ପାଠକଙ୍କ ଘରୁ କାର୍‌, କାଗଜପତ୍ର ଜବତ କଲା ଇଡି

ଭୁବନେଶ୍ୱର,୫।୧୨(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଓ ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ଛନ୍ଦି ହୋଇଥିବା ପୂର୍ବତନ ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ବିବେକାନନ୍ଦ ମାର୍ଗସ୍ଥିତ ଘରେ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢ଼ାଉ କରିଥିଲା। ଶନିବାର ମଧ୍ୟ ଇଡି ଟିମ୍‌ ଅଭୟକାନ୍ତଙ୍କ ଘରକୁ ଯାଇ ପଚରାଉଚରା କରିବା ସହ କିଛି କାଗଜପତ୍ର ଓ ପୁଅ ଆକାଶଙ୍କ ନାମରେ ଥିବା କାର୍‌କୁ ଜବତ କରିଛି।
ଟାଟା କମ୍ପାନୀରେ ଚାକିରି କରାଇ ଦେବା ନାଁରେ ଠକେଇ ମାମଲାରେ ଗିରଫ ହୋଇ ଆକାଶ ଏବେ ଜେଲରେ ଅଛନ୍ତି। ତେବେ ଇଡିର ଏପରି ପଦକ୍ଷେପ ନେଇ ବାପା ଅଭୟକାନ୍ତ କହିଛନ୍ତି, ରାଜନୈତିକ ଚାପରେ ତାଙ୍କୁ ଓ ତାଙ୍କ ପୁଅକୁ ଫସାଇ ଦିଆଯାଇଛି। ପୁଅ ଟାଟାରେ ଚାକିରି କରିଥିଲେ। ଏପରିକି ସେ କମ୍ପାନୀର ଏମ୍‌ଡି ଥିଲେ। ଏହି ଚାକିରି ସମ୍ପର୍କିତ ଯାହା କାଗଜପତ୍ର ଥିଲା ସେସବୁକୁ ସେ ଇଡିକୁ ଦେଇଛନ୍ତି। ତାଙ୍କ ସହ ପୁଅର ସମ୍ପତ୍ତିକୁ ମିଶାଇ ବେଆଇନ ସମ୍ପତ୍ତି ବୋଲି କୁହାଯାଉଛି। ତେବେ ସରକାରୀ କାର୍ଯ୍ୟାଳୟରେ କାମ କରୁଥିବା କିରାଣିଙ୍କ ପାଖରେ ଅଭୟଙ୍କଠାରୁ ଅଧିକ ସମ୍ପତ୍ତି ରହିଥିବା ସେ କହିଥିଲେ। ଏପରକି ପ୍ରଦୀପ ପାଣିଗ୍ରାହୀଙ୍କ ସହିତ ଅଭୟ ବ୍ରହ୍ମପୁରରେ ଚାକିରି କରିଥିବାବେଳେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢି ଉଠିଥିଲା। ପ୍ରଦୀପ ସେତେବେଳେ ବିଧାୟକ ମଧ୍ୟ ହୋଇ ନ ଥିଲେ। ପ୍ରଦୀପଙ୍କ ଝିଅଙ୍କ ସହିତ ପୁଅ ଆକାଶଙ୍କର ବିବାହ ମଧ୍ୟ ସ୍ଥିର ହୋଇସାରିଥିଲା। ତେବେ ରାଜନୈତିକ ଚକ୍ରାନ୍ତ କରି ଆମ ସମସ୍ତଙ୍କୁ ଫସାଇ ଦିଆଯାଇଛି। ହେଲେ ଆଇନ ଉପରେ ଭରସା ରହିଛି ଓ ଆଗାମୀ ଦିନରେ ନ୍ୟାୟ ମିଳିବ ବୋଲି ଅଭୟ ଗଣମାଧ୍ୟମକୁ କହିଛନ୍ତି।