ଉଦାସୀନତା, ଅବହେଳାକୁ ନିନ୍ଦା

ଅନୁଗୋଳ ଅଫିସ, ୧୩ା୧୨: ଅନୁଗୋଳ ଜିଲାର ଦୀର୍ଘଦିନର ଦାବି ତାଳଚେର ମେଡିକାଲ କଲେଜକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା, ଜିଲା ମୁଖ୍ୟ ଚିକିତ୍ସାଳୟକୁ ସୁପର୍‌ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ମେଡିକାଲ କଲେଜକୁ ଉନ୍ନୀତ କରିବା, ପ୍ରଦୂଷଣ ବିଷବଳୟରେ ଜର୍ଜରିତ ଅନୁଗୋଳ ଜିଲାର ସମସ୍ତ ଘରୋଇ ଉପଭୋକ୍ତାଙ୍କୁ ଦେୟମୁକ୍ତ ବିଜୁଳି ଯୋଗାଇଦେବା, ଜିଲାରେ ପ୍ରତିଷ୍ଠିତ ଶିଳ୍ପ ଓ ଖଣିରେ ସମସ୍ତ ବେକାର ଯୁବତୀ ଓ ଯୁବକଙ୍କୁ ଅଗ୍ରାଧିକାର ଭିତ୍ତିିରେ ନିଯୁକ୍ତି ପ୍ରଦାନ କରିବା ସହ ପାସେଞ୍ଜର ଟ୍ରେନ୍‌ରେ ସ୍ପେସାଲ୍‌ ଯାତ୍ରୀଭଡା ଆଦାୟ ବନ୍ଦ କରିବା ଆଦି ଦାବିରେ ସୋମବାର ଅନୁଗୋଳ ଜିଲା ଜନଜୀବନ ସୁରକ୍ଷା କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶିକ୍ଷକପଡାସ୍ଥ ନବକୃଷ୍ଣ ଚୌଧୁରୀ ସ୍ମୃତି ପାଠାଗାର ଠାରେ ଅନୁଷ୍ଠିତ ହୋଇଯାଇଛି। କମିଟିର ଆବାହକ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଶିକ୍ଷାବିତ୍‌ ଅଭିମନ୍ୟୁ ସ୍ବାଇଁ, ବରିଷ୍ଠ ଆଇନଜୀବୀ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ରମେଶ ସାହୁ, ବ୍ରଜବନ୍ଧୁ ସାହୁ, ପଠାଣି ବାରିହା, ତୀର୍ଥବାସୀ ଭୋଇ, ଦାମୋଦର ଦାସ, ମାନସ ପାଳ, ତ୍ରିଲୋଚନ ଜେନା, ନିରୋଦ ପାଳ, ନିରୁପମା ପ୍ରଧାନ, ନବକିଶୋର ପ୍ରଧାନ, ବଳରାମ ବେହେରା, ଅଶୋକ କୁମାର ପ୍ରଧାନ ପ୍ରମୁଖ ଯୋଗଦେଇ ଅନୁଗୋଳ ଜିଲାର ଜନଜୀବନର ଜ୍ୱଳନ୍ତ ସମସ୍ୟାର ସମାଧାନ କ୍ଷେତ୍ରରେ ପ୍ରଶାସନିକ ଉଦାସୀନତା ଓ ଅବହେଳାକୁ ନିନ୍ଦା କରିଥିଲେ। ସମସ୍ୟାର ସମାଧାନ ଦାବିରେ ଶକ୍ତିଶାଳୀ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ଆସନ୍ତା ୨୧ ତାରିଖରେ ଏକ ଜିଲାସ୍ତରୀୟ ଆଲୋଚନା ସଭା ଆୟୋଜନ ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା।