ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ ଧାନ କିଣାବିକା ଚାଲିବ । ମାତ୍ର ବର୍ତ୍ତମାନ ସ୍ଥିତିକୁ ଦେଖିଲେ ଆଗକୁ ଧାନ ସଂଗ୍ରହ ପ୍ରକ୍ରିୟା ବିଗତବର୍ଷଠାରୁ ଅଧିକ ଜଟିଳ ହେବ ବୋଲି ଏବେଠାରୁ ଆଶଙ୍କା ପ୍ରକାଶ ପାଇଛି । ଜିଲାରେ ରହିଥିବା ରାଇସ୍‌ ମିଲ୍‌ ଗୁଡ଼ିକରୁ ଗତବର୍ଷ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାରେ ସଂଗୃହୀତ ଧାନର ପର୍ଯ୍ୟାପ୍ତ ପରିମାଣରେ ଚାଉଲକୁ ଏପର୍ଯ୍ୟନ୍ତ ଉଠାଯାଇ ପାରିନାହିଁ । ଏହା ସହିତ ଗତ ରବି ଧାନ ସଂଗ୍ରହ ପ୍ରକ୍ରିୟାର ଚାଉଳ ମଧ୍ୟ ମିଲର୍ସଙ୍କ ପାଖରେ ପଡ଼ି ରହିଛି । ଗୋଟିଏ ପଟେ ଖରିଫ୍‌ରେ ଜିଲାରେ ଅଧିକ ଧାନ ଉତ୍ପାଦନ ହେଉଥିବାବେଳେ ଅନ୍ୟପଟେ ମିଲର୍ସଙ୍କ ଗୋଦାମରେ ଏବେ ସୁଦ୍ଧା ବହୁ ପରିମାଣରେ ଚାଉଲ ଗଚ୍ଛିତ ରହିଛି । ବୁଧବାର ବରଗଡ଼ ଲୋକ ସଭା ଏମପି ଲୋକସଭାରେ ଏ ସମ୍ପର୍କୀତ ଉଠାଇଥିବା ପ୍ରଶ୍ନର ଉତ୍ତରରେ ଯେଭଳି ତଥ୍ୟ ଆସିଛି, ରାଇସ୍‌ ମିଲ୍‌ ଗୁଡ଼ିକରେ ଗଚ୍ଛିତ ଚାଉଳକୁ ତୁରନ୍ତ ଉଠା ନଗଲେ ଆସନ୍ତା ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଅସମ୍ଭାଳ ହୋଇପଡ଼ିବାର ସମ୍ଭାବନା ରହିଛି ।

ଜିଲାରେ ବିଗତ ୩ବର୍ଷର ଧାନ ସଂଗ୍ରହ ପ୍ରକ୍ରିୟାକୁ ଅନୁମୋଦନ କଲେ ଦିନକୁ ଦିନ ଜିଲାର ରାଇସ୍‌ ମିଲ୍‌ ଗୁଡ଼ିକରେ ଅର୍ଥାତ୍‌ ମିଲର୍ସଙ୍କ ପାଖରେ କଷ୍ଟମ ଚାଉଳ ଅଧିକ ପରିମାଣରେ ପଡ଼ି ରହୁଛି। ଏପରିକି ରାଜ୍ୟରେ ସରକାର ବଦଳିବା ପରେ ଏହି ସମସ୍ୟା ହୋଇଛି। ମିଳିଥିବା ତଥ୍ୟ ଅନୁଯାୟୀ, ଗତ ୨୦୨୩-୨୪ବର୍ଷରେ ଜିଲାରୁ ୧୨ଲକ୍ଷ ୮୨ହଜାର ୬୬୭ଟନ୍‌ ଧାନ ଅର୍ଥାତ୍‌ ଖରିଫ୍‌ରେ ୭ଲକ୍ଷ ୮୩ହଜାର ୧୪୮ ଟନ୍‌ ଓ ରବିରେ ୪ଲକ୍ଷ ୯୯ହଜାର ୫୧୯ଟନ୍‌ ଧାନ ସଂଗୃହୀତ ହୋଇଥିଲା। ସେହି ଧାନସବୁକୁ ଜିଲାର ମିଲର୍ସଙ୍କ ମଧ୍ୟରେ ଆବଣ୍ଟନ କରାଯାଇଥିଲା। ଏହି କ୍ରମରେ ଖରିଫ୍‌ ଧାନ ବାବଦକୁ ୫ଲକ୍ଷ ୩୨ହଜାର ୫୨୫ ଏବଂ ରବି ଧାନ ବାବଦକୁ ୩ଲକ୍ଷ ୩୯ହଜାର ୬୭୩ ଟନ୍‌ ଚାଉଳ ଅର୍ଥାତ୍‌ ମୋଟ୍‌ ୮ଲକ୍ଷ ୭୨ହଜାର ୧୯୮ ଟନ୍‌ ଚାଉଳ ମିଲର୍ସଙ୍କଠାରୁ ଉଠାଇବା କଥା। ସେହିବର୍ଷ ମିଲର୍ସମାନେ ଶତ ପ୍ରତିଶତ ଚାଉଳ ମଧ୍ୟ ଆରଆରସି ଏବଂ ଏଫସିଆଇ ପାଖରେ ଜମା ଦେଇଥିଲେ।

