ପଦ୍ମପୁର ପାଇଁ ବିଧାନସଭା ଖାଁ ଖାଁ

ଭୁବନେଶ୍ୱର,୨୫ା୧୧(ବ୍ୟୁରୋ):ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହୋଇଛି । ହେଲେ ପ୍ରଥମ ଦିନରେ ବିଧାନସଭା ପରିସର ଖାଁ ଖାଁ ଲାଗୁଥିଲା। ଶାସକ ଦଳର ପ୍ରାୟ ୫୦ ପ୍ରତିଶତ ବିଧାୟକ ଏବଂ ଅଧିକାଂଶ ମନ୍ତ୍ରୀଙ୍କର ଦେଖା ନ ଥିଲା। ପଦ୍ମପୁର ଉପନିର୍ବାଚନ ପାଇଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ଅଧିକାଂଶ ବିଧାୟକ ଓ ମନ୍ତ୍ରୀ ପଦ୍ମପୁର ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଥିବା କୁହାଯାଉଛି । ସଂସଦୀୟ ବ୍ୟାପାର ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନୁପସ୍ଥିତ ଥିବାରୁ ତାଙ୍କ ସ୍ଥାନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଅତିରିକ୍ତ ବଜେଟ ଉପସ୍ଥାପନ କରିଥିଲେ। ଗୃହରେ ପଶ୍ଚିମ ଓଡ଼ିଶାର ଅଧିକାଂଶ ମନ୍ତ୍ରୀ ଓ ବିଧାୟକ ଅନୁପସ୍ଥିତ ଥିଲେ। ଏହାକୁ ନେଇ ଶାସକ ଦଳକୁ ବିରୋଧୀ ଘେରିଛନ୍ତି। ନିର୍ବାଚନ ହାରିଯିବା ଭୟରେ ପୂରା ଶାସକ ଦଳ ପଦ୍ମପୁରରେ ଡେରା ପକାଇଛନ୍ତି। ସେମାନେ ବିଧାନସଭାକୁ ଗୁରୁତ୍ୱ ଦେଉନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।