ପ୍ରସୂତି କକ୍ଷରୁ ନବଜାତ ଶିଶୁ ଗାଏବ ଅଭିଯୋଗ

ମାଥିଲି, ୨୧ା୩ (ଡି.ଏନ.ଏ.):ମାଲକାନଗିରି ଜିଲା ମାଥିଲି ବ୍ଲକ ସଦର ସବ୍‌ଡିଭିଜନ ହସ୍ପିଟାଲର ପ୍ରସୂତି କକ୍ଷରୁ ନବଜାତ ଶିଶୁ ଗାଏବ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, କିଆଙ୍ଗ ପଞ୍ଚାୟତ ବୀରନପାଲି ଗ୍ରାମର ବନ୍ଧୁ ପଟିଙ୍କ ସ୍ତ୍ରୀ କୌଶଲ୍ୟା ଗର୍ଭବତୀ ଥିବା ଜାଣିବା ପରେ ସବୁ ମାସରେ ନିଜ ଚିକିତ୍ସା ଓ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧପତ୍ର ଖାଉଥିଲେ। ରବିବାର ତାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା। ପରିବାର ଲୋକେ ତାଙ୍କୁ ମାଥିଲି ସବ୍‌ଡିଭିଜନ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ରାତିରେ ଯନ୍ତ୍ରଣାରେ ଛଟପଟ ହେଉଥିବା କୌଶଲ୍ୟାଙ୍କୁ ପ୍ରସୂତି କକ୍ଷକୁ ନିଆଯାଇଥିଲା। ଏକ ଘଣ୍ଟା ପରେ ସେଠାରୁ ତାଙ୍କୁ ବାହାର କରାଯାଇଥିଲା। ପରେ ଡାକ୍ତର ଆସି କୌଶଲ୍ୟାଙ୍କ ପେଟରେ କୌଣସି ଶିଶୁ ନ ଥିବା କହିଥିଲେ। କୌଶଲ୍ୟାଙ୍କ ପେଟରେ ଶିଶୁ ନ ରହିବା ଘଟଣା ପରିବାର ଲୋକଙ୍କୁ ସନ୍ଦେହରେ ପକାଇଥିଲା। ସେମାନେ ତାଙ୍କ ଶିଶୁକୁ ବିକ୍ରି କରିଦେଇଥିବା ଅଭିଯୋଗ ଉଠାଇଛନ୍ତି। ଅନ୍ୟପକ୍ଷରେ ତାଙ୍କୁ ପ୍ରସବ କରାଇଥିବା ଡାକ୍ତର ଡା. ଅମୀୟ ସ୍ବାଇଁ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, କୌଶଲ୍ୟା ଜଣେ ମାନସିକ ରୋଗୀ। ପୂର୍ବରୁ ସେ ୨ ଥରେ ବିବାହ କରିନ୍ତି। ପ୍ରଥମ ବିବାହ ପରେ କୌଶଲ୍ୟା ୨ ଶିଶୁ ଜନ୍ମ ଦେଇଛନ୍ତି। ପରେ ତାଙ୍କର ଫାମିଲି ପ୍ଲାନିଂ ଅପରେଶନ ହୋଇଛି। ଦ୍ବିତୀୟ ବିବାହ କରିବା ପରେ ତାଙ୍କର କୌଣସି କାରଣରୁ ମାନସିକ ଅବସ୍ଥା ଭଲ ନ ଥିଲା। ତାଙ୍କ ପେଟ କୌଣସି କାରଣରୁ ବଢ଼ିଯାଇଥିଲା। ଏହାକୁ ସେ ଗର୍ଭବତୀ ଥିବା ମନେକରି ନେଇଛନ୍ତି ବୋଲି ଡାକ୍ତର ସ୍ବାଇଁ କହିଛନ୍ତି।