ଭାରତୀୟ ଗଣତନ୍ତ୍ର ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧିକ୍ଷଣରେ ଉପନୀତ। ଦେଶର ନିର୍ବାଚନ ପରିଚାଳନାର ସର୍ବୋଚ୍ଚ ସାମ୍ବିଧାନିକ ସଂସ୍ଥା ଭାରତୀୟ ନିର୍ବାଚନ ଆୟୋଗର କାର୍ଯ୍ୟପ୍ରଣାଳୀକୁ ନେଇ ଏବେ ଯେଉଁ ବିବାଦ ଓ ଜନଅସନ୍ତୋଷ ସୃଷ୍ଟି ହୋଇଛି, ତାହା ଦେଶର ଗଣତାନ୍ତ୍ରିକ ଭବିଷ୍ୟତ ସମ୍ପର୍କରେ ଅନେକ ପ୍ରଶ୍ନ ଉଠାଇଛି। ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ କାର୍ଯ୍ୟକୁ ନେଇ ବିରୋଧୀ ଦଳ, ଛାତ୍ରୀଛାତ୍ର, ଯୁବଗୋଷ୍ଠୀ ଓ ବିଭିନ୍ନ ସାମାଜିକ ସଂଗଠନର ଆନ୍ଦୋଳନ ଏବେ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ(ଏସ୍ଆଇଆର୍) ପ୍ରକ୍ରିୟାକୁ ନେଇ ଉଠିଥିବା ଅଭିଯୋଗ ଏହି ବିବାଦର ମୁଖ୍ୟ କାରଣ। ବିରୋଧୀ ଦଳ ଏହାର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିବାବେଳେ ନିର୍ବାଚନ ଆୟୋଗ ଓ ଶାସକ ଦଳ ଅନିୟମିତତାର ଅଭିଯୋଗକୁ ଖଣ୍ଡନ କରୁଛନ୍ତି। ଏହି ପରିସ୍ଥିତିରେ ସତ୍ୟର ଉନ୍ମୋଚନ ଓ ଜନସାଧାରଣଙ୍କ ଆସ୍ଥାର ପୁନଃ ପ୍ରତିଷ୍ଠା ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ।
ଭାରତର ସ୍ବାଧୀନତା ସଂଗ୍ରାମୀମାନେ ଯେଉଁ ଗଣତାନ୍ତ୍ରିକ ଭାରତର ସ୍ବପ୍ନ ଦେଖିଥିଲେ, ତାହାର ମୂଳରେ ଥିଲା ସ୍ବାଧୀନତା, ସମାନତା, ନ୍ୟାୟ ଓ ନାଗରିକଙ୍କ ଅଧିକାର। ସେମାନଙ୍କ ତ୍ୟାଗ ଓ ସଂଘର୍ଷର ଫଳସ୍ବରୂପ ଆମେ ଏକ ଗଣତାନ୍ତ୍ରିକ ସାମ୍ବିଧାନିକ ବ୍ୟବସ୍ଥା ପାଇଛୁ। ଏହି ବ୍ୟବସ୍ଥାରେ ନିର୍ବାଚନ କେବଳ ସରକାର ଗଠନର ମାଧ୍ୟମ ନୁହେଁ; ଏହା ଜନସାଧାରଣଙ୍କ ଇଚ୍ଛା ଓ ରାଜନୈତିକ ଆସ୍ଥାର ପ୍ରତିଫଳନ। ତେଣୁ ନିର୍ବାଚନ ପରିଚାଳନା କରୁଥିବା ସଂସ୍ଥାର ନିରପେକ୍ଷତା ଉପରେ ସନ୍ଦେହ ସୃଷ୍ଟିହେବା ଏକ ସାଧାରଣ ପ୍ରଶାସନିକ ପ୍ରସଙ୍ଗ ନୁହେଁ। ଏହା ଗଣତନ୍ତ୍ରର ମୂଳଭିତ୍ତି ସହ ସମ୍ପୃକ୍ତ।
ଏକ ସ୍ବଚ୍ଛ ଓ ନିର୍ଭୁଲ୍ ଭୋଟର ତାଲିକା ନିର୍ବାଚନର ବିଶ୍ୱସନୀୟତା ପାଇଁ ଅପରିହାର୍ଯ୍ୟ। ମୃତବ୍ୟକ୍ତିଙ୍କ ନାମ, ନକଲି ପଞ୍ଜୀକରଣ କିମ୍ବା ଅଯୋଗ୍ୟ ନାମ ହଟାଇବା ଆବଶ୍ୟକ। ସେହିପରି ଯୋଗ୍ୟ ନାଗରିକଙ୍କ ନାମ ଯେପରି ଭୁଲ୍ରେ ବାଦ୍ ନ ପଡ଼େ, ତାହା ସୁନିଶ୍ଚିତ କରିବା ମଧ୍ୟ ସମାନ ଗୁରୁତ୍ୱ ବହନ କରେ। କୌଣସି ଯୋଗ୍ୟ ଭୋଟର ନିଜ ନାମ ତାଲିକାରୁ ବାଦ୍ ପଡ଼ିବା କାରଣରୁ ମତଦାନ ଅଧିକାର ହରାଇଲେ ତାହା କେବଳ ଏକ ତଥ୍ୟଗତ ତ୍ରୁଟି ନୁହେଁ; ଏହା ତାଙ୍କର ଗଣତାନ୍ତ୍ରିକ ଅଂଶଗ୍ରହଣକୁ ପ୍ରଭାବିତ କରିପାରେ।
ବର୍ତ୍ତମାନର ବିବାଦରେ ବିରୋଧୀ ଦଳଗୁଡ଼ିକ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଅନିୟମିତତା ଓ ଯୋଗ୍ୟ ଭୋଟରଙ୍କ ନାମ ବାଦ୍ ପଡ଼ିବା ନେଇ ଅଭିଯୋଗ କରୁଛନ୍ତି। ଅନ୍ୟପକ୍ଷରେ ନିର୍ବାଚନ ଆୟୋଗଙ୍କ ମତ ହେଉଛି ଯେ ତାଲିକାର ଶୁଦ୍ଧୀକରଣ ଏକ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା। ତେଣୁ ଏଠାରେ କେବଳ ଅଭିଯୋଗ ଓ ପ୍ରତି ଅଭିଯୋଗ ମଧ୍ୟରେ ସତ୍ୟକୁ ସୀମିତ ରଖିବା ଉଚିତ ନୁହେଁ। କେତେ ନାମ ବାଦ୍ ପଡ଼ିଛି, କେଉଁ କାରଣରୁ ବାଦ୍ ପଡ଼ିଛି, ପ୍ରଭାବିତ ଭୋଟରଙ୍କ ପାଇଁ ଆପତ୍ତି ଓ ପୁନଃ ପଞ୍ଜୀକରଣର ବ୍ୟବସ୍ଥା କେତେ ସହଜ-ଏହି ସମସ୍ତ ପ୍ରଶ୍ନର ତଥ୍ୟଭିତ୍ତିକ ଉତ୍ତର ସାର୍ବଜନୀନ ହେବା ଆବଶ୍ୟକ।
