ହାଟଡ଼ିହୀ ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ବିବାଦ; ଛାତ୍ରୀଛାତ୍ରଙ୍କ ସହ ଧାରଣାରେ ଅଭିମନ୍ୟୁ, ଜୟଦେବ

ହାଟଡିହୀ,୧୮।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡ଼ିହୀ ଆଞ୍ଚଳିକ ମହାବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନକୁ ନେଇ ବିବାଦ ଦିନକୁ ଦିନ ନୂଆ ମୋଡ଼ ନେଉଛି। ଭୋଟ ଗଣତିରେ ଚଞ୍ଚକତା ଅଭିଯୋଗ କରି ପୂର୍ବରୁ ରାସ୍ତାରୋକୋ କରିଥିବା ବିସିଜେଡି ଓ ଏନ୍‌ଏସ୍‌ୟୁଆଇର ପ୍ରାର୍ଥୀମାନେ ଶନିବାରଠାରୁ ନନ୍ଦିପଦା ଥାନା ସମ୍ମୁଖରେ ଧାରଣାରେ ବସିଛନ୍ତି। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ ମଧ୍ୟ ସମର୍ଥନ ଜଣାଇ ଧାରଣାରେ ସାମିଲ ହୋଇଥିବା ବେଳେ ରବିବାର ଦ୍ୱିତୀୟ ଦିନରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ସାମିଲ ହୋଇଛନ୍ତି। ପରେ ରବିବାର ହାର୍ଡ ଡିସ୍କ ଏବଂ ନିର୍ବାଚନ ସଂକ୍ରାନ୍ତୀୟ ଦସ୍ତାବିଜ ଜବତ କରାଯାଇଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ହାଟଡ଼ିହୀ କଲେଜରେ ଛାତ୍ର ସଂସଦ ନିର୍ବାଚନର ଭୋଟ ଗଣତିରେ ଚଞ୍ଚକତା ହୋଇଥିବା ନେଇ ଅଭିଯୋଗ ଉଠାଇଥିଲା। ଏହାକୁ ପ୍ରତିବାଦ ଓ ରାସ୍ତାରୋକୋ ଭଳି ପରିସ୍ଥିତି ଉପୁଜିଥିଲା। ଗତ ଶୁକ୍ରବାର ଆନନ୍ଦପୁର ଏସ୍‌ଡିପିଓ, ତହସିଲଦାରଙ୍କ ଉପସ୍ଥିତିରେ ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଇଥିଲା। ଯାଞ୍ଚ ପରେ ସେଥିରେ ଯାହା ଦେଖାଯାଇଥିଲା, ସେ ସମ୍ପର୍କରେ ଲିଖିତ ଭାବେ ତଥ୍ୟ ଦିଆଯିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ମିଳିଥିଲା। କିନ୍ତୁ ୩୬ ଘଣ୍ଟାରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ସିସିଟିଭି ଯାଞ୍ଚ ସମୟରେ କଏଦ ହୋଇଥିବା ଦୃଶ୍ୟର ଲିଖିତ ତଥ୍ୟ ପ୍ରଦାନ କରିବାରେ ବିଳମ୍ବକୁ ନେଇ ପ୍ରାର୍ଥୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାର ପ୍ରତିବାଦରେ ବିସିଜେଡି ଓ ଏନ୍‌ଏସୟୁଆଇର ପ୍ରାର୍ଥୀ ସ୍ବାଧୀନ ସାହୁ, କାଦମ୍ବିନୀ ରାଉତ, ବିଭୂତି ଭୂଷଣ ଭୂୟାଁ, ତୋଫାନ ଜେନା, ସତ୍ୟପ୍ରକାଶ ବାରିକ, ରାଜଲକ୍ଷ୍ମୀ ବିଶ୍ୱାଳ, ସ୍ମୃତିରେଖା ସା, ଅଂଶୁମାନ ରାଉତ, ଦେବାଶିଷ ବିଶ୍ୱାଳ, ସ୍ମୃତିରଞ୍ଜନ ପହି, ଶିବଶଙ୍କର ନାୟକ, ତପନ ସା ଓ ଧନଞ୍ଜୟ ପଣ୍ଡା ପ୍ରମୁଖ ନନ୍ଦିପଦା ଥାନା ସମ୍ମୁଖରେ ଶନିବାରଠାରୁ ଧାରଣାରେ ବସିଛନ୍ତି। ଘଟଣାସ୍ଥଳରେ ଆନନ୍ଦପୁର ବିଧାୟକ ସେଠୀ ପହଞ୍ଚତ୍ ଧାରଣାରତ ପ୍ରାର୍ଥୀ ଓ ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତିଙ୍କ ସହ ଆଲୋଚନା କରିଥିଲେ। କୌଣସି ସୁଫଳ ନ ମିଳିବାରୁ ବିଧାୟକ ରାତିସାରା ପ୍ରାର୍ଥୀଙ୍କ ସହ ଧାରଣାସ୍ଥଳରେ ରହିଥିଲେ।

ଆନନ୍ଦପୁର ଉପଜିଲାପାଳ କଲେଜର ସଭାପତି ହୋଇଥିବା ବେଳେ ସେ ଛୁଟିରେ ଅଛନ୍ତି । ମାତ୍ର ଅନ୍ୟ କୌଣସି ପ୍ରଶାସନିକ କର୍ମଚାରୀ କାହାରି ଦେଖା ନ ଥିଲା। ରବିବାର ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଧାରଣାରେ ସାମିଲ ହୋଇଥିଲେ। ପୋଲିସ ଉଭୟ ନେତାଙ୍କ ସହ ଆଲୋଚନା କରିବା ପରେ ସାଇବର ଟିମ୍‌ କଲେଜରେ ପହଞ୍ଚତ୍ ସିସିଟିଭି ଫୁଟେଜ୍‌ ଯାଞ୍ଚ କରିବା ସହ ହାର୍ଡ ଡିସ୍କ ଏବଂ ନିର୍ବାଚନ ସଂକ୍ରାନ୍ତୀୟ ଦସ୍ତାବିଜ ଜବତ କରି ସିଲ୍‌ କରିଥିଲା। ମାତ୍ର ଯେଉଁ ଯେଉଁ କୋଠରିରେ ଭୋଟ ଗଣତି ହେଉଥିଲା ତାହାର ସିସିଟିଭି ଫୁଟେଜ ନ ଥିବାରୁ ବିଧାୟକ କ୍ଷୋଭ ପ୍ରକାଶ କରିଛନ୍ତି। ଏହି ସମୟରେ ଆନନ୍ଦପୁର ଏସ୍‌ଡିପିଓ କମଳ ପଣ୍ଡା, ନନ୍ଦିପଦା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି, ତହସିଲଦାର ସଞ୍ଜୟ ସାମନ୍ତରାୟ, ବିଧାୟକ ସଠୀ, ପୂର୍ବତନ ପିସିସି ସଭାପତି ଜେନା ଏବଂ ଛାତ୍ରୀଛାତ୍ର ଉପସ୍ଥିତ ଥିଲେ।

 

Dharitri – Odisha’s No.1 Odia Daily

Share