ବସ୍‌ ଚଳାଚଳ ବନ୍ଦ ପରେ ବଢ଼ିଲା ଚିନ୍ତା

ଭୁବନେଶ୍ୱର,୬ା୫(ବ୍ୟୁରୋ):କରୋନାର ପ୍ରଥମ ଲହର ପରେ ଯାତ୍ରୀ ଅଭାବ ସାଙ୍ଗକୁ ଦ୍ୱିତୀୟ ଲହରଜନିତ ଲକ୍‌ଡାଉନ ଘରୋଇ ବସ୍‌ ସେବାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିଛି। ସେହିପରି ବୁଧବାରଠାରୁ ସାରା ରାଜ୍ୟରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଥିବାରୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଫଳରେ ବସ୍‌ ମାଲିକ ଏବଂ ଏହା ଉପରେ ନିର୍ଭର କରୁଥିବା ପ୍ରାୟ ୪୨ ହଜାର କର୍ମଚାରୀଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ବସ୍‌ ଚାଲୁ ନ ଥିବାରୁ ୩ ମାସର ଟିକସ ଛାଡ଼ କରିବା, ଋଣ କିସ୍ତି ଘୁଞ୍ଚାଇବା, ବୀମା ୩ ମାସ ଯାଏ ଘୁଞ୍ଚାଇବାକୁ ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ଦାବି କରାଯାଇଛି। ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି, କରୋନା ଯୋଗୁ ବସ୍‌ ମାଲିକମାନେ ବହୁମାତ୍ରାରେ କ୍ଷତିଗ୍ରସ୍ତ ହୋଇଛନ୍ତି। ରାଜ୍ୟ ସରକାର ଏପ୍ରିଲ, ମେ, ଜୁନ୍‌ ୩ ମାସ ଯାଏ ଟିକସ ଛାଡ଼ କରିବା ସହ ଋଣ ବାବଦରେ ଦିଆଯାଉଥିବା କିସ୍ତିକୁ ମଧ୍ୟ ୩ ମାସ ଛାଡ଼ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଅପରପକ୍ଷରେ ରାଜ୍ୟ ସରକାର ଗତବର୍ଷ ବସ୍‌ଗୁଡ଼ିକ ଉପରୁ ୩ ମାସର ଟିକସ ଛାଡ଼ କରିଥିଲେ। ଚଳିତ ବର୍ଷ ମଧ୍ୟ ଟିକସ ଛାଡ଼ କରିବା ନେଇ ସରକାର ବିଚାର କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଏ ନେଇ ଘୋଷଣା କରାଯିବ ବୋଲି ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
ପ୍ରକାଶ ଯେ, ରାଜ୍ୟରେ ୧୪ ହଜାର ବସ୍‌ ଚଳାଚଳ କରୁଛି। ଏହା ବନ୍ଦ ହେବାରୁ ଏହା ନିର୍ଭର କରୁଥିବା କର୍ମଚାରୀ ଜୀବିକା ହରାଇ ଦୟନୀୟ ପରିସ୍ଥିତି ଦେଇ ଗତି କରୁଛନ୍ତି। ୨୦୨୦ ଜୁନ୍‌ ମାସ ପରେ ଯଦିଓ ଲକ୍‌ଡାଉନ କୋହଳ କରାଯାଇଥିଲା ଏହା ସତ୍ତ୍ୱେ ରାଜ୍ୟରେ ବସ୍‌ ଚଳାଚଳ ସ୍ବାଭାବିକ ହୋଇପାରି ନ ଥିଲା। କୋଭିଡ୍‌-୧୯ ସଂକ୍ରମଣ ଭୟରେ ଯାତ୍ରୀ ପରିବହନ ବହୁ ମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା। ଫଳରେ ବସ୍‌ ଖର୍ଚ୍ଚ ଉଠାଇବା ମାଲିକମାନଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ଅଣ୍ଟା ସଳଖି ଛିଡ଼ାହେବା ବେଳକୁ ଚଳିତ ବର୍ଷ ପୁଣି କରୋନାର ଦ୍ୱିତୀୟ ଲହର ପରିସ୍ଥିତିକୁ ଆହୁରି ବିଗାଡ଼ି ଦେଇଛି। ମେ’ ୫ ତାରିଖରୁ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଥିବାରୁ କର୍ମଚାରୀମାନଙ୍କୁ ଦରମା ଦେବା, ଗାଡ଼ିର ବୀମା ଓ ଋଣ କିସ୍ତି ଶୁଝିବା ନେଇ ମାଲିକମାନଙ୍କ ପକ୍ଷେ ବଡ଼ ସମସ୍ୟା ସୃଷ୍ଟି ହୋଇଛି।