ଏକ୍ସପାୟାରି ସିରପ୍‌ ଖୋଳକୁ ନେଇ ଦ୍ୱନ୍ଦ୍ୱ

ଜଗତ୍‌ସିଂହପୁର ଅଫିସ, ୧୮।୧: ୫ ବର୍ଷରୁ କମ୍‌ ପିଲାଙ୍କ ପାଇଁ ଦିଆଯାଉଥିବା ଆଇରନ ଫୋଲିକ ସିରପ୍‌ ଖୋଳକୁ ନେଇ ଦ୍ୱନ୍ଦ୍ୱ ଉପୁଜିଛି। ଖୋଳ ଉପରେ ଥିବା ଷ୍ଟିକର ଉପରେ ଗୋଟିଏ ଏକ୍ସପାୟାରି ତାରିଖ ଏବଂ ଏହାକୁ ଚିରିଲା ପରେ ତା’ତଳେ ଅନ୍ୟ ଏକ ତାରିଖ ଉଲ୍ଲେଖ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜଗତ୍‌ସିଂହପୁର ବ୍ଲକ ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଯଶୋବନ୍ତପୁର ୧ ନମ୍ବର ୱାର୍ଡ ଓ ବଳରାମପୁର ପଞ୍ଚାୟତର ୧୫ ନମ୍ବର ୱାର୍ଡର କେତେଜଣ ବ୍ୟକ୍ତି ଏହି ସିରପ୍‌ ନେବାପରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହାପରେ ସେମାନଙ୍କଠାରୁ ଉକ୍ତ ସିରପ୍‌ ଫେରାଇ ଅଣାଯାଇଛି।

ଏ ସମ୍ପର୍କରେ ଯଶୋବନ୍ତପୁରର ଶାଶ୍ୱତ ରାୟ କହିଛନ୍ତି, ତାଙ୍କ ଘରେ ଆଶା ଦିଦି ଆଣି ଏହି ସିରପ୍‌ ଦେଇଥିଲେ। ଏହାର ଖୋଳରେ ଲାଗିଥିବା ଷ୍ଟିକରରେ ପ୍ରସ୍ତୁତ ତାରିଖ ଅଗଷ୍ଟ ୨୦୧୯ ଓ ଏକ୍ସପାୟାରି ଜୁଲାଇ ୨୦୨୧ ଉଲ୍ଲେଖ ରହିଛି। କିନ୍ତୁ ଏହାକୁ ଚିରିଲା ପରେ ସିରପ୍‌ର ଖୋଳ ଉପରେ ପ୍ରସ୍ତୁତ ତାରିଖ ଡିସେମ୍ବର ୨୦୧୮ ଓ ଏକ୍ସପାୟାରି ତାରିଖ ନଭେମ୍ବର ୨୦୨୦ ଦର୍ଶାଯାଇଛି। ଏ ବିଷୟରେ ଆଶା ଦିଦି ତଥା ଯଶୋବନ୍ତପୁର ଗାଁର କବିତା ପ୍ରଧାନ କହିଛନ୍ତି, ଏହି ସିରପ୍‌ ପିଲାଙ୍କୁ ବାଣ୍ଟିବା ପାଇଁ ତାଙ୍କୁ ଦିଆଯାଇଥିଲ। ସେ ସିରପ ଓ ଖୋଳ ଉପର କଭର ଦେଖି ନେଇଥିଲେ। ତା’ପରେ ୩ଟି ପିଲାଙ୍କୁ ୩ ବୋତଲ ଦେଇଥିଲେ। କିନ୍ତୁ ଷ୍ଟିକର ତଳେ ଅନ୍ୟ ଏକ ତାରିଖ ରହିବା କଥା ସେ ଜାଣନ୍ତି ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଅନୁରୂପ ଭାବେ ବଳରାମପୁର ପଞ୍ଚାୟତ ଅନ୍ତର୍ଗତ ୧୫ ନମ୍ବର ୱାର୍ଡରେ ମଧ୍ୟ ଏହି ସିରପ ଦିଆଯାଇଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।

ଏ ସମ୍ପର୍କରେ ମଣ୍ଡାସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ଚନ୍ଦ୍ରଦୀପ ବିଶ୍ୱାଳ ଭୟ କରିବାର କିଛି କାରଣ ନାହିଁ ବୋଲି କହିଛନ୍ତି। ସିରପ ବୋତଲ ଓ ଖୋଳ ଉପରେ ସମାନ ଏକ୍ସପାୟାରି ତାରିଖ ରହିଛି। ତେବେ ପୁରୁଣା ଖୋଳ ଉପରେ ନୂଆ ଏକ୍ସପାୟାରି ତାରିଖ ସଂଯୋଗ କରାଯାଇଥିବାରୁ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଏନେଇ ଜିଲା ମୁଖ୍ୟ ଚିକିତ୍ସାଳୟ ସହ ଯୋଗାଯୋଗ କରାଯାଇ ନୂଆ ସିରପ ମଗାଯିବା ବ୍ୟବସ୍ଥା କରାଯିବ।