Categories: ଖେଳ

ନାର୍କୋ ଟେଷ୍ଟ ପାଇଁ ରେସ୍‌ଲରଙ୍କ ସହମତି

ନୂଆଦିଲ୍ଲୀ,୨୩ା୫(ପି.ଟି.): ଭାରତୀୟ ରେସ୍‌ଲିଂ ଫେଡେରେଶନ(ଡବ୍ଲ୍ୟୁଏଫ୍‌ଆଇ) ସଭାପତି ବ୍ରିଜ୍‌ଭୂଷଣ ଶରଣ ସିଂଙ୍କ ଯୌନ ନିର୍ଯାତନା ମାମଲାରେ ନୂଆଦିଲ୍ଲୀର ଯନ୍ତରମନ୍ତରଠାରେ ଖେଳାଳିଙ୍କ ଆନ୍ଦୋଳନ ୨୯ ଦିନରେ ପହଞ୍ଚତ୍ଛି। ଭାରତର ଅଲିମ୍ପିକ୍ସ ପଦକ ବିଜୟୀ ରେସ୍‌ଲର ସାକ୍ଷୀ ମଲିକ୍‌ ଓ ବଜରଙ୍ଗ ପୁନିଆଙ୍କ ସମେତ ଏସିଆନ୍‌ ଗେମ୍ସ ସ୍ବର୍ଣ୍ଣ ପଦକ ବିଜୟିନୀ ଭିନେଶ ଫୋଗତ୍‌ ଯନ୍ତରମନ୍ତରଠାରେ ଧାରଣାରେ ବସିଛନ୍ତି। ତେବେ ଡବ୍ଲୁଏଫ୍‌ଆଇ ମୁଖ୍ୟ ରହିଥିବା ବ୍ରିଜ୍‌ଭୂଷଣ ରବିବାର ଏକ ଫେସ୍‌ବୁକ୍‌ ପୋଷ୍ଟ ଜରିଆରେ ଲେଖିଥିଲେ, ମୁଁ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ ମାତ୍ର ବଜରଙ୍ଗ ଓ ଭିନେଶ୍‌ ମଧ୍ୟ ନାର୍କୋ ଟେଷ୍ଟ ପାଇଁ ରାଜି ହେବା ଉଚିତ। ଟୋକିଓ ଅଲିମ୍ପିକ୍ସ ପଦକ ବିଜେତା ବଜରଙ୍ଗ ପୁନିଆ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ଆମେ ମଧ୍ୟ ଏହି ଟେଷ୍ଟ ପାଇଁ ପ୍ରସ୍ତୁତ। କେବଳ ଆନ୍ଦୋଳନରେ ବସିଥିବା ଖେଳାଳି ନୁହନ୍ତି ବରଂ ଯେଉଁମାନେ ପୀଡ଼ିତା, ସେମାନେ ମଧ୍ୟ ଏହି ଟେଷ୍ଟ ପାଇଁ ପ୍ରସ୍ତୁତ। ତେବେ ଏହି ଟେଷ୍ଟ ସୁପ୍ରିମ୍‌କୋର୍ଟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବା ଉଚିତ୍‌ ଏବଂ ଏଥିରେ କ’ଣ ପ୍ରଶ୍ନ କରାଯାଉଛି ତାହା ସମଗ୍ର ଦେଶବାସୀ ଜାଣିବା ଦରକାର ବୋଲି ସେ କହିଛନ୍ତି। ଖେଳାଳିମାନେ କେଉଁଭଳି କଷ୍ଟ ସହିଛନ୍ତି ତାହା ସମଗ୍ର ଦେଶବାସୀ ଜାଣିବା ଜରୁରୀ ବୋଲି ଭିନେଶ୍‌ କହିଛନ୍ତି। ଦେଶର କିଛି ଗଣମାଧ୍ୟମ ବ୍ରିଜ୍‌ଭୂଷଣଙ୍କୁ ବଢ଼ାଇ ଚଢ଼ାଇ କହୁଥିବାରୁ ଏପରି କରିବାରୁ କ୍ଷାନ୍ତ ରହିବାକୁ ବଜରଙ୍ଗ ଅନୁରୋଧ କରିଛନ୍ତି। ବ୍ରିଜ୍‌ଭୂଷଣ ଷ୍ଟାର ନୁହନ୍ତି ବରଂ ଜଣେ ଯୌନ ଶୋଷଣକାରୀ। ତେଣୁ ମିଡିଆ ତାଙ୍କର ପ୍ରଶଂସା ବନ୍ଦ କରୁ ବୋଲି ଉଭୟ ଖେଳାଳି ଅନୁରୋଧ କରିଛନ୍ତି। ମଙ୍ଗଳବାର ଦ୍ୱିତୀୟ ଚରଣ ଆନ୍ଦୋଳନକୁ ୧ ମାସ ବିତୁଥିବା ବେଳେ ଖେଳାଳିମାନେ ଯନ୍ତରମନ୍ତରଠାରୁ ଇଣ୍ଡିଆ ଗେଟ୍‌ ପର୍ଯ୍ୟନ୍ତ ଏକ ମହମବତି ଶୋଭାଯାତ୍ର ଆୟୋଜନ କରିବେ। ଅପରାହ୍ନ ୫ଟାରେ ଏହି ଯାତ୍ରା ହେବ। ଏହି ଶୋଭାଯାତ୍ରାରେ ଅଧିକରୁ ଅଧିକ ସାଧାରଣ ଜନତା ଯୋଗ ଦେବା ପାଇଁ ଉଭୟ ଖେଳାଳି ଅନୁରୋଧ କରିଛନ୍ତି। ଆମର ଏହି ଆନ୍ଦୋଳନ ଏକ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ। ଏହାକୁ ଅନେକ ଲୋକ ଭଙ୍ଗ କରିବାକୁ ପ୍ରୟାସ କରୁଛନ୍ତି। ଏପରି ଲୋକଙ୍କ ପାଇଁ ଆମେ ଦାୟୀ ନୁହଁ ବୋଲି କହିଛନ୍ତି ସାକ୍ଷୀ। ଉଲ୍ଲେଖଯୋଗ୍ୟ, ଜଣେ ନାବାଳିକାଙ୍କ ସମେତ ୭ ଜଣ ରେସ୍‌ଲର ବ୍ରିଜ୍‌ଭୂଷଣଙ୍କ ନାମରେ ଯୌନ ଶୋଷଣ ଅଭିଯୋଗ ଆଣିଛନ୍ତି।

Share