ଋଣରେ ଓଡ଼ିଶା ତଳଆଡୁ ୧ ନମ୍ବର: ମନ୍ତ୍ରୀ

ଭୁବନେଶ୍ୱର,୧୪ା୩(ବ୍ୟୁରୋ):ରାଜ୍ୟରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ମୁଣ୍ଡପିଛା ଋଣଭାର ୨୨,୦୪୨ ଟଙ୍କା ରହିଥିବା ବେଳେ ମୁଣ୍ଡପିଛା ଆୟ ରହିଛି ୧ ଲକ୍ଷ ୨୮ ହଜାର ୮୭୩ ଟଙ୍କା। ୧୯୯୯-୨୦୦୦ ବେଳକୁ ମୁଣ୍ଡପିଛା ଋଣ ୪,୯୧୮ ଥିବା ବେଳେ ଆୟ ଥିଲା ୧୩,୦୧୨ ଟଙ୍କା। ବର୍ତ୍ତମାନ ମୁଣ୍ଡପିଛା ଆୟ ୫.୮ ଗୁଣ ରହିଛି। ରାଜ୍ୟ ସରକାର ବିତ୍ତୀୟ ଓ ବଜେଟ ପରିଚାଳନା ଆଇନ-୨୦୦୫କୁ ସଂଶୋଧନ କରି ବିଭିନ୍ନ ଯୋଜନା ବାବଦକୁ ୧୩୯.୩୬ କୋଟି ଟଙ୍କା ଋଣ ପରିଶୋଧରୁ ପାଇଛନ୍ତି। ୨୦୨୧-୨୨ ସୁଦ୍ଧା ରାଜ୍ୟର ଋଣଭାର ୯୭୨୦୪.୯୭ କୋଟି, ଯାହାକି ସାମଗ୍ରିକ ଘରୋଇ ଉତ୍ପାଦର ୧୪.୭% ରହିଛି। କଂଗ୍ରେସ ସଭ୍ୟ ତାରା ବାହିନୀପତିଙ୍କ ମୂଳ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି। ବିଜେଡି ସଭ୍ୟ ଦେବୀ ମିଶ୍ର, ଭାଜପା ସଭ୍ୟ ଗଣେଶ ରାମ ଖୁଣ୍ଟିଆ ଓ ମୁକେଶ ମହାଲିଙ୍ଗ ରାଜ୍ୟର ଋଣଭାର ବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ମୁଣ୍ଡପିଛା ଆୟ କାହାକୁ ଭିତ୍ତିକରି ମପାଯାଏ। ଯଦି ଋଣ ନାହିଁ, ତେବେ ବିଭିନ୍ନ ବିଭାଗରେ ପଦବୀ କାହିଁକି ଖାଲି ପଡ଼ିଛି। ମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ଋଣ କରିବାରେ ତଳ ଆଡ଼ୁ ପ୍ରଥମ। ଅର୍ଥାତ୍‌ ଓଡ଼ିଶା ଋଣ କରିବାରେ ୨୮ତମ ସ୍ଥାନରେ ରହିଛି। ଏଫ୍‌ଆର୍‌ବିଏମ୍‌ ଅନୁଯାୟୀ ରାଜ୍ୟର ସାମଗ୍ରିକ ଉତ୍ପାଦ (ଜିଏସ୍‌ଡିପି)ର ୨୫% ଯାଏ ଋଣ କରାଯାଇ ପାରିବ। ବିକାଶ ପାଇଁ ଋଣର ଆବଶ୍ୟକତା ରହିଛି। ଅଧିକ ସୁଧ ଥିବା ଋଣ ସରକାର କରୁନାହାନ୍ତି। ୨୦୦୦ ପୂର୍ବରୁ ସରକାର ୩୬୪ ଦିନ ଓଭର ଡ୍ରାଫ୍ଟ କରୁଥିଲେ। ଆଜି ସେ ଅବସ୍ଥା ନାହି। ଜିଏସ୍‌ଡିପି ଆଧାରରେ କୃଷି, ଭିତ୍ତିଭୂମି ଓ ସେବା କ୍ଷେତ୍ରକୁ ନେଇ ମୁଣ୍ଡପିଛା ଆୟ ଧାର୍ଯ୍ୟ କରାଯାଏ।