Categories: ବାଣିଜ୍ୟ

ଚିନ୍ତା ବଢାଇଲାଣି ତେଳ ଦର; ଜାଣନ୍ତୁ ଦର ବୃଦ୍ଧିର କାରଣ

ନୂଆଦିଲ୍ଲୀ,୨୫।୬: ଘରୋଇ ବଜାରରେ ପ୍ରଥମ ଥର ପାଇଁ ପେଟ୍ରୋଲଠାରୁ ଡିଜେଲର ଦର ମହଙ୍ଗା ହୋଇଛି। ବୁଧବାର ଡିଜେଲ ଉପରେ ଲିଟର ପିଛା ଦର ୪୮ ପଇସା ବୃଦ୍ଧି ପାଇଛି। ସେହି ହିସାବରେ ପୂର୍ବ ତୁଳନାରେ ପେଟ୍ରୋଲ ଦର ମଧ୍ୟ ସ୍ଥିର ରହିଛି। ବର୍ତ୍ତମାନ ଡିଜେଲ ଦର କ୍ରମାଗତ ଭାବେ ବୃଦ୍ଧି ପାଇବା ଫଳରେ ଲିଟର ପିଛା ୧୦.୫୦ ଟଙ୍କା ବଢିଛି। ଏହାର ପ୍ରଭାବ ତୈଳ ବଜାର ଉପରେ ପଡୁଛି। ଏହି ଦର ବୃଦ୍ଧି ଫଳରେ ବୁଧବାର ନୂଆଦିଲ୍ଲୀରେ ପେଟ୍ରୋଲ ଦର ଅପରିବର୍ତ୍ତିତ ୭୯.୭୬ ଟଙ୍କା ଥିବା ବେଳେ ଡିଜେଲ ଦର ୭୯.୪୦ ଟଙ୍କାରୁ ବୃଦ୍ଧି ହୋଇ ୭୯.୮୮ ଟଙ୍କାରେ ପହଞ୍ଚତ୍ଛି। ଗତ ୧୮ଦିନ ମଧ୍ୟରେ ଦିଲ୍ଲୀରେ ପେଟ୍ରୋଲ ଉପରେ ଲିଟର ପିଛା ୯.୪୧ ଟଙ୍କା ଏବଂ ଡିଜେଲ ଉପରେ ୯.୫୮ ଟଙ୍କା ବଢିଛି। ସେହିଭଳି ଭୁବନେଶ୍ୱରର ପେଟ୍ରୋଲ ଲିଟର ପିଛା ୮୦.୩୧ ଟଙ୍କା ଓ ଡିଜେଲ ଲିଟର ପିଛା ୭୮.୦୪ ଟଙ୍କା ଛୁଇଁଛି। ଦେଶର କରୋନା ସଂକ୍ରମଣ ସମୟରେ କ୍ରମାଗତ ତେଲ ଦର ବୃଦ୍ଧି ସବୁ ବର୍ଗର ଗ୍ରାହକଙ୍କୁ ଚିନ୍ତାରେ ପକାଇଛି। ଗତ ୧୮ ଦିନ ମଧ୍ୟରେ ତେଲ ଦର ବୃଦ୍ଧି ପାଇ ଚାଲିଛି। ଅନ୍ତର୍ଜାତୀୟ ତୈଳ ବଜାରର ଦର ହ୍ରାସ ନ ହେବା ପର୍ଯ୍ୟନ୍ତ ତେଲ ଦର ବୃଦ୍ଧିରେ ରୋକ ଲାଗିବା ଅସମ୍ଭବ ବୋଲି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡିକ ସ୍ପଷ୍ଟ କରିଛନ୍ତି। କମ୍ପାନୀଗୁଡିକ ପକ୍ଷରୁ କୁହାଯାଇଛି ଯେ, ସରକାରଙ୍କ ପକ୍ଷରୁ ଲାଗୁ ହେଉଥିବା ବିଭିନ୍ନ ଶୁଳ୍କ ଯୋଗୁ ତେଲ ଦର ବୃଦ୍ଧି ହେଉଛି। ଚଳିତ ମାସ ଜୁନ ୭ ରୁ ଆଜି ପର୍ଯ୍ୟନ୍ତ (ବୁଧବାର) ଦେଶର ତେଲ ଦରରେ ବିରତି ଲାଗୁ ନାହିଁ। ଏହି ସମୟ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୮.୫୦ ଟଙ୍କା ଏବଂ ଡିଜେଲ ୧୦.୫୦ ଟଙ୍କା ବଢିଥିବା ଜଣାପଡିଛି।

Share