ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ ସମସ୍ୟା ଅସମାହିତ ରହିଛି। ଧାନ ବିକ୍ରିବଟା ସମସ୍ୟା ତ ସାଧାରଣରେ ପରିଣତ ହୋଇଛି, ଏଠାରେ ଧାନବିକ୍ରି ପାଇଁ ଆବଶ୍ୟକ ଭିତ୍ତିଭୂମି ମଧ୍ୟ ନାହିଁ।
ଭିତ୍ତିଭୂମି ନିର୍ମାଣ ପାଇଁ ସରକାର କୋଟି କୋଟି ଟଙ୍କା ଅନୁଦାନ ମଞ୍ଜୁର କଲେ ମଧ୍ୟ ତାର ସୁବିନିଯୋଗ ନେଇ ନାନା ସନ୍ଦେହ ଉପୁଜିଛି। ଜିଲାର ଅତାବିରା ନିୟନ୍ତ୍ରିତ ବଜାର କମିଟି(ଆର୍ଏମ୍ସି) ଅଧୀନ ଭେଡ଼େନ ବ୍ଲକର ନିର୍ମାଣାଧିନ ବସେଇକେଲା ମଣ୍ଡି ନିର୍ମାଣରୁ ଏହା ବାରି ହୋଇପଡୁଛି। ଦୀର୍ଘଦିନ ଧରି ଏହି ମଣ୍ଡି ନିର୍ମାଣ ଅଧାରେ ଅଟକି ରହିଥିବା ବେଳେ ମଣ୍ଡିର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ବଢ଼ି ଚାଲିଛି। ଏପରିକି ଏଥିପାଇଁ ଏକ ଚାଷୀ ଆନ୍ଦୋଳନ ମଧ୍ୟ ମୁଣ୍ଡ ଟେକିଛି।
ସୂଚନା ଅନୁଯାୟୀ, ଅଞ୍ଚଳର ଚାଷୀ, ଜନ ପ୍ରତିନିଧି ଏବଂ ତତ୍କାଳୀନ ବିଧାୟିକାଙ୍କ ପ୍ରସ୍ତାବ ଆଧାରରେ ଜିଲା ପ୍ରଶାସନ ପକ୍ଷରୁ ଭେଡ଼େନ ବ୍ଲକ ଅନ୍ତର୍ଗତ ବସେଇକେଲା, ଗୁରୁପାଲି ଏବଂ କଟାପାଲିର ଚାଷୀଙ୍କୁ ସୁବିଧା ଦୃଷ୍ଟିରୁ ବସେଇକେଲାଠାରେ ଏହି ଧାନମଣ୍ଡି ନିର୍ମାଣ ପାଇଁ ବିଜେଡି ସରକାର ପଦକ୍ଷେପ ନେଇଥିଲେ।
ଏଥିପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆବଶ୍ୟକ ଅର୍ଥ ମଞ୍ଜୁର ମଧ୍ୟ କରିଥିଲେ। କାର୍ଯ୍ୟାଦେଶ ପାଇବା ପରେ ଠିକାଦାର କାମ ଆରମ୍ଭ କଲେ। ନିର୍ମାଣ କାମ ମଧ୍ୟ ଦ୍ରୁତଗତିରେ ଚାଲିଥିଲା। ଫଡ୍ ନିର୍ମାଣ, ଅଫିସ୍ ନିର୍ମାଣ କାମ ହୋଇଗଲା। ହେଲେ ସରକାର ପରିବର୍ତ୍ତନ ହେବା ପରେ ମଣ୍ଡିର ବାକି ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ଯାଇଛି।
ପାଚେରୀ କାମ ଅଧାରେ ପଡ଼ିଥିବାବେଳେ ମଣ୍ଡି ପରିସରର ବିଭିନ୍ନ ସ୍ଥାନରେ ଇଟା ଗଦା ହୋଇ ପଡ଼ି ରହିଛି। ତେବେ ଦୀର୍ଘଦିନ ହେଲା ନିର୍ମାଣ କାର୍ଯ୍ୟ ଅଧାରେ ଅଟକି ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାନା ସନ୍ଦେହ ଉପୁଜିଛି। କାମ ଅଧାରେ ଥିବାବେଳେ ଠିକାଦାରଙ୍କ ଅନୁପସ୍ଥିତି ଲୋକଙ୍କ ସନ୍ଦେହକୁ ଆହୁରି ଦୃଢ଼ୀଭୁତ କରିଛି।
ଅଧାକାମ ହୋଇଥିବା ବେଳେ ବିଲ୍ ଅଧା ପଇଠ ହୋଇଛି ନା ପୂରା ପଇଠ ହୋଇଛି, ତାହା ତଦନ୍ତ ସାପେକ୍ଷ ବୋଲି ସ୍ଥାନୀୟ ବିଜେଡି ନେତା ହରିଶଙ୍କର ବେହେରା କହିଛନ୍ତି। ମଣ୍ଡି ନିର୍ମାଣ କାମ ସମ୍ପୁର୍ଣ୍ଣ କରିବା ପାଇଁ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ସତ୍ତ୍ୱେ କିଛି ସୁଫଳ ମିଳି ନଥିବା ସେ ଅଭିଯୋଗ କରିଛନ୍ତି।
ମଣ୍ଡିରେ ୱେ ବ୍ରିଜର ଆବଶ୍ୟକତା ଥିବାବେଳେ ଏପର୍ଯ୍ୟନ୍ତ ତାହା ମଧ୍ୟ ସ୍ଥାପନ ହୋଇ ପାରି ନାହିଁ। ଏଭଳି ଅବ୍ୟବସ୍ଥା ଏବଂ ଅର୍ଦ୍ଧନିର୍ମିତ ଅବସ୍ଥାରେ ଦୀର୍ଘଦିନ ଧରି ଏହି ଧାନମଣ୍ଡି ପଡ଼ି ରହିଥିବାବେଳେ ଏଥିପ୍ରତି ବିଭାଗୀୟ ଅଧିକାରୀ ଏବଂ ଜନ ପ୍ରତିନିଧି ନୀରବଦ୍ରଷ୍ଟା ସାଜିଥିବା ଯୋଗୁ ଚାଷୀ ମହଲରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।