ମାତ୍ର ୨୦୨୪-୨୫ବର୍ଷରୁ ମିଲର୍ସଙ୍କଠାରୁ ଆଉ ସେଭଳି ଶତ ପ୍ରତିଶତ ଚାଉଳ ଉଠାଯାଇ ପାରି ନାହିଁ । ଏହି ବର୍ଷ ଖରିଫ୍‌ରେ ୫ଲକ୍ଷ ୩୯ହଜାର ୭୫୯ ଏବଂ ରବିରେ ୪ଲକ୍ଷ ୨୫ହଜାର ୮୮୬ ଟନ୍‌ ଚାଉଲ ଅର୍ଥାତ୍‌ ମୋଟ୍‌ ୯ଲକ୍ଷ ୬୫ହଜାର ୬୪୫ ଟନ୍‌ ଚାଉଳ ମିଲର୍ସମାନେ ଜମା ଦେବା କଥା। ହେଲେ ଏପର୍ଯ୍ୟନ୍ତ ମିଲର୍ସଙ୍କଠାରୁ ସେହିବର୍ଷର ୯୮ପ୍ରତିଶତ ଅର୍ଥାତ୍‌ ୯ଲକ୍ଷ ୫୩ହଜାର ୯୭ଟନ୍‌ ଚାଉଳ ଉଠାଯାଇଛି। ସେହିପରି ୨୦୨୫-୨୬ ଖରିଫ୍‌ରୁ ଏହି ସମସ୍ୟା ଆହୁରି ଜଟିଳ ହୋଇ ପଡ଼ିଛି। ମିଲର୍ସମାନଙ୍କଠାରୁ ମାତ୍ର ୨୪ପ୍ରତିଶତ ଚାଉଳ ଉଠାଯାଇଛି। ସେହି ଖରିଫ୍‌ରେ ମିଲର୍ସମାନେ ୭ଲକ୍ଷ ୭୩ହଜାର ୫୬୩ଟନ୍‌ ଚାଉଳ ନେଇଥିଲେ। ଏ ବାବଦକୁ ମିଲର୍ସମାନେ ୫ଲକ୍ଷ ୨୫ହଜାର ୮୫୧ଟନ୍‌ ଚାଉଳ ଜମା ଦେବା କଥା। କିନ୍ତୁ ସେମାନଙ୍କ ପାଖରୁ ଏପର୍ଯ୍ୟନ୍ତ ମାତ୍ର ୧ଲକ୍ଷ ୨୪ହଜାର ୬୫୩ଟନ୍‌ ଚାଉଳ ଉଠାଯାଇଛି ଏବଂ ବାକି ୪ଲକ୍ଷ ୧ହଜାର ୧୯୮ଟନ୍‌ ଚାଉଳ ମିଲର୍ସଙ୍କ ଗୋଦାମରେ ପଡ଼ି ରହିଛି। ଏହା ସହିତ ୨୦୨୫-୨୬ ଖରିଫ୍‌ରେ ମିଲର୍ସମାନେ ୫ଲକ୍ଷ ୮୨ହଜାର ୭୩୬ ଟନ୍‌ ଧାନ ନେଇଥିବାବେଳ ସେମାନଙ୍କଠାରୁ କଷ୍ଟମ ମିଲିଂ ଭିତ୍ତିରେ ୩ଲକ୍ଷ ୯୫ହଜାର ୮୬୬ଟନ୍‌ ଚାଉଳ ସଂଗ୍ରହ କରାଯିବ। ଏହି କ୍ରମରେ ପୂର୍ବର ବକେୟା ୨ପ୍ରତିଶତ ସମେତ ୨୦୨୫-୨୬ବର୍ଷ ଖରିଫ୍‌ର ୭୬ପ୍ରତିଶତ ଏବଂ ରବିର ଶତ ପ୍ରତିଶତ ଚାଉଳ ମିଲର୍ସଙ୍କଠାରୁ ଉଠାଇବା ବାକି ରହିଛି। ଆସନ୍ତା ଖରିଫ୍‌ ପୂର୍ବରୁ ସେସବୁକୁ ଉଠାଯାଇ ନ ପାରିଲେ, ଆସନ୍ତା ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ ଅଚଳାବସ୍ଥା ସ୍ଥିତି ଉପୁଜିବ ଏବଂ ଚାଷୀମାନେ ହିଁ ଧାନବିକ୍ରି ସମସ୍ୟାର ସମ୍ମୁଖୀନ ହେବାର ଯଥେଷ୍ଟ ଆଶଙ୍କା ରହିଛି।

 

Dharitri – Odisha’s No.1 Odia Daily