କଂଗ୍ରେସ ଅଧ୍ୟକ୍ଷ

ଏକ ସମୟ ଥିଲା ଯେତେବେଳେ ଜଣେ ଦକ୍ଷ କଂଗ୍ରେସ ନେତା ସର୍ବଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ଅଧ୍ୟକ୍ଷ ହେବା ପାଇଁ ସ୍ବପ୍ନ ଦେଖୁଥିଲେ। ସ୍ବାଧୀନତା ବେଳରୁ ଦେଖିଲେ ନେହେରୁ-ଗାନ୍ଧୀ ପରିବାରରୁ ଜବାହରଲାଲ ନେହେରୁ, ଇନ୍ଦିରା ଗାନ୍ଧୀ, ରାଜୀବ ଗାନ୍ଧୀ, ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ କଂଗ୍ରେସ ଅଧ୍ୟକ୍ଷ ହୋଇଛନ୍ତି। ଅନ୍ୟପକ୍ଷରେ ଜେ. ବି. କ୍ରିପାଲାନି, ବି. ପଟ୍ଟାଭି ସୀତାରାମାୟା, ପୁରୁଷୋତ୍ତମ ଦାସ ଟଣ୍ଡନ, ୟୁ.ଏନ୍‌. ଧେବାର, ଏନ୍‌. ସଞ୍ଜୀବ ରେଡ୍ଡୀ, କେ. କାମରାଜ, ଏସ୍‌. ନିଜାଲିଙ୍ଗାପ୍ପା, ଜଗଜ୍ଜୀବନ ରାମ, ଶଙ୍କର ଦୟାଲ ଶର୍ମା, ଦେବକାନ୍ତ ବରୁଆ, ପି.ଭି. ନରସିଂହ ରାଓ ଏବଂ ସୀତାରାମ କେଶରୀଙ୍କ ଭଳି ବ୍ୟକ୍ତି ନେହେରୁ-ଗାନ୍ଧୀ ପରିବାର ବାହାରୁ ଏଆଇସିସି ଅଧ୍ୟକ୍ଷ ହୋଇଥିଲେ। ପାର୍ଟି ଇତିହାସରେ ନିଜ ନାମକୁ ଏହି ପଦବୀରେ ରଖିପାରିବା ସବୁଠାରୁ ବଡ଼ କଥା ଥିଲା। ହେଲେ ସମୟ ସମ୍ପୂର୍ଣ୍ଣ ବଦଳିଯାଇଛି। ନେତାଙ୍କୁ ପାର୍ଟିର ମୁଖ୍ୟ ପଦବୀ ଯଚା ଯାଉଥିଲେ ମଧ୍ୟ ତାହାକୁ ସେ ଗ୍ରହଣ କରିବାକୁ ଅମଙ୍ଗ। କାରଣ ଏବେ ଦଳର ସ୍ଥିତି ଏଭଳି ହୋଇଯାଇଛି ଯେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଅଧ୍ୟକ୍ଷ ହେବାକୁ ନ ଚାହିଁ ରାଜ୍ୟରେ କ୍ଷମତା ଉପଭୋଗ କରିବାକୁ ଶ୍ରେୟ ମଣୁଛନ୍ତି। ସମ୍ଭବତଃ ସେ ବୁଝିସାରିଛନ୍ତି ଯେ, କଂଗ୍ରେସ ଅଧ୍ୟକ୍ଷ ହେଲେ ଅନେକ ଦାୟିତ୍ୱ ମିଳିପାରେ, କିନ୍ତୁ ତାଙ୍କର ପ୍ରଭାବ ଦଳ ଉପରେ ରହିବ ନାହିଁ। ଗତ ଦୁଇ ଦିନର କଂଗ୍ରେସ ରାଜନୈତିକ ହଟଚମଟ ଦେଖିଲେ ପାର୍ଟି କେଉଁ ଆଡ଼କୁ ଯାଉଛି ତାହା ବୁଝିବା କଷ୍ଟକର।
