ପିଏମ୍‌ଜିକେଏଓ୍ବାଇ ବନ୍ଦ ନେଇ କେନ୍ଦ୍ରକୁ ଟାର୍ଗେଟ କଲା କଂଗ୍ରେସ

ଭୁବନେଶ୍ବର,୧୧ା୧(ବ୍ୟୁରୋ): କେନ୍ଦ୍ରର ମୋଦି ସରକାର ଜାନୁୟାରୀ ୨୦୨୩ରୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଉଚ୍ଛେଦ କରିବାର ନିଷ୍ପତ୍ତି ଘୋଷଣା କରିଛନ୍ତି। ଏହି ଯୋଜନାରେ ଏପ୍ରିଲ-୨୦୨୦ରୁ ପ୍ରତ୍ୟେକ ‘ଜାତୀୟ ଖାଦ୍ୟ ନିରାପତ୍ତା ଆଇନ’ର ହିତାଧିକାରୀମାନେ ପ୍ରତି ମାସରେ ମୁଣ୍ଡ ପିଛା ୫ କେଜି ହିସାବରେ ଅତିରିକ୍ତି ଚାଉଳ ମାଗଣା ପାଉଥିଲେ। ଜାନୁୟାରୀ ୨୦୨୩ରୁ ଭାରତବର୍ଷର ୮୧ କୋଟି ୩୫ ଲକ୍ଷ ଲୋକ ମାସିକ ୧୦ କେଜି ପରିବର୍ତ୍ତେ ୫ କେଜି ପାଇବେ। ଅର୍ଥାତ୍‌ ପ୍ରତ୍ୟେକ ଗରିବ ପରିବାରର ରାଶନ ଅଧା ହୋଇଗଲା। କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଏହା ଗରିବ ପରିବାର ପ୍ରତି ନିଷ୍ଠୁର ଉପହାସ ବୋଲି କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି। ମଙ୍ଗଳବାର କଂଗ୍ରେସ ଭବନଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ଗଣେଶ୍ୱର କହିଛନ୍ତି, ବିଶ୍ୱ ଖାଦ୍ୟ ସୂଚକାଙ୍କ-୨୦୨୨ ରିପୋର୍ଟ ଅନୁସାରେ ୧୨୧ ଦେଶ ମଧ୍ୟରୁ ଭାରତର ସ୍ଥାନ ୧୦୭। ଏହା ପ୍ରମାଣ କରୁଛି ଭାରତରେ କ୍ଷୁଧା ଓ ଦାରିଦ୍ର୍ୟ ଅଛି। ସେତେବେଳେ ୮୧ କୋଟି ୩୫ ଲକ୍ଷ ଲୋକଙ୍କ ମାସିକ ମୁଣ୍ଡ ପିଛା ୫ କେଜି ମାଗଣା ଚାଉଳ କାଟି ଦେବା ଘୋର ଉଦ୍‌ବେଗଜନକ। ୨୦୧୩ରେ ମନମୋହନ ସିଂହ ସରକାର(ଉପା ସରକାର) ଏହି ଯୁଗାନ୍ତକାରୀ ଆଇନ ପ୍ରଣୟନ କରିଥିଲେ। ସେତେବେଳେ ତତ୍କାଳୀନ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ବିରୋଧ କରିବା ସ୍ଥଳେ ଏବେ ପ୍ରଶଂସାରେ ଶତମୁଖ ହେବା ଅତ୍ୟନ୍ତ ବିସ୍ମୟକର ବୋଲି ବେହେରା କହିଛନ୍ତି।