ଭାରତୀୟ ସମ୍ବିଧାନର ୩୨୪ ଅନୁଚ୍ଛେଦ ନିର୍ବାଚନ ଆୟୋଗକୁ ନିର୍ବାଚନ ପରିଚାଳନା, ନିର୍ଦ୍ଦେଶନା ଓ ନିୟନ୍ତ୍ରଣର ଦାୟିତ୍ୱ ପ୍ରଦାନ କରିଛି। ଏହି ଦାୟିତ୍ୱ ସହ ଯେଉଁ ଅଧିକାର ଜଡ଼ିତ, ତାହାର ଠିକ୍ ପ୍ରୟୋଗ ପାଇଁ ନିରପେକ୍ଷତା, ପାରଦର୍ଶିତା ଓ ନିଷ୍ପକ୍ଷ ଆଚରଣ ଅପରିହାର୍ଯ୍ୟ। ଆୟୋଗଙ୍କ ପ୍ରତ୍ୟେକ ନିଷ୍ପତ୍ତି ଆଇନସମ୍ମତ ହେବା ସହ ଜନସାଧାରଣଙ୍କ ମନରେ ତାହାର ନିରପେକ୍ଷତା ପ୍ରତି ଆସ୍ଥା ସୃଷ୍ଟି କରିବା ଦରକାର।
ଏହା ସତ୍ୟ ଯେ କୌଣସି ସାମ୍ବିଧାନିକ ସଂସ୍ଥାର ନିଷ୍ପତ୍ତି ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିବ ନାହିଁ। କିନ୍ତୁ ନିଷ୍ପତ୍ତିର ଯୁକ୍ତିଯୁକ୍ତ ବ୍ୟାଖ୍ୟା, ଆପତ୍ତିର ନିରପେକ୍ଷ ବିଚାର ଓ ଆବଶ୍ୟକ ସଂଶୋଧନ ପାଇଁ ଖୋଲା ମନୋଭାବ ଏକ ସୁସ୍ଥ ଗଣତନ୍ତ୍ରର ପରିଚୟ। ନିର୍ବାଚନ ଆୟୋଗ ଉପରେ ପ୍ରଶ୍ନ ଉଠିଲେ ତାହାର ଉତ୍ତର ଯୁକ୍ତି, ତଥ୍ୟ ଓ ପାରଦର୍ଶିତା ମାଧ୍ୟମରେ ଦିଆଯିବା ଉଚିତ। ସେହିପରି ପ୍ରମାଣ ବିନା ଅଭିଯୋଗ ଲଗାଇବା କିମ୍ବା ଏକ ସମଗ୍ର ସଂସ୍ଥାକୁ ରାଜନୈତିକ ଦୃଷ୍ଟିରେ ଦେଖିବା ମଧ୍ୟ ଗଣତନ୍ତ୍ରର ସ୍ବାର୍ଥରେ ନୁହେଁ।
ଏହି ବିବାଦରେ ଯୁବଗୋଷ୍ଠୀ ଓ ଛାତ୍ରୀଛାତ୍ରଙ୍କ ଅଂଶଗ୍ରହଣ ବିଶେଷ ଗୁରୁତ୍ୱ ବହନ କରୁଛି। ଦେଶର ଯୁବପିଢ଼ି ଯଦି ନିର୍ବାଚନ ପ୍ରକ୍ରିୟାର ସ୍ବଚ୍ଛତା ଓ ନିଜ ମତାଧିକାରର ସୁରକ୍ଷା ନେଇ ଉଦ୍ବିଘ୍ନ ହୁଏ, ତେବେ ତାହାକୁ କେବଳ ଦଳୀୟ ରାଜନୀତିର ପ୍ରଭାବ ବୋଲି ଏଡ଼ାଇଦେବା ଉଚିତ ନୁହେଁ। ଯୁବସମାଜର ପ୍ରଶ୍ନ ଓ ଅସନ୍ତୋଷକୁ ଗଣତାନ୍ତ୍ରିକ ଆଲୋଚନାର ଏକ ଅଂଶ ଭାବେ ଗ୍ରହଣ କରିବା ଆବଶ୍ୟକ। ତେବେ ଆନ୍ଦୋଳନ ନାମରେ ହିଂସା, ସାର୍ବଜନୀନ ସମ୍ପତ୍ତିର କ୍ଷତି କିମ୍ବା ଆଇନକୁ ହାତକୁ ନେବା ମଧ୍ୟ ଗ୍ରହଣୀୟ ନୁହେଁ। ଶାନ୍ତିପୂର୍ଣ୍ଣ ପ୍ରତିବାଦ ନାଗରିକଙ୍କ ଗଣତାନ୍ତ୍ରିକ ଅଧିକାର; ଆଉ ତାହାର ସୁରକ୍ଷା କରିବା ରାଷ୍ଟ୍ରର କର୍ତ୍ତବ୍ୟ। ପ୍ରତିବାଦକାରୀଙ୍କ କଥା ଶୁଣିବା, ଆଇନସମ୍ମତ ଭାବେ ସମାବେଶର ସୁଯୋଗ ଦେବା ଓ ଆଇନଶୃଙ୍ଖଳା ରକ୍ଷା ମଧ୍ୟରେ ସନ୍ତୁଳନ ରଖିବା ପ୍ରଶାସନର ଦାୟିତ୍ୱ।
ନିର୍ବାଚନ ଆୟୋଗ ଏକ ସ୍ବାଧୀନ ସାମ୍ବିଧାନିକ ସଂସ୍ଥା। ତେଣୁ ସରକାର ଏହାର ଦୈନନ୍ଦିନ କାର୍ଯ୍ୟରେ ଅନୁଚିତ ହସ୍ତକ୍ଷେପକରିବା ଉଚିତ ନୁହେଁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ଦେଶରେ ଏକ ବଡ଼ ଗଣତାନ୍ତ୍ରିକ ବିବାଦ ସୃଷ୍ଟି ହେଲେ କେନ୍ଦ୍ର ସରକାର ନୀରବ ରହିବେ। ନିଜ ନିଜ ସାମ୍ବିଧାନିକ ସୀମା ମଧ୍ୟରେ ରହି ସରକାର, ନିର୍ବାଚନ ଆୟୋଗ ଓ ଅନ୍ୟ ସମ୍ପୃକ୍ତ ସଂସ୍ଥା ଉକ୍ତ ସଙ୍କଟର ସମାଧାନ ପାଇଁ ସକ୍ରିୟ ହେବା ଦରକାର।
ପ୍ରଥମତଃ, ଭୋଟର ତାଲିକା ସଂଶୋଧନର ସମସ୍ତ ପର୍ଯ୍ୟାୟ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ପ୍ରକାଶ କରାଯାଉ। ଦ୍ୱିତୀୟତଃ, ଯେଉଁ ନାଗରିକଙ୍କ ନାମ ବାଦ୍ ପଡ଼ିଛି, ସେମାନଙ୍କୁ ସହଜରେ ଆପତ୍ତି ଦାଖଲ ଓ ନାମ ପୁନଃ ସଂଯୋଜନର ସୁଯୋଗ ମିଳୁ। ତୃତୀୟତଃ, ଯେଉଁଠାରେ ଗୁରୁତର ଅନିୟମିତତାର ଅଭିଯୋଗ ରହିଛି, ସେଠାରେ ନିରପେକ୍ଷ ଯାଞ୍ଚର ବ୍ୟବସ୍ଥା କରାଯାଉ। ଚତୁର୍ଥତଃ, ବିରୋଧୀ ଦଳ ଓ ନାଗରିକ ସଂଗଠନ ଉଠାଇଥିବା ଯୁକ୍ତିସଙ୍ଗତ ପ୍ରଶ୍ନର ଉତ୍ତର ଆନୁଷ୍ଠାନିକ ଭାବେ ଦିଆଯାଉ। ଆବଶ୍ୟକ ସ୍ଥଳେ ନ୍ୟାୟିକ ତଦାରଖ ଓ ଆଇନସମ୍ମତ ପ୍ରତିକାରର ମାର୍ଗ ମଧ୍ୟ ଖୋଲା ରହୁ।
