ମୁଣ୍ଡରେ ବ୍ୟାଣ୍ଡେଜ୍‌ ବାନ୍ଧି ଡାକ୍ତରୀ ଛାତ୍ରଙ୍କ ପ୍ରତିବାଦ: କାଜୁଆଲଟି ଆଗରେ ଧାରଣା

ବଲାଙ୍ଗୀର,୨୯ା୧୨(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜର ଶେଷବର୍ଷ ଛାତ୍ର ତଥା ହାଉସ ସର୍ଜନ ବିଶ୍ୱରଞ୍ଜନ ସାହୁଙ୍କୁ ଗୁରୁବାର ମରଣାନ୍ତକ ଆକ୍ରମଣ କରାଯାଇଥିଲା। ହସ୍ପିଟାଲରୁ ହଷ୍ଟେଲକୁ ଫେରୁଥିବା ବେଳେ ବାଟରେ ଛପି ରହିଥିବା ୨ଜଣ ଯୁବକ ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଫଳରେ ବିଶ୍ୱରଞ୍ଜନ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି।

ଘଟଣାର ପ୍ରତିବାଦ କରି ଶୁକ୍ରବାର ଡାକ୍ତରୀ ଛାତ୍ରୀଛାତ୍ର ମୁଣ୍ଡରେ ବ୍ୟାଣ୍ଡେଜ୍‌ ବାନ୍ଧି କରିବା ସହ କାଜୁଆଲଟି ଆଗରେ ଧାରଣାରେ ବସିଛନ୍ତି। ଏପରି କି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ହାଉସ ସର୍ଜନ ଏବଂ ଡାକ୍ତରୀ ଛାତ୍ରୀଛାତ୍ର ଦାବି କରିଛନ୍ତି। ଏନେଇ ହସ୍ପିଟାଲ ପରିସରରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ଆନ୍ଦୋଳନ ଯୋଗୁ ରୋଗୀ ସେବା ବ୍ୟାହତ ହୋଇଛି। ଖବର ପାଇ ପ୍ରଶାସନିକ ଅଧିକାରୀ ଘଟଣାରେ ସ୍ଥଳରେ ପହଞ୍ଚି ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ବୁଝାଶୁଝା କରୁଛନ୍ତି।

ଗୁରୁବାର ଜଣେ ଯୁବକ ତାଙ୍କ ସ୍ତ୍ରୀଙ୍କୁ ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଓପିଡିକୁ ଆଣିଥିଲେ। ସେଠାରେ ଦୁଇଜଣ ମହିଳା ଡାକ୍ତର ଓ ଜଣେ ଆଟେଣ୍ଡାଣ୍ଟଙ୍କ ଉପସ୍ଥିତିରେ ସମ୍ପୃକ୍ତା ମହିଳାଙ୍କ ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଥିଲା। ମହିଳାଙ୍କ ଗର୍ଭପାତ ହୋଇଯାଇଥିବା ଜଣାପଡିଥିଲା। ସେତେବେଳେ କର୍ତ୍ତବ୍ୟରତ ହାଉସ ସର୍ଜନ ସାହୁ ମଧ୍ୟ ସମ୍ପୃକ୍ତା ମହିଳାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ଏହି କଥାକୁ ନେଇ ସମ୍ପୃକ୍ତ ମହିଳାଙ୍କ ସ୍ବାମୀ କୁଆଡେ ଆପତ୍ତି ଉଠାଇଥିଲେ। ମହିଳାଙ୍କ ଗୋପନୀୟତା ଭଙ୍ଗ କରାଯାଇଥିବା ଅଭିଯୋଗ କରିଥିଲେ। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଯୁବକ ଓ ଅନ୍ୟ ଜଣେ ଏକ ବାଇକରେ ହସ୍ପିଟାଲଠାରୁ ପ୍ରାୟ ୫ କିଲୋମିଟର ଦୂର ଲାଲଟିକ୍ରା ଗ୍ରୀଡ ପାଖରେ ଜଗି ରହିଥିଲେ। ହାଉସ ସର୍ଜନ ସାହୁ ସନ୍ଧ୍ୟା ପ୍ରାୟ ୬ଟାରେ କଲେଜ ହଷ୍ଟେଲକୁ ତାଙ୍କର ଜଣେ ସାଙ୍ଗଙ୍କ ସହ ଏକ ବାଇକରେ ଫେରୁଥିବାବେଳେ ତାଙ୍କୁ ସେମାନେ ଅଟକାଇଥିଲେ। ସମ୍ପୃକ୍ତ ଯୁବକ ଜଣକ ହାଉସ ସର୍ଜନ ସାହୁଙ୍କୁ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡ ଫାଟି ରକ୍ତ ବାହାରିଥିଲା। ଏହି ଘଟଣାକୁ ନେଇ ଡାକ୍ତରୀ ଛାତ୍ରୀଛାତ୍ରଙ୍କ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।