ଦିଗପହଣ୍ଡି କୋର୍ଟରେ ସମ୍ବିଧାନ ଦିବସ ପାଳିତ: ମୌଳିକ କର୍ତ୍ତବ୍ୟ-ସାମ୍ବିଧାନିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୬।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଗୁରୁବାର ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଖେମୁଣ୍ଡି ଓକିଲ ସଂଘର ସମ୍ପାଦକ ସନ୍ତୋଷ କୁମାର ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତାଲୁକ ଆଇନ ସହାୟତା କମିଟି ଅଧ୍ୟକ୍ଷା ତଥା ସିଭିଲ ଜଜ୍ (ସିନିୟର ଡିଭିଜନ) କୋର୍ଟର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଏହି ଅବସରରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ ଏବଂ ଓକିଲ ସଂଘର ପୂର୍ବତନ ସଭାପତି ହରପ୍ରସାଦ ରଥ, ରସାନନ୍ଦ ରାଉତ ଓ ପରେଶ ଚନ୍ଦ୍ର ରଥ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମରେ ଅତିଥିମାନେ ମତପ୍ରକାଶ କରିଥିଲେ ଯେ ଭାରତର ନାଗରିକଙ୍କ ମଧ୍ୟରେ ସାମ୍ବିଧାନିକ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ପାଇଁ ସମ୍ବିଧାନ ଦିବସ ପାଳନ କରାଯାଉଛି। ମୌଳିକ ଅଧିକାର ହାସଲ ପାଇଁ ଦାବୀ କରିବା ପୂର୍ବରୁ ପ୍ରତ୍ୟେକ ନାଗରିକ ନିଜର ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହେବା ଅତ୍ୟନ୍ତ ଜରୁରୀ ବୋଲି ସେମାନେ ଗୁରୁତ୍ୱାରୋପ କରିଥିଲେ। ପୂର୍ବାହ୍ନରେ ମାଜିଷ୍ଟ୍ରେଟ, ଆଇନଜୀବୀ ଓ କୋର୍ଟ କର୍ମଚାରୀମାନେ ସାମୁହିକ ଭାବେ ଭାରତର ସମ୍ବିଧାନର ମୁଖବନ୍ଧ ପାଠ କରିଥିଲେ।

ଆୟୋଜିତ ସଭାରେ ସରକାରୀ ଓକିଲ ହେମନ୍ତ କୁମାର ପାଣିଗ୍ରାହୀ, ସୀମାଞ୍ଚଳ ପ୍ରଧାନ, ଆଇନଜୀବୀ ପ୍ରଦୀପ କୁମାର ମହାପାତ୍ର, ନୀଳମାଧବ ରଥ, ପ୍ରଦୀପ କୁମାର ନାୟକ, ଗିରିଜା ନନ୍ଦନ ମେକାପ ଓ ପ୍ରହଲ୍ଲାଦ ପ୍ରଧାନଙ୍କ ସମେତ ବିଚାର ବିଭାଗୀୟ କର୍ମଚାରୀ ବାଲ୍ୟକୃଷ୍ଣ ପଣ୍ଡା, ଶିବରାମ ସାହୁ, ସଂଗ୍ରାମ କେଶରୀ ପଣ୍ଡା, ଅଞ୍ଜଳି ମହାରଣା, ପିଲଚୁ ହେମ୍ବ୍ରମ, ଅଶ୍ୱିନୀ କୁମାର ପଟ୍ଟନାୟକ, ରୁଦ୍ରପ୍ରତାପ ତାଣ୍ଡିଆ ଓ ପପୁନ ମହାରଣା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ତାଲୁକ ଆଇନ ସହାୟତା କମିଟି ସମ୍ପାଦକ ତଥା କୋର୍ଟ କର୍ମଚାରୀ ପ୍ରଦୀପ କୁମାର ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ।

Dharitri – Odisha’s No.1 Odia Daily

Share