ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍ଡିଆର ବିଲ୍ ପ୍ରତ୍ୟାହାର ଦାବିରେ ଏମ୍ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ ରଣନୀତି ପ୍ରସ୍ତୁତ ହୋଇଛି ।
ଓଡ଼ିଶାର ଖଣିଜ ସମ୍ପଦର ଲାଭ ରାଜ୍ୟବାସୀ, ଆଦିବାସୀ ଓ ମୂଳନିବାସୀଙ୍କୁ ମିଳୁ ନ ଥିବା ଅଭିଯୋଗ କରାଯାଇଛି। କେନ୍ଦ୍ର ସରକାରଙ୍କ ଏମଏମ୍ଡିଆର୍ ସଂଶୋଧନ ବିଲ୍କୁ ବିରୋଧ କରି ଜଳ, ଜଙ୍ଗଲ, ଜମି ଓ ଖଣିଜ ସମ୍ପଦର ସୁରକ୍ଷା ଦାବିରେ ୨୧ ତାରିଖରେ ରାୟଗଡ଼ା ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରାଯିବ ବୋଲି କୁହାଯାଇଛି।
ଏହାକୁ ସଫଳ କରିବାକୁ କୋରାପୁଟ ଜିଲା କଂଗ୍ରେସ ପକ୍ଷରୁ ପ୍ରସ୍ତୁତି ବୈଠକ କରାଯାଇଛି। ଜିଲା କଂଗ୍ରେସ ସଭାପତି ରୂପକ ତୁରୁକଙ୍କ ଅଧ୍ୟକ୍ଷତାରେ କୋରାପୁଟ ଏମ୍ପି ସପ୍ତଗିରି ଶଙ୍କର ଉଲ୍ଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ବହୁ କଂଗ୍ରେସ ନେତା ଓ କର୍ମୀ ଯୋଗଦେଇଥିଲେ। କେନ୍ଦ୍ରର ଖଣିଜ ନୀତିକୁ ନେଇ ନେତାମାନେ ଉଦ୍ବେଗ ପ୍ରକାଶ କରିଛନ୍ତି। ସଂସଦରେ ପର୍ଯ୍ୟାପ୍ତ ଆଲୋଚନା ନ କରି ଅଳ୍ପ ସମୟ ମଧ୍ୟରେ ଏମଏମ୍ଡିଆର୍ ସଂଶୋଧନ ବିଲ୍ ପାରିତ କରାଯାଇଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ଦକ୍ଷିଣ ଓଡ଼ିଶାର ଖଣିଜ ସମ୍ପଦ ଉପରେ ବଡ଼ କର୍ପୋରେଟ ସଂସ୍ଥାଙ୍କ ପ୍ରଭାବ ପଡିବ ବୋଲି କହିଛନ୍ତି।

