ପିପିଲି ଉପନିର୍ବାଚନ ଲାଗି କଂଗ୍ରେସର ସଜବାଜ: ଆଗେ ସଙ୍ଗଠନ ସଜଡା, ପରେ ପ୍ରାର୍ଥୀ ଖୋଜା

ଭୁବନେଶ୍ୱର, ୧୪ ।୧୧(ବ୍ୟୁରୋ): ବାଲେଶ୍ୱର ଓ ତିର୍ତ୍ତୋଲରେ ପରାଜିତ ହେବା ପରେ ରାଜ୍ୟ କଂଗ୍ରେସ ପକ୍ଷରୁ ଆଗାମୀ ଦିନରେ ହେବାକୁ ଥିବା ପିପିଲି ଉପନିର୍ବାଚନ ନିମନ୍ତେ ବର୍ତ୍ତମାନ ଠାରୁ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ବିଶେଷକରି ଏବେଠାରୁ ପ୍ରାର୍ଥୀ ଚୟନ ଉପରେ ଦଳ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। କିନ୍ତୁ ଉକ୍ତ ନିର୍ବାଚନମଣ୍ଡଳୀରେ ପ୍ରଥମେ ନିଜ ସଙ୍ଗଠନ ସଜାଡିବା ପରେ ଯାଇ ଦଳ ପକ୍ଷରୁ ବାକି କାମ କରାଯିବ ବୋଲି ଜଣାପଡିଛି। ଏ ନେଇ ଶୁକ୍ରବାର କଂଗ୍ରେସ ଭବନରେ ବରିଷ୍ଠ ନେତାମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରେ ଗଣମାଧ୍ୟମକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ପିପିଲିରେ ବ୍ଲକ, ଏନ୍‌ଏସି ଓ ପଞ୍ଚାୟତ କଂଗ୍ରେସ କମିଟି ନାହିଁ। ଆସନ୍ତା ୮ରୁ ୧୦ ଦିନ ମଧ୍ୟରେ ଏହା ଗଠନ କରାଯିବ। ସେଠାରେ ଦଳକୁ ନିଶ୍ଚୟ ଯୋଗ୍ୟ ପ୍ରାର୍ଥୀ ମିଳିବେ ବୋଲି ନିରଞ୍ଜନ କହିଛନ୍ତି। ବୈଠକରେ ଉପସ୍ଥିତ ଥିବା ଜଟଣୀ ବିଧାୟକ ତଥା ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ କହିଛନ୍ତି, ପ୍ରାର୍ଥୀ ଚୟନ ଲାଗି ଦଳ ତରଫରୁ ଏକ କମିଟି ଗଠନ ହେବ। ଖୋର୍ଦ୍ଧା, କଟକ, ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତିଙ୍କ ସମେତ ଶିବାନନ୍ଦ ରାୟ ଏବଂ ବିପିନ ଦାଶ ପ୍ରମୁଖ ୮ ଜଣଙ୍କୁ କମିଟି ସଦସ୍ୟ ରଖାଯିବ। ପ୍ରଥମ ୭ ଦିନରେ ବ୍ଲକ, ଏନ୍‌ଏସି ଓ ପଞ୍ଚାୟତ କମିଟି ଗଠନ ହେବ। ଏହାର ୨୦ ଦିନ ମଧ୍ୟରେ ପ୍ରାର୍ଥୀ ଚୟନ ଲାଗି କମିଟି ରିପୋର୍ଟ ପ୍ରଦାନ କରିବ। ପିସିସି ସଭାପତି ଏହାପରେ ପ୍ରାର୍ଥୀ ସ୍ଥିର କରିବେ। ଅନ୍ୟପଟେ ଦଳର ଜଣେ ବରିଷ୍ଠ ନେତା କହିଛନ୍ତି, ରାଜ୍ୟରେ କଂଗ୍ରେସ ନିଜ ଅସ୍ତିତ୍ୱ ହରାଇବାକୁ ବସିଲାଣି। ବାଲେଶ୍ୱର ଓ ତିର୍ତ୍ତୋଲ ବିଫଳତା ନେଇ ଏ ପର୍ଯ୍ୟନ୍ତ ସମୀକ୍ଷା କରାଗଲା ନାହିଁ। ସେକଥା ଭୁଲି ଦଳ ପିପିଲିରେ ସଙ୍ଗଠନ ସଜାଡିବାକୁ ବାହାରିଛି। ବାହାଘର ବେଳେ ବାଇଗଣ ରୁଆ ଭଲି କାମ କରାଯାଉଛି। ଏଥିରୁ ଫଳ କ’ଣ ଆସିବ ତାହା ସମସ୍ତଙ୍କୁ ଜଣା ଅଛି। ବର୍ତ୍ତମାନ ଯଦି ଦଳ ସାଙ୍ଗଠନିକ କାମ କରିବ ତେବେ ନିର୍ବାଚନ କେବେ ଲଢିବ ବୋଲି ସେ ପ୍ରଶ୍ନ କରିଛନ୍ତି।