ଏହି ପଦକ୍ଷେପଗୁଡ଼ିକ କୌଣସି ଗୋଟିଏ ରାଜନୈତିକ ଦଳର ବିଜୟ କିମ୍ବା ପରାଜୟ ପାଇଁ ନୁହେଁ; ବରଂ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଆସ୍ଥା ଅକ୍ଷୁଣ୍ଣ ରଖିବା ପାଇଁ। ପରିଶେଷରେ, ଗଣତନ୍ତ୍ରର ସଫଳତା କେବଳ ନିର୍ବାଚନ ହେବାରେ ନୁହେଁ; ନିର୍ବାଚନ ନିରପେକ୍ଷ, ସ୍ବଚ୍ଛ ଓ ବିଶ୍ୱସନୀୟ ହେବାରେ ନିହିତ। ସାମ୍ବିଧାନିକ ସଂସ୍ଥାର ମର୍ଯ୍ୟାଦା ରକ୍ଷାକରିବା ଯେପରି ଜରୁରୀ, ସେହିପରି ତାହାର କାର୍ଯ୍ୟପ୍ରଣାଳୀ ଉପରେ ଉଠୁଥିବା ଯୁକ୍ତିସଙ୍ଗତ ପ୍ରଶ୍ନର ସମାଧାନ କରିବା ମଧ୍ୟ ଅପରିହାର୍ଯ୍ୟ। ସରକାର ଏହି ପରିସ୍ଥିତିକୁ ଏକ ରାଜନୈତିକ ଆହ୍ବାନ ଭାବେ ନୁହେଁ, ବରଂ ଗଣତନ୍ତ୍ରକୁ ଅଧିକ ସୁଦୃଢ଼ କରିବାର ସୁଯୋଗ ଭାବେ ଗ୍ରହଣ କରନ୍ତୁ। ଅଭିଯୋଗର ସତ୍ୟାସତ୍ୟ ନିରପେକ୍ଷ ଭାବେ ଯାଞ୍ଚ ହେଉ, ଦୋଷ ଥିଲେ ଆଇନାନୁସାରେ ପଦକ୍ଷେପ ନିଆଯାଉ ଏବଂ ନିର୍ଦ୍ଦୋଷ ସଂସ୍ଥାର ମର୍ଯ୍ୟାଦା ମଧ୍ୟ ସୁରକ୍ଷିତ ରହୁ।
ଦେଶର ସ୍ବାଧୀନତା ପାଇଁ ସଂଘର୍ଷ କରିଥିବା ମହାପୁରୁଷମାନେ ଆଜି ଥିଲେ, ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ନେଇ ଏପରି ଅନାସ୍ଥା ଓ ବିଭାଜନର ପରିବେଶ ଦେଖି ନିଶ୍ଚିତ ଭାବେ ଚିନ୍ତିତ ହୋଇଥାନ୍ତେ। ତେଣୁ ଆଜିର ସବୁଠାରୁ ବଡ଼ ଆବଶ୍ୟକତା ହେଉଛି-ରାଜନୈତିକ ଜିଦ୍ ନୁହେଁ, ସାମ୍ବିଧାନିକ ବିବେକ; ପରସ୍ପର ଅଭିଯୋଗ ନୁହେଁ, ତଥ୍ୟଭିତ୍ତିକ ସମାଧାନ। ଗଣତନ୍ତ୍ରରେ ଶେଷକଥା କୌଣସି ଦଳର ନୁହେଁ, ଜନସାଧାରଣଙ୍କର। ସେମାନଙ୍କ ମତାଧିକାର, ଆସ୍ଥା ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ହିଁ ଏକ ସୁସ୍ଥ ଭାରତୀୟ ଗଣତନ୍ତ୍ରର ପ୍ରକୃତ ପରିଚୟ।
ସିତାଂଶୁ ଶେଖର ମିଶ୍ର
ଶାନ୍ତିନଗର,ସୋନପୁର
ମୋ: ୮୧୪୪୮୭୦୭୨୯