ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍ ଅଧିକାରୀ ଗୌରବ ଦାହିୟା ଏବଂ ୨୦୧୧ ବ୍ୟାଚ୍ ଅଧିକାରୀ କେ. ରାଜେଶଙ୍କ ସେବା ରେକର୍ଡ ସମୀକ୍ଷା କରିବା ପରେ ଅକ୍ଟୋବର ୧ରୁ ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। କେ. ରାଜେଶ ଲାଞ୍ଚ କାରବାର ଏବଂ ପଦବୀର ଅପବ୍ୟବହାର ଅଭିଯୋଗରେ ସିବିଆଇ ଓ ଇଡିର କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇ ୨୦୨୨ରୁ ନିଲମ୍ବିତ ହୋଇଥିଲେ। ଦାହିୟା ମଧ୍ୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ନିଲମ୍ବନର ସାମ୍ନା କରିଥିଲେ।
ତେବେ ସେବା ଯୋଗାଇବା ପାଇଁ ଅନୁପଯୁକ୍ତ ମନେକରାଯାଉଥିବା ଅଧିକାରୀଙ୍କୁ ବିଦା କରିବା ପାଇଁ ଆଇନରେ ବ୍ୟବସ୍ଥା ରହିଛି। ହେଲେ ଏହି ନିୟମଗୁଡ଼ିକୁ ପ୍ରୟୋଗ କରିବାରେ ଇଚ୍ଛାଶକ୍ତିର ଅଭାବ ରହିିଛି, ଯାହା ସରକାରୀ ତଥ୍ୟ ପ୍ରମାଣିତ କରେ। ଜୁଲାଇ ୨୦୧୪ରୁ ଜାନୁଆରୀ ୨୦୨୦ ମଧ୍ୟରେ, ସମୟ ପୂର୍ବରୁ ଅବସର ଦେବା ନିୟମକୁ ସର୍ବଭାରତୀୟ ସେବା ଅଧିକାରୀଙ୍କ ସମେତ ୧୬୩ ଜଣ ଗ୍ରୁପ୍-ଏ ଅଧିକାରୀଙ୍କ ବିରୋଧରେ ପ୍ରୟୋଗ କରାଯାଇଥିଲା। ୨୦୨୦ରୁ ୨୦୨୩ ମଧ୍ୟରେ ସମାନ ନିୟମ ଆଧାରରେ ଆଉ ୧୨୨ ଜଣ ଅଧିକାରୀଙ୍କୁ ଅବସର ଦିଆଯାଇଥିଲା। ଏଥିରେ କେବଳ ଆଇଏଏସ୍ ଅଧିକାରୀ ନାହାନ୍ତି। ଜଣାପଡ଼ୁଛି ଯେ, ଅନେକ ହଜାର ଅଧିକାରୀଙ୍କ ସେବା ରେକର୍ଡ ସମୀକ୍ଷା କରାଗଲେ ମଧ୍ୟ ବାସ୍ତବରେ ବହୁ କମ୍ ଅଧିକାରୀଙ୍କୁ ବାହାର କରାଯାଏ। ଏଦୃଷ୍ଟିରୁ ଗୁଜରାଟ ସରକାରଙ୍କ ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ। ତେବେ ସମୟ ପୂର୍ବରୁ ଅବସର ଦେବା ନିଷ୍ପତ୍ତି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ବିକଳ୍ପ ହୋଇପାରିବ ନାହିଁ ।
ଏହାକୁ ଏକ ପ୍ରଶାସନିକ ଝାଡ଼ୁ ଭାବେ ବ୍ୟବହାର କରାଯାଇପାରିବ ନାହିଁ। ଏହି ପ୍ରକ୍ରିୟା ନିରପେକ୍ଷ ଏବଂ ନ୍ୟାୟସଙ୍ଗତ ହେବା ଉଚିତ। ନଚେତ, ‘ଅପରେଶନ୍ ଗଙ୍ଗାଜଳ’ ଏକ ପ୍ରଶାସନିକ ସଫେଇ ଅଭିଯାନ ବଦଳରେ ଏକ ବିରକ୍ତିକର ସ୍ଲୋଗାନ୍ ହୋଇଯିବ।
ସମ୍ଭାବ୍ୟ ପ୍ରଶାସନିକ ସମସ୍ୟା
ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ସୁବ୍ରତ ଗୁପ୍ତା ଏବଂ ମୁଖ୍ୟ ଶାସନ ସଚିବ ମନୋଜ ଅଗ୍ରୱାଲଙ୍କ ମଧ୍ୟରେ କୌଣସି ପ୍ରକାରର ବଡ଼ ବିବାଦ ଥିବା ପ୍ରମାଣ ଏପର୍ଯ୍ୟନ୍ତ ମିଳିନାହିଁ। ଗୁପ୍ତା ଏବଂ ଅଗ୍ରୱାଲ ଉଭୟେ ୧୯୯୦ ବ୍ୟାଚ୍ ପଶ୍ଚିମବଙ୍ଗ କ୍ୟାଡର ଅଧିକାରୀ। ଅବସରପ୍ରାପ୍ତ ଗୁପ୍ତାଙ୍କୁ ମେ ୯ରେ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଥିଲା। ତାହାର କିଛିଦିନ ପୂର୍ବରୁ ସେ ନିର୍ବାଚନ କମିଶନଙ୍କ ସ୍ପେଶିଆଲ ରୋଲ ଅବଜରଭର ଭାବେ ଦାୟିତ୍ୱ ଶେଷ କରିଥିଲେ। ଏହାର ଦୁଇଦିନ ପରେ, ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ନିର୍ବାଚନ ଅଧିକାରୀ ଅଗ୍ରୱାଲଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରାଯାଇଥିଲା। ସୂତ୍ର ଅନୁସାରେ, ଏହି ନିଯୁକ୍ତିରେ ସମସ୍ୟା ବ୍ୟକ୍ତିତ୍ୱକୁ ନେଇ ନୁହେଁ ବରଂ ସଂସ୍ଥାଗତ ସ୍ପଷ୍ଟତାକୁ ନେଇ ରହିଛି। ସରକାର ଏବଂ ଏହାର ବିଭାଗଗୁଡ଼ିକ ମଧ୍ୟରେ ପ୍ରଶାସନିକ ସମ୍ପର୍କ ରଖିବାରେ ମୁଖ୍ୟ ସଚିବଙ୍କ ଭୂମିକା ରହିଛି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଗୁପ୍ତାଙ୍କ ଭଳି ଅଭିଜ୍ଞ ପରାମର୍ଶଦାତାଙ୍କ ଉପରେ ନିର୍ଭର କରିଛନ୍ତି। ଗୁପ୍ତାଙ୍କ ଦୀର୍ଘ ପ୍ରଶାସନିକ କ୍ୟାରିୟର ଏବଂ ନିକଟ ଅତୀତର ନିର୍ବାଚନ ଦାୟିତ୍ୱ ତାଙ୍କର ସଂସ୍ଥାଗତ ଗୁରୁତ୍ୱକୁ ସୂଚିତ କରେ। କିନ୍ତୁ ଯେତେବେଳେ ତାଙ୍କ ଭଳି ଜଣେ ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ ସମ୍ପର୍କ ରହିବ ଏବଂ ଜଣେ ମୁଖ୍ୟ ଶାସନ ସଚିବ ପ୍ରଶାସନ ଚଳାଇବେ ସେତେବେଳେ ପ୍ରଶାସନିକ ସମସ୍ୟା ଉପୁଜିପାରେ। ଏପର୍ଯ୍ୟନ୍ତ କୌଣସି ବିବାଦର ପ୍ରମାଣ ମିଳିନାହିଁ। ବାସ୍ତବରେ, ନିକଟରେ ଗୁପ୍ତାଙ୍କୁ ସାମିଲ କରି ଅଗ୍ରୱାଲ ଏକ ରାଜ୍ୟସ୍ତରୀୟ କମିଟି ଗଠନ କରିବାକୁ ଆଦେଶ ଜାରି କରିଛନ୍ତି। ତେବେ କଥା ହେଉଛି, କିଏ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ କଥା କହୁଛନ୍ତି ଏବଂ ବାବୁମାନେ କାହାର ନିର୍ଦ୍ଦେଶ ପାଳନ କରୁଛନ୍ତି, ତାହା ପ୍ରଶାସନ ପାଇଁ ପ୍ରକୃତ ପରୀକ୍ଷା ହୋଇପାରେ।