ଭାଜପା ଦୀର୍ଘ ୮ ବର୍ଷ କେନ୍ଦ୍ରରେ କ୍ଷମତାରେ ରହିଥିଲେ ମଧ୍ୟ ଦେଶବାସୀ ପ୍ରବଳ ଆର୍ଥିକ ଦୁର୍ଦ୍ଦିନ ଦେଇ ଗତି କରୁଛନ୍ତି। ଅର୍ଥନୈତିକ କୁପରିଚାଳନା ବିଶେଷକରି ବିମୁଦ୍ରୀକରଣ ଯୋଗୁ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି। କେବଳ କେତେକ ଧନୀଙ୍କ ବ୍ୟତୀତ ଗରିବ ଓ ମଧ୍ୟବିତ୍ତ ଅନ୍ଧାରକୁ ଠେଲି ହୋଇଯାଉଛନ୍ତି। ବୈଦେଶିକ ନୀତିରେ ସ୍ପଷ୍ଟତା ରହୁ ନ ଥିବାରୁ ଭାରତ ତା’ର ପଡ଼ୋଶୀଙ୍କ ସହ ଉତ୍ତମ ସମ୍ପର୍କ ରକ୍ଷା କରିପାରୁ ନାହିଁ। ଏଭଳି ସ୍ଥଳେ ଏକ ଶକ୍ତ ବିରୋଧୀ ଦଳ ଭାବେ ଉଭା ହେବା କେବଳ କଂଗ୍ରେସ ପକ୍ଷରେ ସମ୍ଭବ ହେବା କଥା। କାରଣ ଏବେବି ରାଜସ୍ଥାନ, ମଧ୍ୟପ୍ରଦେଶ, କର୍ନାଟକ, ଛତିଶଗଡ଼ ଓ ପଞ୍ଜାବରେ ଅପେକ୍ଷାକୃତ ଭାବେ ଦଳର ଭଲ ଉପସ୍ଥିତି ରହିଛି। ରାହୁଲ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା କରି ଲୋକଙ୍କ ପାଖକୁ ଯାଉଥିବା ବେଳେ କିଛିଟା ଜନସମର୍ଥନ ପାଉଛନ୍ତି। ହେଲେ ଏହାର ନେତାମାନେ ତାଙ୍କୁ ସହଯୋଗ କଲା ଭଳି ମନେହେଉ ନାହିଁ। ‘ଜଣେ ବ୍ୟକ୍ତି, ଗୋଟିଏ ପଦବୀ’ ଚିନ୍ତାଧାରାରେ ବିଶ୍ୱାସ କରି କିଛିବର୍ଷ ହେବ ଦଳ ଚାଲିଥିଲେ ହେଁ କେତେକ କ୍ଷମତାଲୋଭୀ ସେଥିରେ ବ୍ୟତିକ୍ରମ ସୃଷ୍ଟି କରିବାକୁ ଆଗେଇ ଆସିଛନ୍ତି। ଶୁଣାଯାଉଥିଲା ୧୭ ଅକ୍ଟୋବରରେ କଂଗ୍ରେସ ଅଧ୍ୟକ୍ଷ ପଦବୀ ଲାଗି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ନେହେରୁ-ଗାନ୍ଧୀ ପରିବାର ଭିନ୍ନ ଅନ୍ୟ ଯେକୌଣସି ନେତା ଅଧ୍ୟକ୍ଷ ପଦ ଧାରଣ କଲେ କର୍ମୀ ଓ ସାଧାରଣ ଲୋକଙ୍କ ନିକଟକୁ ବାର୍ତ୍ତା ଯାଇଥାଆନ୍ତା ଯେ କଂଗ୍ରେସ ପରିବର୍ତ୍ତନ ଆଡ଼କୁ ମୁହଁାଇଛି। ହେଲେ ନିର୍ବାଚନ ପ୍ରକ୍ରିୟା ଆରମ୍ଭରୁ ବିଶୃଙ୍ଖଳା ସୃଷ୍ଟି ହେଲା। କଂଗ୍ରେସରେ ଯୁବ ନେତୃତ୍ୱ ଗୁରୁତ୍ୱ ପାଉ ନ ଥିବାରୁ ଏକ କାଇଦା କରାଯାଇ ଗେହଲଟଙ୍କୁ ଅଧ୍ୟକ୍ଷ କରାଯିବାକୁ ନିଷ୍ପତ୍ତି ହୋଇଥିଲା। ତାହା ହୋଇଥିଲେ ସଚିନ ପାଇଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇଥାଆନ୍ତୋ। କିନ୍ତୁ ରାଜସ୍ଥାନ କଂଗ୍ରେସରେ ପ୍ରାୟୋଜିତ ବିଦ୍ରୋହ ଦେଖାଦେଲା। ପ୍ରାୟ ୯୨ ଜଣ ଗେହଲଟ ସମର୍ଥକ ପାଇଲଟଙ୍କୁ ବିରୋଧ କରି ଇସ୍ତଫା ଦେବାକୁ ଧମକ ଦେଇଛନ୍ତି। କିନ୍ତୁ ସେମାନେ ଇସ୍ତଫା ଦେଇ ନାହାନ୍ତି।
ଏଭଳି ପରିପ୍ରେକ୍ଷୀରେ ଯାହା ଅନୁମାନ କରାଯାଉଛି ରାହୁଲ ଗାନ୍ଧୀ ପୁନଶ୍ଚ କଂଗ୍ରେସର ମଙ୍ଗ ଧରିପାରନ୍ତି। ଏମିତି ଦେଖିଲେ ଅନେକ ପ୍ରଦେଶ କଂଗ୍ରେସ କମିଟି (ପିସିସି) ରାହୁଲଙ୍କ ସପକ୍ଷରେ ରହିଛନ୍ତି। ଏବେ ଗେହଲଟଙ୍କ କ୍ଷମତା ଲୋଭ ଓ ରାଜସ୍ଥାନ ରାଜନୈତିକ ସଙ୍କଟ ଦେଖିଲେ ବୁଝି ହେଉଛି ଯେ, ନେହେରୁ-ଗାନ୍ଧୀ ପରିବାର ପ୍ରତି କଂଗ୍ରେସର ନେତା ଓ କର୍ମୀଙ୍କ ଅପେକ୍ଷାକୃତ ଅଧିକ ଭରସା ରହିଛି। ସୋନିଆ ଓ ରାହୁଲଙ୍କ କମାଣ୍ଡ୍‌କୁ ମାନିବାକୁ ଅନେକେ ପ୍ରସ୍ତୁତ ଅଛନ୍ତି। ଦେଶବ୍ୟାପୀ ଭାଜପା ପ୍ରଚାର କରିଥିଲା ଯେ ପରିବାରବାଦ ଯୋଗୁ କଂଗ୍ରେସ ବୁଡ଼ିଯିବାକୁ ବସିଛି। ଏବେ ଏହା ହୃଦ୍‌ବୋଧ ହେଉଛି ଯେ, ଏହି ମାତା-ପୁତ୍ରଙ୍କଠାରୁ କଂଗ୍ରେସରେ ଆହୁରି ଅଧିକ କ୍ଷମତା ଲୋଭୀ ଅଛନ୍ତି। ସେଥିପାଇଁ ଦଳୀୟ ଶୃଙ୍ଖଳାକୁ ଅମାନ୍ୟ କରିବାକୁ ସେହିମାନେ ପଛାଉ ନାହାନ୍ତି। ଏପରି