ବଞ୍ଚୋ,୮ା୧୦(ପ୍ରଦୋଷ ବିଶ୍ୱାଳ): ଇଣ୍ଡିଆ ମେଣ୍ଟ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାର ପ୍ରଭାବ ଆନନ୍ଦପୁରରେ ଦେଖିବାକୁ ମିଳିଛି। ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ, ସିପିଆଇ ସମେତ ବାମପନ୍ଥୀ ଦଳର କର୍ମୀମାନେ ଆନନ୍ଦପୁର ସହରର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ହାଟିବନ୍ଧୁ ଖୁଣ୍ଟିଆ ନଗର କଂଗ୍ରେସ ସଭାପତିଙ୍କ ନେତୃତ୍ୱରେ ବିକ୍ଷୋଭକାରୀମାନେ ବ୍ରିଜ ଛକ ନିକଟରେ ୫୩ ନଂ ରାଜ୍ୟ ରାଜପଥ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ବହୁ ଯାନବାହନ ଅଟକି ରହିଥିଲା। ବନ୍ଦ ଯୋଗୁ ସହରର ବିଭିନ୍ନ ଦୋକାନବଜାର ମଧ୍ୟ ବନ୍ଦ ରହିଥିଲା।
ବିକ୍ଷୋଭକାରୀମାନେ ‘ଭୋଟ ବଞ୍ଚାଅ, ସମ୍ବିଧାନ ବଞ୍ଚାଅ, ଦେଶ ବଞ୍ଚାଅ’ ଭଳି ସ୍ଲୋଗାନ ଦେଇଥିଲେ। ଏଥିସହ ଏମଏମ୍ଡିଆର୍ ସଂଶୋଧିତ ଅଧିନିୟମ ବନ୍ଦ କରିବା, ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ଏସଆଇଆର୍ ପ୍ରତ୍ୟାହାର ଭଳି ବିଭିନ୍ନ ଦାବି ଉଠାଯାଇଥିଲା। ଏହାସହ ବନ୍ୟା ଯୋଗୁ ପ୍ରଭାବିତ ଚାଷୀ ଓ ସାଧାରଣ ଲୋକଙ୍କୁ ତୁରନ୍ତ ସରକାରୀ ସହାୟତା ଯୋଗାଇଦେବାକୁ ଦଳ ପକ୍ଷରୁ ଦାବି କରାଯାଇଥିଲା। କ୍ଷତିଗ୍ରସ୍ତ ଚାଷୀ ଓ ବନ୍ୟା ପ୍ରଭାବିତ ପରିବାରଙ୍କୁ ତୁରନ୍ତ ସହାୟତା ପ୍ରଦାନ କରାନଗଲେ ଆଗାମୀ ଦିନରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ନେତାମାନେ କହିଥିଲେ।