ଆଇଏଫ୍ଏସ୍ରେ ରାଜନୈତିକ ନିଯୁକ୍ତି
ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏବକାର ଆଭିମୁଖ୍ୟରୁ ଜଣାପଡ଼ୁଛି ଯେ, ରାଜନୈତିକ ନିଯୁକ୍ତି ପାଉଥିବା ବ୍ୟକ୍ତିମାନେ ଉତ୍ତମ କୂଟନୀତିଜ୍ଞ ହୋଇପାରିବେ ଏବଂ ସେମାନେ ଏଭଳି ରାଜନୈତିକ ସମସ୍ୟାର ସମାଧାନ କରିବାରେ ଅଧିକ ସକ୍ଷମ ହୋଇପାରନ୍ତି, ଯାହାକୁ ଭାରତୀୟ ବୈଦେଶିକ ସେବା (ଆଇଏଫ୍ଏସ୍ ) କୂଟନୀତିଜ୍ଞମାନେ ସମାଧାନ କରିପାରିବେ ନାହିଁ। ବାଂଲାଦେଶ ଏହାର ଏକ ସ୍ପଷ୍ଟ ଉଦାହରଣ। ମହମ୍ମଦ ୟୁନୁସଙ୍କ ମଧ୍ୟବର୍ତ୍ତିକାଳୀନ ସରକାର ସମୟରେ ସମ୍ପର୍କ ଖରାପ ସ୍ତରକୁ ଚାଲିଯାଇଥିଲା। ତାରିଖ୍ ରହମାନଙ୍କ ନେତୃତ୍ୱରେ ବିଏନ୍ପିର ପ୍ରତ୍ୟାବର୍ତ୍ତନ ସମ୍ପର୍କକୁ ପୁନର୍ବାର ସୁଧାରିବା ପାଇଁ ଏକ ସୁଯୋଗ ସୃଷ୍ଟି କରିଛି। ଜଣେ ଅଭିଜ୍ଞ ରାଜନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିନେଶ ତ୍ରିବେଦୀଙ୍କୁ ଢାକାରେ ଭାରତର ହାଇକମିଶନର ଭାବେ ନିଯୁକ୍ତ କରାଯାଇଛି ।
ତ୍ରିବେଦୀଙ୍କ ନିଯୁକ୍ତି ପରେ ପ୍ରଶାସନିକ ପରିସରରେ ଚର୍ଚ୍ଚା ହେଉଛି ଯେ, କେନ୍ଦ୍ର ସରକାର ଏବେ ନେପାଳ ଏବଂ ଶ୍ରୀଲଙ୍କା ସମେତ ଅନ୍ୟାନ୍ୟ ସମ୍ବେଦନଶୀଳ ପଡ଼ୋଶୀ ଦେଶଗୁଡ଼ିକରେ ନିଯୁକ୍ତି ପାଇଁ ରାଜନୈତିକ ବ୍ୟକ୍ତିତ୍ୱଙ୍କ ନାମ ଉପରେ ବିଚାର କରୁଛନ୍ତି। ଆଇଏଫ୍ଏସ୍ ଅଫିସରମାନେ ଆଞ୍ଚଳିକ ପାରଦର୍ଶିତା, ନେଟ୍ୱର୍କ ଏବଂ କୂଟନୈତିକ ଜ୍ଞାନ ସୃଷ୍ଟି କରିବା ପାଇଁ ଅନେକ ଦଶନ୍ଧି ସମୟ ବିତାଇଥାନ୍ତି। ଯଦି ରାଜନୈତିକ ବ୍ୟକ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଦିଆଯାଏ ତେବେ ବୃତ୍ତିଗତ ଅଭିଜ୍ଞତା ଅପେକ୍ଷା ରାଜନୈତିକ ସମ୍ପର୍କକୁ କ’ଣ ପାଇଁ ଅଧିକ ଗୁରୁତ୍ୱ ଦିଆଯାଉଛି ବୋଲି ସେବା ମଧ୍ୟରେ ପ୍ରଶ୍ନ ଉଠିପାରେ। ସରକାର କେବଳ ନିଜର କୂଟନୈତିକ ରଣନୀତିରେ ଆଉ ଏକ ମାଧ୍ୟମ ଯୋଡ଼ୁଛି। ଏହା ଏକ ସାମୟିକ ରଣନୈତିକ ପସନ୍ଦ ହୋଇ ରହିବ ନା ପଡ଼ୋଶୀ ଦେଶଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ଏକ ନୂଆ ମାର୍ଗ ପାଲଟିବ, ତାହା ଦେଖିବାକୁ ବାକି ରହିଲା।
ଦିଲ୍ଲୀକା ବାବୁ
ଦିଲୀପ ଚେରିଏନ୍
Email: dilipcherian@gmail.com