ଭୋଟ୍‌ ନାକଚ, ରାତି ଗଣତି ଯୋଗୁ କଂଗ୍ରେସ ହାରିଛି: ସପ୍ତଗିରି

ରାୟଗଡ଼ା ଅଫିସ,୨୮ା୨: ରାୟଗଡ଼ା ଏବଂ କୋରାପୁଟ ଜିଲାରେ ୧୭ ଆସନ ପାଇଛୁ। ଜିଲା ପରିଷଦ ଗଠନ କରିବୁ ବୋଲି ଆଶା ରଖିଥିଲୁ। ରାୟଗଡ଼ା ଜିଲାରେ ଶନିବାର ‘କ’ ଜୋନ୍‌ ଗଣତିବେଳେ କଂଗ୍ରେସ ଜିଲାର ୪ ଜୋନ୍‌ରେ ଆଗୁଆ ଥିଲା। କିନ୍ତୁ ଶେଷରେ କଂଗ୍ରେସ ୨ଟିରେ ବିଜୟୀ ହୋଇଥିଲା। ରାତି ୧୨ଟା ପରେ ଅନେକ ଭୋଟ ନାକଚ ହୋଇଥିଲା। ଶାସକ ଦଳ କଳ, ବଳ, କୌଶଳ ପ୍ରୟୋଗ କରି ଭୋଟ ହାତେଇଥିବା କୋରାପୁଟ ଏମ୍‌ପି ସପ୍ତଗିରି ଉଲାକା ଗଣମାଧ୍ୟମ ନିକଟରେ ଅଭିଯୋଗ କରିଛନ୍ତି। ଯେଉଁମାନେ ଜିତିଛନ୍ତି ନିହାତି ସାଧୁବାଦ ଜଣାଉଛୁ। କିନ୍ତୁ କଂଗ୍ରେସ ଲଢ଼େଇ କରି ଭଲ ପ୍ରଦର୍ଶନ କରିଛି ବୋଲି ସେ କହିଛନ୍ତି। ଲୋକଙ୍କ ସମସ୍ୟା ନେଇ ଉପଯୁକ୍ତ ସ୍ଥାନରେ ଉପସ୍ଥାପନ କରାଯାଇଛି। ରବିବାର ‘ଖ’ ଜୋନ୍‌ରେ ମଧ୍ୟ କଂଗ୍ରେସ ୪ରୁ ୫ ସିଟ୍‌ରେ ଆଗୁଆ ଅଛି। ପ୍ରାୟ ୮ରୁ ୯ ଆସନ ପାଇବା ଆଶା ରହିଛି। ସେହିପରି କୋରାପୁଟ ଜିଲାରେ ୧୧ ଆସନ ନିହାତି ରହିଛି। ଜୟପୁର ଏବଂ କୋଟପାଡ଼ରେ ଭୋଟ ପାଇଲେ ଦଳ ଜିଲା ପରିଷଦ ଗଠନ କରିବ ବୋଲି ସପ୍ତଗିରି କହିଛନ୍ତି। ଗଣତିବେଳେ ରାତିରେ ଗଣମାଧ୍ୟମ ପ୍ରତିନିଧି ଚାଲିଯିବା ପରେ ଆଗୁଆ ଥିବା କଂଗ୍ରେସ ପଛକୁ ଚାଲିଯାଉଛି। ଏହାର ଅନୁଧ୍ୟାନ କରାଯିବ। ପ୍ରଶାସନ ପକ୍ଷରୁ ଯଦି ଭୋଟ ଗଣତିବେଳେ ଅନ୍ୟାୟ କରାଯାଇଥିବ ଏହାର ଦୃଢ଼ ପ୍ରତିବାଦ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।