ଘଡ଼ିସନ୍ଧି ମୁହୂର୍ତ୍ତରେ କଂଗ୍ରେସର ଶୀର୍ଷ ନେତୃତ୍ୱ ବିଶୃଙ୍ଖଳିତ ନେତାଙ୍କ ପ୍ରତି କଠୋର ହେବା ଦରକାର। କେତେକେ କହିପାରନ୍ତି ଏହା ଦ୍ୱାରା କଂଗ୍ରେସ ଆହୁରି ଖରାପ ପ୍ରଦର୍ଶନ କରିବ। ତାହା ବି ହେଉ। ଅପରପକ୍ଷରେ ନେତୃତ୍ୱ ଦୃଢ଼ ନିଷ୍ପତ୍ତିି ନେଇପାରିଲେ ପାର୍ଟି ପ୍ରତି କର୍ମୀଙ୍କ ବିଶ୍ୱସନୀୟତା ବଢ଼ିପାରନ୍ତା। ପୁଣି ମୂଳରୁ ଦଳ ଉଠିବାର ସମ୍ଭାବନା ଦେଖାଦିଅନ୍ତା। କିନ୍ତୁ ମୂଳ ସମସ୍ୟା ହେଉଛି ଯେ, ରାହୁଲ ଗାନ୍ଧୀ ନିଜେ ନିଜର ଦକ୍ଷତା ଉପରେ ସନ୍ଦେହ କରୁଥିବା ଭଳି ମନେହୁଏ। ବାସ୍ତବରେ ଦଳକୁ ନେତୃତ୍ୱ ଦେଇ ଆଗକୁ ବଢ଼ାଇବା ସକାଶେ ତାଙ୍କର ଇଚ୍ଛା ଥିଲା ଭଳି ଦେଖାଯାଉନାହିଁ। ସେହିପରି ତାଙ୍କର ହାଲୁକା ଆଚରଣକୁ ଖୁବ୍‌ ସୁନ୍ଦର ଭାବେ ବ୍ୟବହାର କରିପାରୁଥିବାରୁ ଭାଜପା ଆଗରେ ରହୁଛି। ରାହୁଲଙ୍କ ଚରିତ୍ର ଭାଜପାକୁ ସୁହାଉଥିବା ହେତୁ ମଲା ଘୋଡ଼ାକୁ ଚାବୁକ୍‌ ମାରିଲା ଭଳି ପରିସ୍ଥିତି ସୃଷ୍ଟି କରି ଅନ୍ୟ କୌଣସି ନେତାଙ୍କୁ ବଢ଼ିବାକୁ ଦିଆଯାଉ ନାହିଁ। ଅର୍ଥାତ୍‌ ଉଭୟ ରାହୁଲ ଓ ଭାଜପା ଗୋଟିଏ ରାସ୍ତାରେ ଯାଉଥିବା ଭଳି ମନେହେଉଛି। ରାହୁଲ କେବେ ହେଲେ ଚାହୁଁ ନ ଥିବେ ଅନ୍ୟ କେହି ମୁଖ୍ୟ ବିରୋଧୀ ନେତା ଭାବେ ଉଭା ହୁଅନ୍ତୁ। ଭାଜପା ମଧ୍ୟ ଚାହେଁ ନାହିଁ ଅନ୍ୟ କୌଣସି ଦକ୍ଷ ନେତୃତ୍ୱ ଆସି ମୋଦିଙ୍କ ପଥ ରୋଧ କରୁ। ସେଥିପାଇଁ ରହୁଲ ସେହି ଆସନରେ ଯେତେଦିନ ବସି ରହିବେ ଉଭୟ ଗାନ୍ଧୀ ପରିବାର ଓ ମୋଦି ସମର୍ଥକ ଖୁସିରେ ଡେଉଁଥିବେ। କ୍ଷତି କେବଳ ଦେଶର ଘଟୁଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରାଣ କଥାରେ ସୃଷ୍ଟିତତ୍ତ୍ୱ

