କାରିଗରଙ୍କୁ ଘାରିଛି ମୂର୍ତ୍ତି ବିକ୍ରି ଚିନ୍ତା

ଖୋର୍ଦ୍ଧା ଅଫିସ,୨୧।୮: ଖୋର୍ଦ୍ଧା ଜିଲାର ଜଟଣୀରେ ପ୍ରତିବର୍ଷ ଗଣେଶ ପୂଜା ଧୁମ୍‌ଧାମ୍‌ରେ ପାଳନ କରାଯାଇଥାଏ। ୧୨ଦିନ ଧରି ଏଠାରେ ୨ଶହରୁ ଊର୍ଦ୍ଧ୍ୱ ଛୋଟ ବଡ ମଣ୍ଡପରେ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ବଜାର କମିଟି ଏବଂ ସଙ୍ଗଠନ ପକ୍ଷରୁ ଗଣେଶ ପୂଜା ପାଳନ ହୋଇଥାଏ। ତେବେ ଏଥର କରୋନା ଯୋଗୁ ସାର୍ବଜନୀନ ମଣ୍ଡପରେ ପୂଜା ବନ୍ଦ ଲାଗି ଜିଲା ପ୍ରଶାସନ ନିର୍ଦ୍ଦେଶ ଜାରି କରିଛନ୍ତି। ଫଳରେ ସବୁଠି ନିରାଶା ଭାବ ଛାଇଯାଇଛି। ଏଇ ସମୟରେ ବେଶ୍‌ ଭଲ ଦି’ ପଇସା ରୋଜଗାର କରୁଥିବା ମୂର୍ତ୍ତି କାରିଗରମାନେ ନିଜ ବୃତ୍ତିକୁ ନେଇ ଚିନ୍ତାରେ ପଡ଼ିଛନ୍ତି। ସେମାନେ ବହୁ ପରିଶ୍ରମ କରି ଗଢିଥିବା ଗଣେଶ ମୂର୍ତ୍ତି ସବୁ କ’ଣ କରିବେ ଏବଂ ପରିବାର କିପରି ଚଳାଇବେ ସେଇ ଚିନ୍ତା ସେମାନଙ୍କୁ ଘାରିଛି।
ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ମୂର୍ତ୍ତି କାରିଗରମାନେ ପ୍ରାୟ ୩ମାସ ପୂର୍ବରୁ ଆବଶ୍ୟକ ସାମଗ୍ରୀ ସଂଗ୍ରହ କରି ମୂର୍ତ୍ତି ଗଢିବାରେ ଲାଗିପଡ଼ିଥିଲେ। ଏଥର ଗଣେଶ ପୂଜାରେ ଆଶାଜନକ ରୋଜଗାର କରିବେ ବୋଲି ଆଶା ବାନ୍ଧିଥିଲେ। ମାତ୍ର ପ୍ରଶାସନର କଟକଣା ପରେ ସମସ୍ତଙ୍କ ମନ ଫିକା ପଡ଼ିଛି। ବିଶେଷକରି ନଡ଼ାରେ ବଡ ବଡ଼ ମୂତ୍ତି ଗଢି ବିଭିନ୍ନ ଅନୁଷ୍ଠାନକୁ ଯୋଗାଉଥିବା କାରଗର ଅଧିକ ନିରାଶ ହୋଇଛନ୍ତି। କାରିଗର ସୁକାନ୍ତ ବେହେରା କହିଛନ୍ତି, ଏଥର ଅନେକ ମୂର୍ତ୍ତି ଗଢିଥିଲି। ଭାବିଥିଲି ହାତକୁ ଦି’ ପଇସା ଆସିବ, ମୋ ପରିବାର କିଛିଦିନ ଭଲରେ ଚଳିଯିବ। କିନ୍ତୁ ଏବେ ସବୁ ଆଶା ମଉଳିଗଲା। ସେହିପରି ଚନ୍ଦ୍ରକାନ୍ତ ବେହେରା କହିଛନ୍ତି, କେତୋଟି ଅନୁଷ୍ଠାନରୁ ବଡ ମୂର୍ତ୍ତି ପାଇଁ ଅର୍ଡର ପାଇଥିଲି। ମାତ୍ର ଏବେ ସବୁ ବେକାର ହୋଇଗଲା। ଏଭଳି ସମୟରେ ଆମ ପରି ଗରିବ କାରିଗରମାନଙ୍କୁ ପ୍ରଶାସନ ସହାୟତା ଯୋଗାଇଦେବା ଦରକାର। ଅନ୍ୟପକ୍ଷରେ ଏ ନେଇ ଜିଲାପାଳ ସନତ ମହାନ୍ତିଙ୍କୁ ପଚାରିବାରେ କହିଛନ୍ତି, କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପୂଜା ବନ୍ଦ ଲାଗି ନିଷ୍ପତ୍ତି ହୋଇଛି। ସେହିପରି ଦୁଃସ୍ଥ କାରିଗରଙ୍କୁ ସରକାରୀ ସହାୟତା ଦେବା ନେଇ କୌଣସି ଅଭିଯୋଗ କିମ୍ବା ଆବେଦନ ଆସିଲେ ତା’ ଉପରେ ବିଚାର କରାଯିବ।