ରାସ୍ତାକାର୍ଯ୍ୟ ନିମ୍ନମାନର ଅଭିଯୋଗ

ପିପିଲି, ୯ା୫(ସ୍ବ.ପ୍ର.): ପିପିଲି ବ୍ଲକ ଅନ୍ତର୍ଗତ ୩୧୬ ନମ୍ବର ଜାତୀୟ ରାଜପଥଠାରୁ ବୀରପୁରୁଷୋତ୍ତମପୁର ଗ୍ରାମ୍ୟ ରାସ୍ତା ଆର୍‌ଡି ବିଭାଗ ଅଧୀନ ୫ କିଲୋମିଟର ନିର୍ମାଣ କରାଯାଉଛି। ଏହି ପ୍ରକଳ୍ପ ପାଇଁ ୧କୋଟି ୬୨ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ତେବେ ଏହି ରାସ୍ତା କାର୍ଯ୍ୟ ନିମ୍ନମାନର କରାଯାଉଛି ବୋଲି ବୀରପୁରୁଷୋତ୍ତମପୁର ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି। ଏନେଇ ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ, ସମିତିସଭ୍ୟ ଏବଂ ଜିଲା ପରିଷଦ ସଭ୍ୟଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପରେ ଜିଲା ପରିଷଦ ସଭ୍ୟ ଧରଣୀଧର ସାହୁ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ରବିବାର ଯନ୍ତ୍ରୀ ସୁରେଶ କୁମାର ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ନିର୍ମାଣ କାର୍ଯ୍ୟ ପରଖିଥିଲେ। ଉକ୍ତ ରାସ୍ତାର ଅନେକ ଖାଲଖମା ହୋଇ ଫାଟିଥିବା ସ୍ଥାନରେ ବଜୁରି ଢଳେଇ କାର୍ଯ୍ୟକୁ ନେଇ ଯନ୍ତ୍ରୀ ମହାନ୍ତି ଅସନ୍ତୋଷ ପ୍ରକାଶ କରିଥିଲେ। ରାସ୍ତାର ଉଭୟ ପାର୍ଶ୍ୱରେ ମାଟି ଫଲିଂ କରିବାକୁ ଠିକାଦାରଙ୍କୁ କହିଥିଲେ। ଏଥିରେ ସମ୍ପୃକ୍ତ ଠିକାଦାର, ଅଧିକାରୀଙ୍କ ବିରୋଧରେ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ରାସ୍ତାକାର୍ଯ୍ୟ ପୁନଃ କରିବାକୁ ଜିଲା ପରିଷଦ ସଭ୍ୟ ସାହୁ ଦାବି କରିଛନ୍ତି। ଯନ୍ତ୍ରୀଙ୍କ ଗସ୍ତ ବେଳେ ସରପଞ୍ଚ ଧ୍ରୁବଚରଣ ପ୍ରଧାନ, ସମିତିସଭ୍ୟ ଜଗନ୍ନାଥ ତ୍ରିପାଠୀ, ଜିଲା ପରିଷଦ ସାହୁ, ସରୋଜ ନନ୍ଦ, ଦିଲୀପ ମିଶ୍ରଙ୍କ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।