୨୮ରେ କଂଗ୍ରେସ ପ୍ରତିଷ୍ଠା ଦିବସ

ଭୁବନେଶ୍ବର,୨୭ା୧୨(ବ୍ୟୁରୋ):ଭାରତୀୟ ଜାତୀୟ କଂଗ୍ରେସ ତା’ର ୧୩୮ତମ ପ୍ରତିଷ୍ଠା ଦିବସ ଆସନ୍ତା ଡିସେମ୍ବର ୨୮ ତାରିଖରେ ପାଳନ କରିବ। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ଭବନରେ ଭାରତ ବର୍ଷ ଏବଂ ଓଡ଼ିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବେ। ଏହାପରେ କଂଗ୍ରେସ ପତାକା ଉତ୍ତୋଳନ କରାଯିବ। ସେବାଦଳ ପକ୍ଷରୁ ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ହେବ। ଏହାପରେ କଂଗ୍ରେସ ଭବନରେ ”ସ୍ବାଧୀନତା ସଂଗ୍ରାମ ଓ ଦେଶ ଗଠନରେ କଂଗ୍ରେସର ଭୂମିକା“ ପ୍ରସଙ୍ଗରେ ଏକ ଆଲୋଚନାଚକ୍ର ଆୟୋଜିତ ହେବ। କଂଗ୍ରେସର ଆଗାମୀ କାର୍ଯ୍ୟପନ୍ଥା, ପ୍ରସ୍ତୁତି, ସଂଗ୍ରାମ ଓ ଆନ୍ଦୋଳନ ସମ୍ପର୍କରେ ପ୍ରଦେଶ କଂଗ୍ରେସ ସଭାପତି ଦିଗ୍‌ଦର୍ଶନ ଦେବେ ବୋଲି ପିସିସି ମୁଖପାତ୍ର ରଜନୀ ମହାନ୍ତି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି।