କଳାକାରଙ୍କ ତଥ୍ୟ ରଖିବ ‘ଆମ ଶିଳ୍ପୀ: ଆମ ଗର୍ବ’

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ପାରମ୍ପରିକ କଳା ଓ କଳାକାରଙ୍କ ବିକାଶ ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। କଳା ଓ କଳାକାରଙ୍କୁ ସାମ୍ନାକୁ ଆଣିବାକୁ ବିଭାଗ ଅଧୀନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏନେଇ ଏକ ଡିଜିଟାଲ୍‌ ଆର୍କାଇଭ୍‌ ପ୍ରସ୍ତୁତ ହେବ। ଏଥିରେ ରାଜ୍ୟର ବିଭିନ୍ନ ଶିଳ୍ପୀ ଓ କଳାକାରଙ୍କ ସାକ୍ଷାତକାର ସ୍ଥାନ ପାଇବ। ‘ଆମ ଶିଳ୍ପୀ: ଆମ ଗର୍ବ’ ନାମକ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଳ୍ପୀଙ୍କ କୃତି, ଗବେଷଣା ଏବଂ ତାଙ୍କ ସମ୍ପର୍କିତ ବିଭିନ୍ନ ତଥ୍ୟକୁ ଏକାଠି କରାଯିବ। ଏହାଦ୍ୱାରା ଆଗାମୀ ପିଢ଼ି ରାଜ୍ୟର ଲୁପ୍ତପ୍ରାୟ ଲୋକକଳା ଏବଂ ଉକ୍ତ କଳାର ଖ୍ୟାତିସମ୍ପନ୍ନ କଳାକାରଙ୍କ ସମ୍ପର୍କରେ ଅବଗତ ହୋଇପାରିବେ ବୋଲି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ କହିଛନ୍ତି। ଏହା ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ। ଏଥିପାଇଁ ଓଡ଼ିଶାର ବିଶିଷ୍ଟ ଶିଳ୍ପୀଙ୍କ ପ୍ରାମାଣିକ ଚିତ୍ର ନିର୍ମାଣ କରିବାକୁ ଏକାଡେମୀ ସ୍ଥିର କରିଛି। ଓଡ଼ିଆ ଭାଷାରେ ନିର୍ମିତ ଏହି ପ୍ରାମାଣିକ ଚିତ୍ରର ଅବଧି ୧୦ରୁ ୧୫ମିନିଟ୍‌ ଭିତରେ ରହିବ। ଏବେସୁଦ୍ଧା ବିଶିଷ୍ଟ ନାଟ୍ୟକାର ମନୋରଞ୍ଜନ ଦାସ ଓ ଲୋକକଳା ଗବେଷକ ପଦ୍ମଶ୍ରୀ ଭଗବାନ ସାହୁଙ୍କ ପ୍ରାମାଣିକ ଚିତ୍ର ପ୍ରସ୍ତୁତ ହୋଇସାରିଛି। ଏହି ସାକ୍ଷାତକାରରେ ଉଭୟ ଶିଳ୍ପୀଙ୍କ ନିଜସ୍ବ ସ୍ବର ସହ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର ଦାସଙ୍କ ସମ୍ପର୍କରେ ଏବଂ ଲୋକକଳା ଗବେଷକ ମନ୍ମଥ କୁମାର ଶତପଥୀ ସାହୁଙ୍କ ବିଷୟରେ କହିଥିବା ସେ କହିଛନ୍ତି।