ବିନା ସୂଚନା ଫଳକରେ ଚାଲିଛି କୋଟିଏ ଟଙ୍କାର କୋଠା ନିର୍ମାଣ: ନିମ୍ନମାନର କାମ ସହ ଶ୍ରମିକଙ୍କୁ ଶୋଷଣ ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି 

କେସିଙ୍ଗା, ୧୦।୩ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଚାଲିଥିବା ନୂତନ କୋଠା ନିର୍ମାଣକୁ ନେଇ ବ୍ୟାପକ ଅନିୟମିତତା ଅଭିଯୋଗ ହୋଇଛି। ସରକାରୀ ନିୟମକୁ ଜଳାଞ୍ଜଳି ଦେଇ ବିନା ସୂଚନା ଫଳକରେ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର କାମ ଚାଲିଥିବା ବେଳେ ଏହାର ମାନକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ବିଲ୍ଡିଂର ଫାଉଣ୍ଡେସନ, ପିଲର ଓ ଛାତରେ ଅତି ନିମ୍ନମାନର ଲୁହା ରଡ଼, ବାଲି ଓ ମେଟାଲ ବ୍ୟବହାର କରାଯାଉଛି। ସିମେଣ୍ଟ ପରିମାଣ ଅତ୍ୟନ୍ତ କମ ରହୁଥିବା ବେଳେ ଘର ଭିତରେ ନିମ୍ନମାନର ଟାଇଲ୍ସ ଲଗାଯାଉଥିବା ଅଭିଯୋଗ ହୋଇଛି। ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ କୋଠାର ସ୍ଥାୟିତ୍ୱ ପାଇଁ ଆବଶ୍ୟକ ପାଣି ସିଞ୍ଚନ (Curing) କରାଯାଉ ନାହିଁ। ପୂର୍ବରୁ ଚୋରାରେ ପାଣି ଅଣାଯାଉଥିବା ବେଳେ ଏବେ ଟ୍ୟାଙ୍କର ଯୋଗେ ପାଣି ଆସୁଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ। ଫଳରେ କୋଠା ଫାଟିଯିବାର ଭୟ ରହିଛି।
ସେହିଭଳି ରାଜ୍ୟ ସରକାରଙ୍କ ନିୟମ ଅନୁସାରେ ଦୈନିକ ମଜୁରୀ ୩୫୦ ରୁ ୫୫୦ ଟଙ୍କା ଧାର୍ଯ୍ୟ ହୋଇଥିବା ବେଳେ, ଏଠାରେ କାର୍ଯ୍ୟରତ ଶ୍ରମିକଙ୍କୁ ମାତ୍ର ୨୦୦ ରୁ ୨୫୦ ଟଙ୍କା ଦିଆଯାଉଛି। କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପ୍ରକଳ୍ପ ସୂଚନା ଫଳକ ଲଗାଯାଇ ନାହିଁ। ଏ ସମ୍ପର୍କରେ କାଣ୍ଡେଲ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଇନଚାର୍ଜ ହରେକୃଷ୍ଣ ଧଳଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ମୋ ପାଖରେ ଏ ସଂକ୍ରାନ୍ତରେ କୌଣସି ତଥ୍ୟ ନାହିଁ, ଏହା ସିଧାସଳଖ ସିଡିଏମ୍‌ଓ (CDMO) କାର୍ଯ୍ୟାଳୟ ଦ୍ୱାରା ନିର୍ମାଣ କରାଯାଉଛି।
ଅପରପକ୍ଷେ ଟିଟିଲାଗଡ଼ର ଜଣେ ଠିକାଦାର ଏହି କାର୍ଯ୍ୟ କରୁଥିବା ବେଳେ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତିରେ ଜଣେ ମୁନ୍ସୀଙ୍କ ଭରସାରେ କୋଟି କୋଟି ଟଙ୍କାର ଏହି ପ୍ରକଳ୍ପ ଚାଲିଛି। ସ୍ଥାନୀୟ ସରପଞ୍ଚ ଓ ଗ୍ରାମବାସୀ ଏ ନେଇ ଜିଲାପାଳ ଓ ସିଡିଏମ୍‌ଓଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହ ଭିଜିଲାନ୍ସ ତଦନ୍ତ ପାଇଁ ଦାବି କରିଛନ୍ତି।
Dharitri – Odisha’s No.1 Odia Daily

Share