ଟିକା ଉତ୍ସବ କାହିଁକି ବୋଲି ପ୍ରଶ୍ନ କଲା କଂଗ୍ରେସ

ଭୁବନେଶ୍ୱର, ୧୩।୪(ବ୍ୟୁରୋ): ଗତ ରବିବାରଠାରୁ ଆସନ୍ତା ୧୫ ତାରିଖ ୪ଦିନ ବ୍ୟାପୀ ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ଟିକା ଉତ୍ସବ ପାଳନ ନିମିତ୍ତ ଘୋଷଣା କରିଛନ୍ତି। ଗତ ଏପ୍ରିଲ ୮ ତାରିଖରେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନାରେ ସେ ଏହି ସୂଚନା ଦେଇଥିଲେ। ସୋମବାର ହେଉଛି ଟିକା ଉତ୍ସବର ଦ୍ୱିତୀୟ ଦିନ। କିନ୍ତୁ କାହିଁକି ଏ ଉତ୍ସବ ବୋଲି କଂଗ୍ରେସ ବରିଷ୍ଠ ନେତା ପଞ୍ଚାନନ କାନୁନ୍‌ଗୋ ପ୍ରଶ୍ନ କରିଛନ୍ତି।
କଂଗ୍ରେସ ଭବନଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ପଞ୍ଚାନନ କହିଛନ୍ତି, ଯେତେବେଳେ ୮ଟି ରାଜ୍ୟ ଯଥା: ମହାରାଷ୍ଟ୍ର, ପଞ୍ଜାବ, ରାଜସ୍ଥାନ, ଛତିଶଗଡ଼, ଦିଲ୍ଲୀ, ଆନ୍ଧ୍ରପ୍ରଦେଶ, ଝାଡ଼ଖଣ୍ଡ ଓ ଆମ ରାଜ୍ୟ ଓଡ଼ିଶାରେ ଟିକା ସଙ୍କଟ ସୃଷ୍ଟି ହୋଇଛି ସେତେବେଳ ଉତ୍ସବ ସମ୍ପୂର୍ଣ୍ଣ ନିରର୍ଥକ ହୋଇପଡ଼ିଛି। ଉପରୋକ୍ତ ସମସ୍ତ ରାଜ୍ୟ ସରକାର କେନ୍ଦ୍ରକୁ ଜଣାଇ ସାରିଛନ୍ତି ଯେ ସେମାନଙ୍କର ଗଚ୍ଛିତ ଟିକା ରବିବାର/ସୋମବାର ସୁଦ୍ଧା ସରିଯିବ। ତେଣୁ ତୁରନ୍ତ ଟିକାଦାନ ଅବ୍ୟାହତ ରଖିବାକୁ ଅଧିକ ପରିମାଣର ଟିକା ଯୋଗାଇ ଦିଆଯାଉ। କିନ୍ତୁ କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ଉଦାସୀନ। ଟିକା କେନ୍ଦ୍ର ସଂଖ୍ୟା ହ୍ରାସ ପାଇଛି ଓ ଖୁବ୍‌ଶୀଘ୍ର ଟିକା କେନ୍ଦ୍ର ବନ୍ଦ ହୋଇଯିବ। ସେତେବେଳେ ଉତ୍ସବ ଏକ ପ୍ରହସନ ନୁହେଁ ତ ଆଉ କ’ଣ ବୋଲି ସେ କହିଛନ୍ତି। ଓଡ଼ିଶା ସରକାର କେବଳ ଚିଠି ଲେଖି ହାତ ଟେକିଦେବା ଅତନ୍ତ୍ୟ ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ଏନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତୁ ଟିକା ନ ମିଳିଲେ ରାଜ୍ୟ ପ୍ରତିବାଦ କରିବାର ଚେତାବନୀ ଦିଅନ୍ତୁ ବୋଲି ପଞ୍ଚାନନ କହିଛନ୍ତି। ଓଡ଼ିଶାବାସୀଙ୍କୁ ଟିକାକରଣରେ ସମ୍ପୂର୍ଣ୍ଣ ଅନ୍ତର୍ଭୁକ୍ତ କରାଯାଉ। ପ୍ରଧାନମନ୍ତ୍ରୀ ଅରଣ୍ୟ ଉଲ୍ଲାସରୁ ବିରତ ରହି ଟିକା ସଙ୍କଟ ଜନିତ ପରିସ୍ଥିତିରେ ଦେଶବାସୀଙ୍କ ଗୁରୁତର ସ୍ବାସ୍ଥ୍ୟ ସମସ୍ୟା ପ୍ରତି ଅଣଦେଖା କରନ୍ତୁ ନାହିଁ। ଓଡ଼ିଶାର ସ୍ବାର୍ଥ ପାଇଁ ରାଜ୍ୟର ଦୁଇ କେନ୍ଦ୍ରମନ୍ତ୍ରୀ ଲଢ଼ନ୍ତୁ ବୋଲି କଂଗ୍ରେସ ଆହ୍ବାନ ଦେଇଛି।