ଚାଷୀଙ୍କୁ ଚିନ୍ତା: ୧୦,୯୬୨ ହେକ୍ଟର ଫସଲ ନଷ୍ଟ

ଖୋର୍ଦ୍ଧା ଅଫିସ,୨୫ା୮: ଖୋର୍ଦ୍ଧା ବ୍ଲକର ନରଣଗଡ଼, ଓରବରସିଂ, ବ୍ରଜମୋହନପୁର ପଞ୍ଚାୟତର ୧୭ ଗାଁ ଏବେ ବି ବନ୍ୟାପାଣି ଘେରରେ ରହିଛି। ଜଳସ୍ତର କମୁଛି ହେଲେ ଲୋକଙ୍କ ଦୁର୍ଦ୍ଦଶା ଥମୁନି। ଏକର ଏକର ଚାଷଜମି ବୁଡ଼ି ରହିଛି। ମୌସୁମୀ ପ୍ରବେଶରେ ବିଳମ୍ବ, ସ୍ବଳ୍ପବୃଷ୍ଟି, ଲଘୁଚାପ ବର୍ଷା ପରେ ବନ୍ୟାପାଣି ଚାଷୀଙ୍କୁ ଚିନ୍ତା ଘାରିଛି। ହଜାର ହଜାର ହେକ୍ଟର ଜମିରେ ବନ୍ୟାଜଳ ମାଡ଼ି ଧାନ ଫସଲ ଉଜୁଡିଯାଇଛି। ଗତବର୍ଷ ମଧ୍ୟ ଏହି ସମୟରେ ଚାଷୀ ଲଘୁଚାପ ବର୍ଷାରେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚଳିତବର୍ଷ ସମାନ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ବୁଧବାର ସୁଦ୍ଧା ହୋଇଥିବା ବର୍ଷାରେ ଜିଲା କୃଷି ବିଭାଗ ଆକଳନ ଅନୁସାରେ ଜିଲାର ୧୦ଟି ବ୍ଲକର ୮୨ ପଞ୍ଚାୟତର ୨୪୩ ଗାଁର ପ୍ରାୟ ୧୦ହଜାର ୯୬୨ ହେକ୍ଟର ଫସଲ ନଷ୍ଟ ହୋଇଛି। ସେଥିରେ ୧୦,୬୫୦ ହେକ୍ଟର ଧାନ ଏବଂ ୩୧୨ ହେକ୍ଟର ଅଣଧାନ (ପନିପରିବା) ରହିଛି। ଖୋର୍ଦ୍ଧା ବ୍ଲକ ୧୨ ପଞ୍ଚାୟତର ୪୨ ଗ୍ରାମର ୨୨୬୮ ହେକ୍ଟର ଧାନ ଏବଂ ୪୦ ହେକ୍ଟର ପନିପରିବା ନଷ୍ଟ ହୋଇଛି। ସେହିପରି ବେଗୁନିଆ ବ୍ଲକ ୨୧ ପଞ୍ଚାୟତର ୪୫ ଗାଁର ୧୭୩୧ ହେକ୍ଟର ଧାନ, ବୋଲଗଡ଼ ବ୍ଲକ ଗୋଟିଏ ପଞ୍ଚାୟତର ୩ ଗାଁର ୭ ହେକ୍ଟର, ଟାଙ୍ଗୀ ବ୍ଲକ ୬ ପଞ୍ଚାୟତର ୨୪ଟି ଗ୍ରାମର ୬୬୫ ହେକ୍ଟର ଧାନ ଓ ୫୦ ହେକ୍ଟର ପରିବା, ବାଣପୁର ବ୍ଲକ ଗୋଟିଏ ପଞ୍ଚାୟତର ୪ ଗ୍ରାମର ୧୬ ହେକ୍ଟର ଧାନ, ଭୁବନେଶ୍ୱର ବ୍ଲକର ୬ଟି ପଞ୍ଚାୟତର ୨୧ ଗାଁର ୮୪୪ ହେକ୍ଟର ଧାନ ଓ ୪୯ ହେକ୍ଟର ପରିବା, ଜଟଣୀ ବ୍ଲକ ୬ ପଞ୍ଚାୟତର ୩୪ଟି ଗାଁର ୧୫ଶହ ହେକ୍ଟର ଧାନ, ବାଲିଅନ୍ତା ବ୍ଲକ ୧୬ ପଞ୍ଚାୟତର ୨୮ ଗାଁର ୧୪୦୨ ହେକ୍ଟର ଧାନ ଓ ୨୭ ହେକ୍ଟର ପରିବା କ୍ଷତିଗ୍ରସ୍ତ ହୋଇଥିବା ବେଳେ ବାଲିପାଟଣା ବ୍ଲକ ୧୩ ପଞ୍ଚାୟତର ୪୨ ଗାଁର ୨୨୧୭ ହେକ୍ଟର ଧାନ ଓ ୧୪୬ ହେକ୍ଟର ପରିବା ଚାଷ କ୍ଷତିଗ୍ରସ୍ତ ହୋଇଥିବା ଜିଲା ମୁଖ୍ୟ କୃଷି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଆଗାମୀ ୨୭ରୁ ୩୦ ତାରିଖ ମଧ୍ୟରେ ରାଜସ୍ବ, କୃଷି ଓ ଉଦ୍ୟାନ ବିଭାଗ ପକ୍ଷରୁ ଯୁଗ୍ମ ଭାବେ କ୍ଷୟକ୍ଷତି ଆକଳନ କରାଯିବ ବୋଲି ଜିଲା ମୁଖ୍ୟ କୃଷି କାର୍ଯ୍ୟାଳୟର ସହକାରୀ କୃଷି ନିର୍ଦ୍ଦେଶକ ସନ୍ତୋଷ ବିଶ୍ୱାଳ କହିଛନ୍ତି।