହିଲେ ପ୍ରତ୍ୟେକ ନିର୍ଣ୍ଣୟ ନିର୍ଭୁଲ ହୋଇଥାଏ। ରାଜ୍ୟରେ ପ୍ରକାଶିତ ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା, ଅସଲି ଖଡ଼ିରତ୍ନ ପଞ୍ଜିକା, ପରମେଶ୍ୱରୀ ପଞ୍ଜିକା ଓ ଶାରଳା ପଞ୍ଜିକାରେ ପଞ୍ଚାଙ୍ଗ ଗଣନା ସମାନ ରହିଥିବା ବେଳେ ମୁକ୍ତିମଣ୍ଡପ ପଣ୍ଡିତ ସଭା ସ୍ବୀକୃତ ରାଧାରମଣ ପ୍ରେସ୍‌ ପଞ୍ଜିକାରେ ଏହା ବର୍ଷ ମଧ୍ୟରେ ୧୭ ଦିନ ସମାନ ରହିଛି। ବର୍ଷାରମ୍ଭ ଦିନ ତିଥିରେ ୨୪ ମିନିଟ୍‌ ଓ ବର୍ଷସାରା ୨ ମିନିଟରୁ ୪୦ ମିନିଟ (୧୮-୧୦-୨୦୨୨), ୪୩ ମିନିଟ ( ୨୬-୧୦-୨୦୨୨) ରାଶି ବ୍ୟାପ୍ତିରେ ୪୦ ମିନିଟ୍‌ରୁ ୧ ଘଣ୍ଟା ୨୦ ମିନିଟ, ନକ୍ଷତ୍ରରୁ ବ୍ୟାପ୍ତି ୫୫ ମିନିଟରୁ ୧ଘ. ୩୫ ମି. ଓ ତଦନୁଯାୟୀ ଯୋଗ କରଣ ବ୍ୟାପ୍ତିରେ ତଫାତ ରହିଛି। ସେହି ପଞ୍ଜିକା ପ୍ରଦତ୍ତ ସୂର୍ଯ୍ୟୋଦୟ ସହ ପଳପ୍ରଭା ମିଶାଇଲେ ସୂର୍ଯ୍ୟାସ୍ତ ସମୟ ଭୁଲ ରହୁଛି। ତେଣୁ ଏହି ପଞ୍ଜିକା ଅନୁସରଣ କଲେ ଜନ୍ମ ଜାତକ, ପୁଷ୍କର ଦୋଷ, ଶ୍ରାଦ୍ଧ ଦିବସ ଓ ଲଗ୍ନ ଭୁଲ୍‌ ହେବାର ସମ୍ଭାବନା ରହିଛି।