ଏକଲପୁର ଫେରିଘାଟକୁ ନେଇ ବିବାଦ

ମହାକାଳପଡ଼ା,୨୩ା୫(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କଂସାର ଓ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତର ଗୋବରୀ ନଦୀ ଏକଲପୁର ଫେରିଘାଟରେ ଦୈନଦିନ ଯାତାୟାତ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଫେରିଘାଟ ନିଲାମ କରାଯାଇଥାଏ। ଏହି ନିଲାମ ଅର୍ଥ ପଞ୍ଚାୟତର ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବିନିଯୋଗ ହୋଇଥାଏ। ତେବେ ଫେରିଘାଟକୁ ନେଇ ରବିବାର ସକାଳେ ବିବାଦ ଉପୁଜିଛି। ପୂର୍ବରୁ ଏହି ଫେରିଘାଟକୁ ଜଣେ ଘାଟିଆ ପଞ୍ଚାୟତରୁ ନିଲାମ ନେଇ ଗୋଟିଏ ଡଙ୍ଗା ପକାଇ ଯାତ୍ରୀ ନେବା ଆଣିବା କରୁଥିଲେ। ରବିବାର ସକାଳେ ଏହି ଘାଟରେ ଅନ୍ୟ ଜଣେ ବ୍ୟକ୍ତି ଡଙ୍ଗା ପକାଇ ଯାତ୍ରୀ ନେବା ଆଣିବା କରୁଥିବାରୁ ବିବାଦ ଉପୁଜିଛି। ଘାଟରେ ଦୁଇ ଡଙ୍ଗା ପଡ଼ିବା ଯୋଗୁ ଯାତାୟାତ ସହଜ ହେଉଛି ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ତେବେ ବ୍ଲକ ପ୍ରଶାସନ ପକ୍ଷରୁ ନିଲାମ ପ୍ରକ୍ରିୟା ବିଳମ୍ବରେ ହେବା ଯୋଗୁ ଏହି ସମସ୍ୟା ମୁଣ୍ଡ ଟେକିଛି ବୋଲି ମତ ପ୍ରକାଶ ପାଇଛି। ଏ ସଂକ୍ରାନ୍ତରେ ଗୋବରୀ ନଦୀ ଫେରିଘାଟ ବାରଡାଙ୍ଗ ପଞ୍ଚାୟତ ସରପଞ୍ଚ ଅରବିନ୍ଦ ଜେନା ଓ କେବି ଦାଣ୍ଡୁଆ ପଞ୍ଚାୟତ ସରପଞ୍ଚ ମମତା ସର୍ଦ୍ଦାରଙ୍କୁ ପଚାରିବାରୁ ବ୍ଲକ ପ୍ରଶାସନ ସହିତ ଆଲୋଚନା କରି ଖୁବ୍‌ଶୀଘ୍ର ଫେରି ଘାଟ ନିଲାମ କରାଯିବ ବୋଲି କହିଛନ୍ତି। ଉକ୍ତ ଫେରିଘାଟ ଉଭୟ ପଞ୍ଚାୟତ ସୀମାର ମଧ୍ୟସ୍ଥଳ, ସେଥିପାଇଁ ଉଭୟ ପଞ୍ଚାୟତର ସରପଞ୍ଚ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।