ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ

ଭୁବନେଶ୍ୱର,୧୦ା୩(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଦ୍ୱାରା ଭୁବନେଶ୍ୱରରେ ବେଆଇନ ଭାବେ ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ବୃଦ୍ଧି କରାଯାଇଥିବା କଂଗ୍ରେସ ଅଭିଯୋଗ କରିଆସୁଛି। ଯଦି ସରକାର ଏହାକୁ ପ୍ରତ୍ୟାହାର ନ କରନ୍ତି, ତାହାହେଲେ ଆଗାମୀ ଦିନରେ ବିଏମ୍‌ସି ଅଫିସ ଘେରାଉ କରାଯିବ। ମଙ୍ଗଳବାର ଏହାର ପ୍ରତିବାଦରେ କଂଗ୍ରେସ ନେତା ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।
ଏହି ଅବସରରେ ରାଜୀବ କହିଛନ୍ତି, ଭୁବନେଶ୍ୱର ବାସିନ୍ଦା ୨୨ ବର୍ଷ ଧରି ନବୀନ ସରକାରକୁ ସମର୍ଥନ କରୁଛନ୍ତି। ମାତ୍ର ପ୍ରତିବଦଳରେ ନବୀନବାବୁ ଭୁବନେଶ୍ୱର ବାସିନ୍ଦାଙ୍କ ତଣ୍ଟି ଚିପି ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ଆଦାୟ କରିବା ପାଇଁ ବ୍ୟବସ୍ଥା କରିଛନ୍ତି। ଏହା ପୂର୍ବ ଦେୟର ଦଶଗୁଣରୁ ଅଧିକ। ସ୍ଥଳବିଶେଷରେ ଏହା କୋଡ଼ିଏ ପଚିଶ ଗୁଣର ହୋଇଥିବା ମଧ୍ୟ ଦେଖାଯାଇଛି। ମହାନଗର ନିଗମ କର୍ତ୍ତୃପକ୍ଷ ଏହି ଦେୟର ଅର୍ଦ୍ଧେକ ବର୍ତ୍ତମାନ ଦେବା ପାଇଁ ମଧ୍ୟ କହୁଥିବା ଦେଖାଯାଉଛି। ଧାରା ୨୧୮ ଅନୁସାରେ ଗୋଟିଏ ମୂଲ୍ୟାୟନ ଟ୍ରିବ୍ୟୁନାଲ ଗଠନ ହେବା କଥା, ତାହା ହୋଇନାହିଁ। ଧାରା ୨୧୯ ଅନୁସାରେ ସବୁ ନାଗରିକଙ୍କୁ ନୋଟିସ ଜରିଆରେ ହିସାବ ଜଣାଇବା କଥା, ହେଲେ ତାହା ହୋଇନାହିଁ। ପ୍ରତ୍ୟେକ ଭାଲ୍ୟୁଏଶନର ଗୋଟିଏ ନିର୍ଦ୍ଦିଷ୍ଟ ସମୟସୀମା ଅଛି। ଧାରା ୨୨୩ ଅନୁସାରେ ତାହା ମଧ୍ୟ ସାଧାରଣ ନାଗରିକକୁ ଜଣାଇ ଦିଆଯିବା ଲାଗି ବ୍ୟବସ୍ଥା ରହିଛି। ସେହିପରି ଧାରା ୨୨୪ ଅନୁସାରେ କୌଣସି ବ୍ୟକ୍ତି ଏଥିରେ ସନ୍ତୁଷ୍ଟ ନ ଥିଲେ ଅଭିଯୋଗ କରିବାର ସୁଯୋଗ ରହିବା କଥା। ଏଣୁ ବିଏମ୍‌ସି ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ଭୁବନେଶ୍ୱର ବାସିନ୍ଦାଙ୍କ ପ୍ରତି ହୋଇଥିବା ଅନ୍ୟାୟକୁ କଂଗ୍ରେସ ବରଦାସ୍ତ କରିବ ନାହିଁ ବୋଲି ସେ କହିଛନ୍ତି। ବୃଦ୍ଧି ଟିକସ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ। ଏହି ପ୍ରସଙ୍ଗରେ ଆଗାମୀ ଦିନରେ ଭୁବନେଶ୍ୱରରେ ଷ୍ଟ୍ରିଟ୍‌ କର୍ନର ମିଟିଂ ଏବଂ ବିଏମ୍‌ସି ଅଫିସ୍‌ ଘେରାଉ କରାଯିବ ବୋଲି ରାଜୀବ ସୂଚନା ଦେଇଥିଲେ।