ଆମ ଦେଶରେ ଆମେ ଯେତେବେଳେ ସୃଷ୍ଟିର ପୌରାଣିକ କଥା ସମ୍ପର୍କରେ ବିଚାର କରୁ, ସେତେବେଳେ ସଂସ୍କୃତ କାହାଣୀ ଉପସ୍ଥାପନ କରିଥାଉ। ବିଶେଷକରି ବିଷ୍ଣୁ ଅନନ୍ତନାଗ ଉପରେ ଶୟନ…

ରାଜା ଗୁଣେ ପ୍ରଜା

ପ୍ରଜାଙ୍କୁ ପ୍ରଜାମାନେ ଅନୁସରଣ କରିବା ସ୍ବାଭାବିକ କଥା। ରାଜାଙ୍କ ହାବଭାବ, ଚାଲିଚଳନ, କଥାବାର୍ତ୍ତା, ଆଚାର ବ୍ୟବହାର ଏପରି କି ଚିନ୍ତାଦର୍ଶନକୁ ପ୍ରଜାମାନେ ଅନୁସରଣ କରୁଥିଲେ। ତେଣୁ ଲୋକପ୍ରିୟ…

ଗୋଡ଼ ଖସିବ

ଆମେରିକା-ଇସ୍ରାଏଲ ମିଳିତ ଭାବେ ଇରାନ୍‌ ସହିତ ଯୁଦ୍ଧ କରୁଛନ୍ତି। ଇସ୍ରାଏଲ-ହମାସ୍‌ ସଂଘର୍ଷ ପ୍ରାୟ ଅଢ଼େଇ ବର୍ଷ ଧରି ଚାଲିଥିବା ବେଳେ ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ୪ ବର୍ଷ ଅତିକ୍ରମ…

ଆଇନା ଓ ମଇନା

ଆଇନା ସବୁବେଳେ ସତ କହେ! ହୋଇଥିବ ବୋଧେ! ଏକଥା ସତ ବୋଲି ବି ମୋତେ ଲାଗିଲା। ଯଦିଓ ମୁଁ ସବୁବେଳେ ଆଇନା ଦେଖି ମୋ ରୂପ ସଜାଏ।…

ବରିଷ୍ଠ ନାଗରିକଙ୍କୁ ତାଚ୍ଛଲ୍ୟ

ମନୁଷ୍ୟ ସ୍ବାଭାବିକ ଜୀବନଚକ୍ରରେ ନିର୍ଦ୍ଦିଷ୍ଟ ବର୍ଷ ଅତିକ୍ରମ ପରେ ବୃଦ୍ଧାବସ୍ଥା ପ୍ରାପ୍ତହୁଏ । ଅନେକ ମାତାପିତା ବୃଦ୍ଧାବସ୍ଥାରେ ଅବହେଳାର ଶିକାର ହେଉଥିବା ଅନୁଭବକରି ମିଳିତ ଜାତିସଂଘ ସେମାନଙ୍କର…

ଭାଗ୍ୟ ବଳରେ

କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ହସ୍ପିିଟାଲରେ ୧୫ ମାର୍ଚ୍ଚ ବିଳମ୍ବିତ ରାତ୍ରିରେ ଟ୍ରମା କେୟାର ଇଣ୍ଟେନସିଭ୍‌ କେୟାର ୟୁନିଟ (ଆଇସିୟୁ)ରେ ଅଗ୍ନିକାଣ୍ଡ ଘଟି ୧୦…

ମଧ୍ୟପ୍ରାଚ୍ୟ ଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧର ତାଣ୍ଡବଲୀଳା ବଢିଚାଲିଛି। ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଏବଂ ଇରାନର ଭୀଷଣ ପ୍ରତିଆକ୍ରମଣ ଯୁଦ୍ଧର ବିଭୀଷିକାକୁ ଆହୁରି ଗମ୍ଭୀର କରି…

କୃଷକ ବଜାର ଓ ଆର୍ଥିକ ସୁରକ୍ଷା

ଓଡ଼ିଶା ଦେଶର ଅଷ୍ଟମ ବୃହତ୍ତମ ରାଜ୍ୟ। ପ୍ରଚୁର କଞ୍ଚାମାଲ ଓ ଭିତ୍ତିଭୂମି ଥିବା ସତ୍ତ୍ୱେ ଆବଶ୍ୟକ ଶିଳ୍ପାୟନ ଅଭାବରୁ ଓଡ଼ିଶାରେ ଏବେ ବି ପ୍ରାୟ ୬୦-୭୦ ଭାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri