କରୋନାର ତୃତୀୟ ଲହରକୁ ନେଇ ଚିନ୍ତା: ସତର୍କ ରହିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୨୮।୧୧(ବ୍ୟୁରୋ): କୋଭିଡ-୧୯ ର ସମ୍ଭାବ୍ୟ ତୃତୀୟ ଲହର ପାଇଁ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲାର ଜିଲାପାଳ, ଏସ.ପି. ଏବଂ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ମୁଖ୍ୟ ଶାସନ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଏବେ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ଆରମ୍ଭ ହୋଇଛି। ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ତେଣୁ ଏହି ସମୟରେ ସମ୍ଭାବ୍ୟ ତୃତୀୟ ଲହରର ପ୍ରଭାବ ରୋକିବା ନିମନ୍ତେ ଆମକୁ ଅଧିକ ସତର୍କ, ସଜାଗ ଓ କ୍ରିୟାଶୀଳ ହେବାକୁ ପଡ଼ିବ। ମଣ୍ଡଳ ଉନ୍ନୟନ ଅଧିକାରୀ, ସରପଂଚ, ୱାର୍ଡମେମ୍ବର, ଅଙ୍ଗନାବାଡ଼ି କର୍ମୀ, ଗ୍ରାମ ଓ ପଞ୍ଚାୟତ ସ୍ତରୀୟ ସରକାରୀ କର୍ମଚାରୀ ଏବଂ ସ୍ବେଚ୍ଛାସେବୀ ମାନଙ୍କ ମାଧ୍ୟମରେ ସବୁ ଅଞ୍ଚଳର ବାସ୍ତବ ସ୍ଥିତି ବିଷୟରେ ସଠିକ ସୂଚନା ସଂଗ୍ରହ ସହ କୌଣସି ସ୍ଥାନରେ କୋଭିଡ ସଂକ୍ରମଣ ଜଣାପଡ଼ିବା ମାତ୍ରେ ଲକ୍ଷଣ ପ୍ରକାଶ ପାଇବାମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହାଛଡ଼ା ଘରକୁ ଘର ଅଭିଯାନ ମାଧ୍ୟମରେ କୋଭିଡ ଟିକାକରଣକୁ ଅଧିକ ତ୍ୱରାନୱିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।
କୋଭିଡ ନିରାକରଣ ବ୍ୟବହାର ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଏବଂ ସାନିଟାଇଜର ବ୍ୟବହାର ଆଦିକୁ କଡାକଡି ଭାବେ ପ୍ରବର୍ତ୍ତନ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ଜୋରିମାନା ଆଦାୟ ଆଦିକୁ ଅଧିକ ସଘନ ଓ ବ୍ୟାପକ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ ।