ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବାରମ୍ବାର କହିଆସୁଛନ୍ତି। ହେଲେ ଭାରତ ତାହାକୁ ଅଗ୍ରାହ୍ୟ କରୁଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ ଆମେରିକାର ମଧ୍ୟସ୍ଥତାକୁ ସ୍ବୀକାର କରିଥିଲେ। ପ୍ରଥମେ ଏଚ୍୧ବି ଭିଜା ଓ ପରବର୍ତ୍ତୀ ସମୟରେ ବିଶେଷକରି ଟାରିଫ୍ ଯୋଗୁ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବିଗିଡ଼ିଯାଇଛି। ଏହାକୁ ଭାରତ ସଜାଡ଼ିବା ପରିବର୍ତ୍ତେ ଟ୍ରମ୍ପ୍ଙ୍କୁ କ୍ରୋଧିତ କଲା ଭଳି କିଛି କଥା ଏବେ ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର କହିବା ପରେ ସଦ୍ୟ ଚର୍ଚ୍ଚା ଦେଖାଦେଇଛି। ଏଠାରେ ମନେପକାଇ ଦିଆଯାଇପାରେ ଯେ, ଟ୍ରମ୍ପ୍ଙ୍କ ପ୍ରଥମ ୪ ବର୍ଷ ଶାସନ ଶେଷବେଳକୁ ଯେଉଁ ନିର୍ବାଚନ ହୋଇଥିଲା, ସେଥିରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ରହୁଥିବା ଭାରତୀୟଙ୍କୁ ଟେକ୍ସାସ୍ ରାଜ୍ୟର ହ୍ୟୁଷ୍ଟନ୍ଠାରେ ଏକ ସାଧାରଣ ସଭାରେ ‘ଅବ୍କି ବାର୍ ଟ୍ରମ୍ପ୍ ସରକାର’ କହି ପ୍ରଚାର ଆରମ୍ଭ କରିଥିଲେ। କୂଟନୀତିରେ ଏହା ଏକ ବିରାଟକାୟ ତ୍ରୁଟିପୂର୍ଣ୍ଣ ପଦକ୍ଷେପ ଥିଲା ବୋଲି ପରବର୍ତ୍ତୀ ସମୟରେ ବୁଝାପଡୁଛି।
ନିକଟରେ ନ୍ୟୁୟର୍କରେ ୮୧ତମ ଜାତିସଂଘ ସାଧାରଣ ସଭା (ୟୁଏନ୍ଜିଏ) ଅଧିବେଶନରେ ଯୋଗଦେବାକୁ ଯାଇଥିବା ବେଳେ ଏସିଆ ସୋସାଇଟିକୁ ସମ୍ବୋଧନ କରି ଜୟଶଙ୍କର ଦେଇଥିବା ମନ୍ତବ୍ୟ ବର୍ତ୍ତମାନ ଭାରତ ଓ ଆମେରିକା ସମ୍ପର୍କକୁ ଆହୁରି ତିକ୍ତ କରିପାରେ ବୋଲି ବିଦେଶୀ ଗଣମାଧ୍ୟମରେ ଆଲୋଚନା ହେଉଛି। ଆମେରିକାର ପୂର୍ବତନ କୂଟନୀତିଜ୍ଞ ଡାନିଏଲ ରସେଲଙ୍କ ସହ ଆଲୋଚନା କରି ଜୟଶଙ୍କର ଆମେରିକା, ପାକିସ୍ତାନ, ଚାଇନା ଏବଂ ବିଶ୍ୱ କୂଟନୀତିକୁ ନେଇ କେତେକ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ୱାଶିଂଟନ୍ର ଏକ ବ୍ୟାଖ୍ୟାନ ଥିଲା ଯେ, ଭାରତ ପାଖରେ ଅଧିକ ବିକଳ୍ପ ରହିବା ଉଚିତ ନୁହେଁ ଏବଂ କେବଳ ଆମେରିକା ଉପରେ ତା’ର ଧ୍ୟାନ କେନ୍ଦ୍ରିତ କରିବା ଦରକାର। କିନ୍ତୁ ଆମେରିକା ନିଜର ବିକଳ୍ପଗୁଡ଼ିକୁ ଖୋଲା ରଖୁଥିଲା। ବର୍ତ୍ତମାନ ଏହି ଛଳନା ଦୂର ହୋଇଛି ବୋଲି ଜୟଶଙ୍କର କହିଛନ୍ତି। ସେହିପରି ପାକିସ୍ତାନରୁ ଆତଙ୍କବାଦ କାର୍ଯ୍ୟ ଚାଲୁଥିଲେ ମଧ୍ୟ ଆମେରିକା ସେହି ଦିଗରେ ଉଚିତ ପଦକ୍ଷେପ ନେଉ ନାହିଁ ବୋଲି ଜୟଶଙ୍କର ମତ ଦେଇଛନ୍ତି। ଏହିସବୁ କାରଣ ଯୋଗୁ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବିଗିଡ଼ି ଯାଇଛି ବୋଲି ଜୟଶଙ୍କର କହିବା ଅନ୍ତର୍ଜାତୀୟ କୂଟନୀତିକୁ କିଭଳି ପ୍ରଭାବିତ କରିବ ତାହା ପରେ ଜଣାପଡ଼ିବ।
ଭାରତର ବହିର୍ବ୍ୟାପାର ମନ୍ତ୍ରୀ ଆମେରିକାରେ ଦୃଢ଼ ଭାବେ ନିଜ ମତ ରଖିବା ଠିକ୍ କଥା। କିନ୍ତୁ ଭାରତର ବହିର୍ବ୍ୟାପାର ନୀତିରେ ଅନେକ ସମୟରେ ଅସ୍ପଷ୍ଟତା ରହୁଥିବାରୁ ଜୟଶଙ୍କରଙ୍କ ଦୃଢ଼ୋକ୍ତି କେତେଦୂର ଓ କେତେ ସମୟଯାଏ ଟାଣ ହୋଇ ରହିବ, ତାହା ଗୁରୁତ୍ୱ ବହନ କରେ। ଏହା ଲେଖିବାର ପ୍ରଚ୍ଛଦପଟରେ ଜୟଶଙ୍କରଙ୍କ ଅନ୍ୟ ଦିଗକୁ ଦୃଷ୍ଟିରେ ରଖାଯାଇପାରେ। ଇଣ୍ଟରନେଟ୍ ଖୋଜିଲେ ଜଣାପଡ଼େ ଯେ ବହିର୍ବ୍ୟାପାର ମନ୍ତ୍ରୀ ଜୟଶଙ୍କରଙ୍କ ପୁତ୍ର ଧ୍ରୁବ ଜୟଶଙ୍କର କିଛି ବର୍ଷ ଧରି ଆମେରିକାରେ ରହୁଛନ୍ତି। ଓ୍ବାଶିଂଟନସ୍ଥିତ ଏକ ଥିଙ୍କ୍ଟ୍ୟାଙ୍କ୍ ଅବ୍ଜରଭର ରିସର୍ଚ୍ଚ ଫାଉଣ୍ଡେଶନ ଆମେରିକା (ଓଆର୍ଏଫ୍ ଆମେରିକା)ରେ ସେ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ମନେରଖିବାକୁ ହେବ ଯେ, ଥିଙ୍କ୍ଟ୍ୟାଙ୍କ କୌଣସି ବ୍ୟବସାୟିକ କମ୍ପାନୀ ନୁହେଁ, ଆମେରିକାରେ ଥିବା ଏଭଳି ଥିଙ୍କ୍ଟ୍ୟାଙ୍କ୍କୁ ବହୁ ଅଜଣା ମାଧ୍ୟମରୁ ପ୍ରବଳ ଅର୍ଥ ମିଳିଥାଏ। ଏହି ସଂସ୍ଥାଗୁଡ଼ିକର ମୁଖ୍ୟ ଦାୟିତ୍ୱ ହେଉଛି ଆମେରିକା ସରକାରକୁ ପୃଥିବୀର ବିଭିନ୍ନ ଦେଶ ସମ୍ପର୍କରେ ଗବେଷଣାଧର୍ମୀ ଗୋପନୀୟ ତଥ୍ୟ ଯୋଗାଇଦେବା। ପୁତ୍ର ଯେବେ ଯୋଗ୍ୟ ହେଲା ଦେଶକୁ କିଏ ବା ପଚାରେ। ଏଭଳି ସ୍ଥିତିକୁ ‘କନ୍ଫ୍ଲିକ୍ଟ ଅଫ୍ ଇଣ୍ଟ୍ରେଷ୍ଟ୍’ ବା ‘ସ୍ବାର୍ଥନିହିତ ଦ୍ୱନ୍ଦ୍ୱ’ କୁହାଯାଇଥାଏ। ଏମିତି ଦେଖିଲେ ଭାରତୀୟ ଅର୍ଥନୀତି ଭଲ ଅବସ୍ଥାରେ ନାହିଁ। ଟ୍ରମ୍ପ୍ଙ୍କ ‘ଆମେରିକା ଆଗ’ ନୀତି ଯୋଗୁ ଭାରତ ସେଠାରୁ ଯେଉଁ ସୁବିଧା ପାଉଥିଲା ତାହା ପ୍ରାୟ ବନ୍ଦ ହୋଇଗଲାଣି। କୂଟନୀତିରେ ସମ୍ପର୍କକୁ ସିଧାସଳଖ କ୍ଷତିରେ ପହଞ୍ଚତ୍ଲା ଭଳି ମନ୍ତବ୍ୟ ଦେବା ବୁଦ୍ଧିମାନର କାମ ନୁହେଁ। କାରଣ ଭାରତୀୟଙ୍କ ଦୃଷ୍ଟିକୋଣରୁ ଏଭଳି ଆଭିମୁଖ୍ୟ ଦେଶ ପାଇଁ ଆହୁରି କ୍ଷତିକାରକ ହେବା ସ୍ପଷ୍ଟ ଦିଶୁଛି। ନିକଟରେ ଏକଜିଦିଆ ଟ୍ରମ୍ପ୍ ଭାରତୀୟ ସାମଗ୍ରୀ ଉପରେ ୧୦୦% ଟାରିଫ୍ ବସାଇବା ନୀତିକୁ କଂଗ୍ରେସରେ ଗୃହୀତ କରାଇ ଦେଇଛନ୍ତି। ତାହା ଯେକୌଣସି ସମୟରେ ଲାଗୁ ହୋଇଯାଇପାରେ। ସେଭଳିସ୍ଥଳେ ଭାରତୀୟ ରପ୍ତାନି ଘୋର ବାଧାପ୍ରାପ୍ତ ହେବ। ଭୂରାଜନୈତିକ ସ୍ଥିତିକୁ ଦେଖିଲେ କୌଣସି ଏକ ସ୍ଥାନରେ ଯୁଦ୍ଧ, ବିବାଦ, ଏପରିକି ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଲେ ତାହାର ପ୍ରଭାବ ଅନ୍ୟ ରାଷ୍ଟ୍ର ଉପରେ ପଡ଼ୁଛି। ଏଭଳି ସ୍ଥଳେ ଆମେରିକା ଭଳି ରାଷ୍ଟ୍ର ସହ ବୁଝିବିଚାରି ସମ୍ପର୍କକୁ ଆଗେଇ ନିଆଯିବା ଦରକାର। ଯେହେତୁ ତା’ର ମୁଦ୍ରା ଡଲାର ବିଶ୍ୱରେ ଶକ୍ତିଶାଳୀ ରହିଛି, ତାହା ସହ ସିଧାସଳଖ ଶତ୍ରୁତା କରିବା ବୋକାମି। ଇରାନରେ ହର୍ମୁଜ ଜଳପଥ ଉପରେ ନିୟନ୍ତ୍ରଣ ରଖି ଆମେରିକା ଯେମିତି ବିଶ୍ୱବ୍ୟାପୀ ଶକ୍ତିସଙ୍କଟ ସୃଷ୍ଟି କରି ସବୁ ଦେଶକୁ କଲବଲ କରିପାରୁଛି, ସେହି ଦୃଷ୍ଟିରୁ ଦେଖିଲେ ଭାରତକୁ ବିଭିନ୍ନ ଦିଗରୁ ହଇରାଣ କରିପାରେ। ହୁଏତ ଏହାକୁ ଭାବିକରି ଭାରତର ଅନେକ ବୃହତ୍ ବ୍ୟବସାୟିକ ସଂସ୍ଥା ଆମେରିକାରେ ଶିଳ୍ପ ନିର୍ମାଣ କରିବାକୁ ଆରମ୍ଭ କଲେଣି। ଗତ ସପ୍ତାହରେ ଟ୍ରମ୍ପ୍ଙ୍କ ଘୋଷଣା ଅନୁଯାୟୀ ଭାରତର ଏସାର୍ କମ୍ପାନୀ ୧୮ ବିଲିୟନ ଡଲାର ଆମେରିକାରେ ନିବେଶ କରିବାକୁ ନିଷ୍ପତ୍ତି ନେଇଛି।
ଚାଇନା ଭଳି ରାଷ୍ଟ୍ର ଆମେରିକା ସହ ମାପିଚୁପି କଥାବାର୍ତ୍ତା କରୁଛି। ନୂଆଦିଲ୍ଲୀଠାରେ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବାକୁ ଆସିଥିବା ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗ୍ଙ୍କୁ ଦେଖି ଭାରତର ଶୀର୍ଷ ନେତାମାନେ ଭାବିନେଲେ ଯେ, ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ ହୋଇଗଲା। କିନ୍ତୁ ଏହି ସମ୍ମିଳନୀ ପରେ ଜିନ୍ପିଙ୍ଗ୍ ଆମେରିକା ଯାଇ ଟ୍ରମ୍ପ୍ଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ବଜାୟ ରଖି ଫେରିଲେ। ସ୍ବାଭାବିକ ଭାବେ ଭାରତର ନାମଗନ୍ଧ ରହିଲା ନାହିଁ। ଏଥିରୁ ଅନୁମାନ କରାଯିବା ଦରକାର ଯେ, କୂଟନୀତିକୁ ଏଭଳି ବ୍ୟବହାର କରାଯିବା ଉଚିତ; ଯେଉଁଥିରେ ନିଜ ରାଷ୍ଟ୍ରର ସ୍ବାର୍ଥ ଅଗ୍ରପ୍ରାଧାନ୍ୟ ପାଉଥିବ। କିନ୍ତୁ ଦୁଃଖର ବିଷୟ ଯେ ଭାରତ ଏବେକା ପରିସ୍ଥିତିରେ ତାହା କରିବାକୁ ଅସମର୍ଥ।