ଏହି ୩ ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର, ୨୮।୪: କଂଗ୍ରେସ ପକ୍ଷରୁ ରହିବାର ୨ଟି ଲୋକ ସଭା ଏବଂ ୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ୮ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରୁ ୨ଟି ଆସନରେ ପ୍ରାର୍ଥୀ ବଦଳାଇଛି। ବାରିପଦା ଏବଂ ଖଣ୍ଡପଡା ଆସନରେ ଦଳ ପ୍ରାର୍ଥୀ ପରିବର୍ତ୍ତନ କରିଛି। ବାରିପଦାରେ ବାଦଲ ହେମ୍ବ୍ରମଙ୍କୁ ଦଳ ପ୍ରଥମେ ପ୍ରାର୍ଥୀ କରିଥିଲା। ହେଲେ ତାଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ପ୍ରମୋଦ କୁମାର ହେମ୍ବ୍ରମଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ଖଣ୍ଡପଡ଼ାରେ ମନୋଜ କୁମାର ପ୍ରଧାନଙ୍କୁ ବଦଳାଇ ନିକଟରେ ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିବା ବୈଜୟନ୍ତିମାଳା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି। ଚଳିତ ଥର କଟକ-ବାରବାଟୀରେ ବିଧାୟକ ମହମ୍ମଦ ମୋକିମ ନିର୍ବାଚନ ଲଢୁନାହାନ୍ତି। ତେଣୁ କିଛିଦିନ ତଳେ ତାଙ୍କ ସମର୍ଥକମାନେ ତାଙ୍କ ଝିଅ ସୋଫିଆ ଫିରଦୋସଙ୍କୁ ପ୍ରାର୍ଥୀ କରିବା ପାଇଁ ସ୍ଥିର କରିଥିଲେ। ସେହି ଅନୁଯାୟୀ କଂଗ୍ରେସ ସୋଫିଆଙ୍କୁ କଟକ-ବାରବାଟୀ ଆସନରୁ ପ୍ରାର୍ଥୀ କରିଛି। ସେହିପରି ଜଳେଶ୍ୱରରେ ଦେବୀ ପ୍ରସାଦ ଚାନ୍ଦ, ବାଲେଶ୍ୱରରେ ମୋନାଲିସା ଲେଙ୍କା, ବଡଚଣାରେ ଅଜୟ ସାମଲ, ପାଲଲହଡାରେ ଫକୀର ସାମଲ ଏବଂ ଜଗତସିଂହପୁରରେ ପ୍ରତିମା ମଲିକଙ୍କୁ ଦଳ ପ୍ରାର୍ଥୀ କରିଛି।
ତେବେ ଏଥିରେ ସମ୍ବଲପୁର ପାଇଁ ଏବଂ କଟକ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ତେବେ ସମ୍ବଲପୁର ଲୋକ ସଭା ଆସନ ପାଇଁ ଦଳ ପୂର୍ବରୁ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କୁ ବଦଳାଇ ଦିଆଯାଇଛି। ନିକଟରେ ବିଜେଡି ଛାଡି ଆସି କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ଏମ୍‌ପି ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି। ଦୁଲାଲଙ୍କ ସ୍ଥାନରେ ନଗେନ୍ଦ୍ର ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ କଟକ ଆସନରେ ଦଳ ସୁରେଶ ମହାପାତ୍ରଙ୍କୁ ଟିକେଟ ଦେଇଛି। ଏହାଦ୍ୱାରା କଂଗ୍ରେସ ରାଜ୍ୟର ସମସ୍ତ ୨୧ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ଶେଷ କରିଛି।