Categories: ଗଞ୍ଜାମ

ନକ୍ସା ନ ଥାଇ ମନଇଚ୍ଛା ଚାଲିଛି କୋଠା ନିର୍ମାଣ

ଭଞ୍ଜନଗର, ୨୬।୬(ଡି.ଏନ.ଏ): ଭଞ୍ଜନଗର ସହର ଅଞ୍ଚଳ ଦିନକୁ ଦିନ ବଢୁଛି। ଜନସଂଖ୍ୟା ବୃଦ୍ଧି ଯୋଗୁ ନୂତନ ଘରର ଆବଶ୍ୟକତା ପଡୁଛି। ତେଣୁ ସହରରେ ଘର ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢୁଛି। କିନ୍ତୁ ଯେଉଁମାନେ ନୂତନ ଘର ନିର୍ମାଣ କରୁଛନ୍ତି ସେଥିମଧ୍ୟରୁ ଅଧିକାଂଶ ଲୋକେ ଏନ୍‌ଏସିର ବିନା ଅନୁମତିରେ ମନଇଚ୍ଛା ଘର ନିର୍ମାଣ କରୁଛନ୍ତି। ଲୋକେ ଡ୍ରେନ୍‌ ବ୍ୟବସ୍ଥା କରୁନାହାନ୍ତି। ଡ୍ରେନ୍‌ ପାଇଁ ଜମି ମଧ୍ୟ ଦେଉନାହାନ୍ତି। ପରବର୍ତ୍ତୀ ସମୟରେ ଏନ୍‌ଏସି ଡ୍ରେନ୍‌ କରିବାକୁ ଚାହିଁଲେ ମଧ୍ୟ ଜମି ଅଭାବ ଯୋଗୁ ଡ୍ରେନ ହୋଇପାରୁନାହିଁ। ଲୋକେ ଘର କରିବା ପୂର୍ବରୁ ଏନ୍‌ଏସି ଏ ନେଇ ଆବଶ୍ୟକ ପଦକ୍ଷେପ ନେଇଥିଲେ ଏତେ ଅସୁବିଧା ହୋଇ ନ ଥାନ୍ତା। ବର୍ତ୍ତମାନ ସାମାନ୍ୟ ବର୍ଷା ହେଲେ ସହରତଳି କୁଲାଡ଼ ରୋଡ୍‌, ବେଲଗୁଣ୍ଠା ରୋଡ୍‌ ଅଞ୍ଚଳ ରାସ୍ତା ଉପରେ ପାଣି ଭାସୁଛି। ଗତ କିଛିଦିନ ହେବ ଏପରି ସମସ୍ୟା ଦେଖିବାକୁ ମିଳୁଛି। ଏନେଇ ଏନ୍‌ଏସି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି। ଅପରପକ୍ଷେ ଅଧିକାଂଶ ଲୋକ ମନଇଚ୍ଛା ଘର କରୁଥିବା ବେଳେ ପାଣି ଭାସିଲେ ଏନ୍‌ଏସିକୁ ଦୋଷ ଦେଉଛନ୍ତି। ଲୋକଙ୍କ ଏଭଳି ଚିନ୍ତାଧାରାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି।