୩ ବର୍ଷ ହେଲା ଆରମ୍ଭ ହୋଇପାରୁନି ନିର୍ମାଣ

ସିମୁଳିଆ, ୨୬ା୧୨(ଡି.ଏନ.ଏ.)  ୧୯୮୫ରୁ ବର୍ଷ ବର୍ଷ ଧରି ଅନ୍ୟ ବ୍ଲକ ଅଧୀନରେ ସିମୁଳିଆ ସହକାରୀ ଉଦ୍ୟାନ କୃଷିବିଭାଗ ପରିଚାଳିତ ହେବା ପରେ ଗତ ୨୦୧୪ରୁ ସିମୁଳିଆ ବ୍ଲକରେ ସ୍ବତନ୍ତ୍ର ଭାବେ ଏହି ବିଭାଗ କାର୍ଯ୍ୟ କରୁଛି। ୨୦୧୪ ନଭେମ୍ବରରୁ ସହକାରୀ ଉଦ୍ୟାନ କୃଷି ଅଧିକାରୀ ରୂପେ ସୂର୍ଯ୍ୟକାନ୍ତ ମଲିକ, ସମ୍ପ୍ରସାରଣ କର୍ମଚାରୀ ରୂପେ ସତ୍ୟନାରାୟଣ ସାମନ୍ତରାୟ ଓ ଉଦ୍ୟାନ ଅଧିଦର୍ଶକ ରୂପେ ଡମ୍ବରୁଧର ନାୟକ ଅଛନ୍ତି ା
ନିୟମ ଅନୁସାରେ ଉଦ୍ୟାନ କୃଷିର ବିକାଶ ପାଇଁ ଜଣେ ସମ୍ପ୍ରସାରଣ କର୍ମଚାରୀଙ୍କ ଅଧୀନରେ ୪ପଞ୍ଚାୟତ ରହିବା ଆବଶ୍ୟକ। ସେହି ଅନୁସାରେ ସିମୁଳିଆ ବ୍ଲକରେ ୫ଜଣ ସମ୍ପ୍ରସାରଣ କର୍ମଚାରୀଙ୍କ ଆବଶ୍ୟକତା ଥିବା ବେଳେ ଅଛନ୍ତି ମାତ୍ର ଜଣେ ସମ୍ପ୍ରସାରଣ କର୍ମଚାରୀ। ସେହିପରି ଉଦ୍ୟାନ କୃଷି ବିଭାଗ ଅଦ୍ୟାବଧି ବିଭିନ୍ନ ସ୍ଥାନରେ ଭଡ଼ା ଗୃହରେ ପରିଚାଳିତ ହୋଇଆସୁଛି। ସିମୁଳିଆ ବ୍ଲକରେ ଉଦ୍ୟାନ କୃଷି ବିଭାଗର ନିଜସ୍ବ ଗୃହ ଓ କ୍ଷେତ୍ର ପ୍ରସ୍ତୁତି ପାଇଁ ତହସିଲଦାର ଗତ ୨୦୧୮ରୁ ସ୍ଥାନୀୟ ଜାମୁଝାଡ଼ି ମୌଜାର ଖାତା ନଂ. ୬୦୪/୨, ପ୍ଲଟ ନଂ. ୧୭୬୪/୨୫୬୮ ଅନୁଯାୟୀ ୨ ଏକର ଜାଗା ପ୍ରଦାନ କରିଛନ୍ତି। ଏଥିପାଇଁ ସରକାର ମଧ୍ୟ ୧୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ତେବେ ଜିଲା କୃଷି ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁ ଗତ ୩ବର୍ଷ ହେଲା ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ। ସହକାରୀ ଉଦ୍ୟାନ କୃଷି ଅଧିକାରୀ ସୂର୍ଯ୍ୟକାନ୍ତ ମଲିକ ନିଜସ୍ବ ଦରମାରୁ ମାସିକ ୨୨ଶହ ଟଙ୍କା ଭଡ଼ାରେ ଏକ ଘର ନେଇ ଏହି କାର୍ଯ୍ୟାଳୟ ଚଳାଉଥିବା ଜଣାଯାଇଛି। ତେବେ ଭଡ଼ା ଘର ପରିବର୍ତ୍ତେ ଏକ ସରକାରୀ ଘର ଯୋଗାଇ ଦେବା ପାଇଁ ସେ ବିଡିଓ ଓ ଆରଡି ବିଭାଗୀୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ଏହା ମିଳିପାରିନାହିଁ। ସିମୁଳିଆ ବ୍ଲକ ଓ ଏହାର ପଡୋଶୀ ଖଇରା ଓ ସୋର ବ୍ଲକରେ ସରକାରୀ ଉଦ୍ୟାନ ନ ଥିବାରୁ ଚାଷୀମାନେ ବିଭିନ୍ନ ପନିପରିବାଠାରୁ ଆରମ୍ଭ କରି ଫଳଗଛଗୁଡ଼ିକୁ ସୁଲଭ ମୂଲ୍ୟରେ କିଣି ପାରୁନାହାନ୍ତି। ୩୦ଟଙ୍କା ମୂଲ୍ୟର ଗୋଟିଏ ଆମ୍ବ ଗଛକୁ ଲୋକେ ୨୫୦ଟଙ୍କାରେ ପଶ୍ଚିମବଙ୍ଗର ବ୍ୟବସାୟୀଙ୍କ ନିକଟରୁ କିଣିବା ପାଇଁ ବାଧ୍ୟ ହେଉଛନ୍ତି। ଏ ସମ୍ପର୍କରେ ଜିଲା ଉପଉଦ୍ୟାନ କୃଷି ନିର୍ଦ୍ଦେଶକ(ଡେପୁଟି ଡାଇରେକ୍ଟର) ଗୋବିନ୍ଦ ଚନ୍ଦ୍ର ଲେଙ୍କାଙ୍କ ମୋବାଇଲ ଫୋନ (ନଂ.୯୯୩୭୫୫୬୮୬୪)କୁ ବାରମ୍ବାର ଯୋଗାଯୋଗ କରାଯାଇଥିଲେ ହେଁ ସେ ଉଠାଇ ନ ଥିଲେ। ତେବେ ବିଭାଗୀୟ ଅଧିକାରୀଙ୍କ ସମେତ ସ୍ଥାନୀୟ ଲୋକପ୍ରତିନିଧି ଏହାକୁ ଗୁରୁତ୍ୱ ଦେଲେ କୃଷିର ପ୍ରଗତି ହୋଇପାରନ୍ତା।