ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା ଜାରି ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ଓ ଜଳସମ୍ପଦ ବିଭାଗ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।
ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ତହସିଲ କାର୍ଯ୍ୟାଳୟ, ଏନ୍ଏସି (NAC) ଓ ବ୍ଲକ କାର୍ଯ୍ୟାଳୟରେ ନିୟନ୍ତ୍ରଣ କକ୍ଷ (Emergency Control Room) ଖୋଲାଯିବା ସହ ଜନସାଧାରଣଙ୍କ ଯୋଗାଯୋଗ ପାଇଁ ଟେଲିଫୋନ୍ ନମ୍ବର ଜାରି କରାଯାଇଛି।
ଘୋଡ଼ାହାଡ଼ ଜଳସେଚନ ଉପ-ବିଭାଜନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ (ଚିଠି ନଂ. ୧୪୭) ଅନୁଯାୟୀ, ଆବଶ୍ୟକ ପଡ଼ିଲେ ଯେକୌଣସି ମୁହୂର୍ତ୍ତରେ ଘୋଡ଼ାହାଡ଼ ଡ୍ୟାମ୍ର ସ୍ପିଲ୍ୱେ ମୁଖ୍ୟ ଫାଟକ ଦେଇ ନଦୀ ମଧ୍ୟକୁ ଜଳ ନିଷ୍କାସନ କରାଯାଇପାରେ।
ଡ୍ୟାମ୍ର ସର୍ବାଧିକ ଜଳଧାରଣ କ୍ଷମତା ୧୧୭.୮୦ ମିଟର ରହିଥିବା ବେଳେ ମଙ୍ଗଳବାର ସକାଳ ସୁଦ୍ଧା ଏଥିରେ ୫୨.୬୮ ଶତକଡ଼ା ଅର୍ଥାତ୍ ୧୧୩.୬୪ ମିଟର ପାଣି ଗଚ୍ଛିତ ରହିଥିବା ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ଗଙ୍ଗାଧର ଦାସ ସୂଚନା ଦେଇଛନ୍ତି। ସୋମବାର ସକାଳ ୬ଟାରୁ ମଙ୍ଗଳବାର ସକାଳ ୬ଟା ପର୍ଯ୍ୟନ୍ତ ଡ୍ୟାମ୍ ଇଲାକାରେ ୨୭ ମିଲିମିଟର ବର୍ଷା ରେକର୍ଡ ହୋଇଥିବା ବେଳେ, ମଙ୍ଗଳବାର ସକାଳ ୬ଟାରୁ ଅପରାହ୍ନ ୩ଟା ମଧ୍ୟରେ ଡ୍ୟାମ୍ ଅଞ୍ଚଳରେ ୨୦ ମିମି ଓ ଦିଗପହଣ୍ଡିରେ ୧୩ ମିମି ବର୍ଷା ହୋଇଛି।
ଡ୍ୟାମ୍ରୁ ପାଣି ଛଡ଼ାଯିବା ସମ୍ଭାବନାକୁ ନେଇ ନଦୀକୂଳିଆ ଗ୍ରାମଗୁଡ଼ିକ ଯଥା— ଗୋଲଣ୍ଡା, ମଧୁବନ, ସେବକ ଟିକରପଡ଼ା, କଇଠଖଣ୍ଡି, ବୁରିପଦର, ପେଣ୍ଠା, ତଲାସିଙ୍ଗି, ଗୁମା, ପନାଡ, ଜକମେରି ପଲ୍ଲୀ, ଜଲମେରି ପଲ୍ଲୀ, ଧେରେଣ୍ଡୀ, ମଳାଭଞ୍ଜା, ଆମ୍ବ ଗାଁ, ତିଳେଶ୍ୱର, ମହାନଳା, ପଳାଶପୁର, ନୂଆଗଡ, ଖୁଲଡି, ଜଲମରା, ଭୁଇପଲ୍ଲୀ, ଓ ପାଟପୁର ପ୍ରଭୃତି ଗ୍ରାମଗୁଡ଼ିକରେ ବୁଧବାର ମାଇକ୍/ଡାକବାଜି ଯନ୍ତ୍ର ମାଧ୍ୟମରେ ସତର୍କ ସୂଚନା ଜାରି କରାଯିବ।
ନଦୀ ଗର୍ଭକୁ ନଯିବା ଏବଂ ଗୃହପାଳିତ ପ୍ରାଣୀମାନଙ୍କୁ ନଛାଡ଼ିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ପରାମର୍ଶ ଦିଆଯାଇଛି। ଏହି ସତର୍କତା ନୋଟିସ୍ର ନକଲ ସମ୍ପୃକ୍ତ ସରକାରୀ କାର୍ଯ୍ୟାଳୟ, ପଞ୍ଚାୟତ ଅଫିସ୍, ଥାନା ଓ ଦମକଳ କେନ୍ଦ୍ରଗୁଡ଼ିକୁ ପ୍ରେରଣ କରାଯାଇଛି।