ବ୍ରହ୍ମପୁର ଅଫିସ,୮ା୪: ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରୁ ୮ ବରିଷ୍ଠ ଡାକ୍ତରଙ୍କ ବଦଳିକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏପରି କି ସ୍ବାସ୍ଥ୍ୟ ବିଭାଗର ଏଭଳି ନିଷ୍ପତ୍ତିକୁ ଏମ୍କେସିଜିର କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ବିରୋଧ କରାଯାଇଛି।
ଶୁକ୍ରବାର କନିଷ୍ଠ ଡାକ୍ତର ସଂଘ ପକ୍ଷରୁ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘ ସଭାପତି ଡା.ସତ୍ୟସ୍ବରୂପ ପଟ୍ଟନାୟକ କହିବା ମୁତାବକ, ଏମ୍କେସିଜି ହେଉଛି ଦକ୍ଷିଣ ଓଡ଼ିଶାର ପ୍ରମୁଖ ହସ୍ପିଟାଲ। ହସ୍ପିଟାଲରେ ୟୁଜି, ପିଜି ଓ ଡିଏମ୍ ଛାତ୍ରୀଛାତ୍ର ପାଠ ପଢିବା ସହ ଗବେଷଣା ଜାରି ରହିଛନ୍ତି। ଏଭଳି ସ୍ଥିତିରେ ସରକାର ପ୍ରତ୍ୟେକ ମାସରେ ଏଠାରୁ ବରିଷ୍ଠ ଡାକ୍ତରଙ୍କୁ ବଦଳି କରୁଛନ୍ତି। ଫଳରେ ରୋଗୀ ସେବା ବ୍ୟାହତ ହେବା ସହ ପାଠପଢ଼ାରେ ବାଧା ଉପୁଜୁଛି। ତେଣୁ ସରକାର ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ଉଚିତ ବୋଲି ସେ କହିଛନ୍ତି।
ସୂଚନା ଯୋଗ୍ୟ, ଗତ ଦୁଇ ଦିନ ଭିତରେ ଏମ୍କେସିଜିରୁ ୮ ଜଣ ଆସୋସିଏଟ୍ ପ୍ରଫେସରଙ୍କୁ କେଉଁଝର ଓ ସୁନ୍ଦରଗଡ଼ ସ୍ଥିତ ମେଡିକାଲ କଲେଜକୁ ବଦଳି କରାଯାଇଛି। ଗତ ମାସରେ ୧୩ ଜଣ ବରିଷ୍ଠ ଡାକ୍ତରଙ୍କୁ ବଦଳି କରାଯାଇଥିଲା। ମାସକ ଭିତରେ ୨୧ ଡାକ୍ତର ବଦଳି ହୋଇଥିବା ବେଳେ ମାତ୍ର ୪ ଜଣଙ୍କୁ ଏମ୍କେସିଜିକୁ ପଠାଯାଇଛି। ବାରମ୍ବାର ଡାକ୍ତରଙ୍କ ବଦଳିକୁ ନେଇ ଜନଆନ୍ଦୋଳନ ପାଇଁ ସଜବାଜ ହେଉଥିବା ସୂଚନା ମିଳିଛି।

