କେସିଙ୍ଗା,୩୧ା୫(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଯୋଲକୋ ସ୍ଥିତ ବୌଦ୍ଧ ମଣ୍ଡପ ଠାରେ ଚଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ମାର୍କ ରଖିଥିବା ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅନୁସୂଚିତ ଜାତି ବିକାଶ ପରିଷଦ ଡମ ସମାଜ ତରଫରୁ ରବିବାର ସମ୍ବର୍ଦ୍ଧନା କରାଯାଇଛି । ଏହି ପରିପ୍ରେକ୍ଷୀରେ ସଭାପତି ଅନଙ୍ଗ ତାଣ୍ଡିଙ୍କ ସଭାପତିତ୍ୱରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା ।
ଏଥିରେ ଅତିଥି ଭାବେ କେସିଙ୍ଗା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପୂର୍ବତନ ପ୍ରବନ୍ଧକ ବେଲାଲ ସେନ ବେହେରା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଜନ ଛତ୍ରିଆ ଓ ଗଣମାଧ୍ୟମ ପ୍ରତିନିଧି ଦୟାନିଧି ସୁନାନୀ ଯୋଗଦେଇ କେସିଙ୍ଗା ବ୍ଲକ ଦଶମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଦେଵେଶା ହରପାଲ, ସୁମନ ଦୁର୍ଗା ଓ ଡୋଳାମଣି ସେନାପତି ଓ ଦ୍ୱାଦଶ ଶ୍ରେଣୀରେ କୃତକାର୍ଯ୍ୟ ପ୍ରଜ୍ଞା ସେନାପତି, ଲକ୍ଷ୍ମୀପ୍ରିୟା କୁମାର, ମାନସୀ ନନ୍ଦ, ପ୍ରିୟଦର୍ଶନୀ ନନ୍ଦ ପ୍ରମୁଖ କୃତୀ ଛାତ୍ରୀଛାତ୍ରଙ୍କୁ ମାନପତ୍ର ସହିତ ଉପଢୌକନ ଓ ପୁଷ୍ପଗୁଛ ଦେଇ ସ୍ବାଗତ ଓ ସମ୍ବର୍ଦ୍ଧନା କରିଥିଲେ ।
ଛାତ୍ରୀଛାତ୍ରଙ୍କ ଉଜ୍ୱଳ କାମନା କରାଯାଇଥିଲା । ଶିକ୍ଷା ହିଁ ଏକମାତ୍ର ଅସ୍ତ୍ର କଠିନ ପରିଶ୍ରମ କରି ଏହି ଅସ୍ତ୍ରକୁ ପ୍ରୟୋଗ କରି ଆପଣ ମାନେ ନିଜର ଓ ପରିବାର ର ଗୌରବ ବଢେଇବା ସହ ରାଜ୍ୟ ଓ ଦେଶ ପାଇଁ ବିନିଯୋଗ କରନ୍ତୁ ବୋଲି ଉପସ୍ଥିତ ଛାତ୍ରୀଛାତ୍ରଙ୍କୁ ଅତିଥିମାନେ ପରାମର୍ଶ ଦେଇଥିଲେ । ଚାକିରୀ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅବସରପ୍ରାପ୍ତ ନବକିଶୋର ନାୟକ, ପବିତ୍ର ମୋହନ ତାଣ୍ଡି, ପରାଶର ନାଏକ, ଭୁବନେଶ୍ବର ନାଏକ ପ୍ରମୁଖଙ୍କୁ କର୍ମକ୍ଷେତ୍ରର ବିଦାୟକାଳୀନ ସମ୍ବର୍ଦ୍ଧନା, ପୁଷ୍ପ ଗୁଚ୍ଛ ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବାପି ବେହେରା , ସୁରେନ୍ଦ୍ର ଵିନିଆ, ଲୋକନାଥ ବେଶରା, ବିପିନବିହରି ତାଣ୍ଡି, ପ୍ରମିଳା ମାଝି ,ବଳଦେବ ହରପାଲ, ସୁଖାଶନ ନନ୍ଦ, ଆଇନଜୀବୀ ହରିପ୍ରସାଦ ତାଣ୍ଡି ଓ କୃଷ୍ଣଚନ୍ଦ୍ର ନାଗ ଅଂଶଗ୍ରହଣ କରିଥିଲେ ।
ଆଗାମୀ ଦିନରେ କେସିଙ୍ଗା ବ୍ଲକ ଅନୁସୂଚିତ ଜାତି ବିକାଶ ପରିଷଦ ଡମ ସମାଜ ପକ୍ଷରୁ ନିଃଶୁଳ୍କ କମ୍ପୁଟର ଶିକ୍ଷାଦାନ ଓ ଓଡିଶା ପ୍ରଶାସନିକ ସେବା ପ୍ରବେଶିକା ପରୀକ୍ଷା ପ୍ରସ୍ତୁତ କରିବା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଉପ ସଭାପତି ବାପି ବେହେରା ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଚନ୍ଦ୍ରଧ୍ଵଜ ନାଗ ଓ ଟିକେମନ ଦୀପ ମଞ୍ଚ ପରିଚାଳନା କରିଥିବା ବେଳେ ଜଗନ୍ନାଥ ସୁନା ଧନ୍ୟବାଦ ଦେଇଥିଲେ ।