ପିଚୁ କଲେ, ଖୋଳିଦେଲେ

ଭୁବନେଶ୍ୱର,୨୩।୧(ବ୍ୟୁରୋ):ରବି ଟକିଜ୍‌ରୁ ଭାସ୍କରେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥିବା ରାସ୍ତା ଦୀର୍ଘଦିନ ଧରି ଅସଜଡ଼ା ହୋଇ ପଡ଼ିରହିଥିଲା। ବର୍ଷ ବର୍ଷ ଧରି ଖାଲଖମା, ଧୂଳି ଭିତରେ ଲୋକେ ଯିବା ଆସିବା କରୁଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଥିଲା। ହେଲେ ହକି ବିଶ୍ୱକପ୍‌ ପାଇଁ ମରାମତି କାମ କିଛିଟା ଆଗେଇଥିଲା। ପିଚୁ ବି ପଡ଼ିଲା। ହେଲେ ଠିକ୍‌ ଢଙ୍ଗରେ ପିଚୁ କରାଯାଇ ନ ଥିବା ଏବେ ଅଭିଯୋଗ ଉଠୁଛି। ଫଳରେ ପିଚୁ ପଡ଼ିବାର ମାତ୍ର ସପ୍ତାହେ ନ ପୂରୁଣୁ ଖୋଳାଖୋଳି ଆରମ୍ଭ ହୋଇଯାଇଛି। କାରଣ ଏହି ରାସ୍ତା ଦେଇ ଯାଇଥିବା ପାନୀୟ ଜଳ ଲାଇନ୍‌ର ମରାମତି କାମ ସରି ନ ଥିବାବେଳେ ତରବରିଆ ଭାବେ ପିଚୁ ଢାଳି ଦିଆଗଲା। ପିଚୁ ଆସ୍ତରଣ ତଳେ ପାଣି ଲାଇନ୍‌ରେ ମରାମତି ପାଇଁ ବାଲି ଭର୍ତ୍ତି ଅଖା ରଖିଦିଆଯାଇଥିଲା। ବର୍ତ୍ତମାନ ଶାବଳରେ ପିଚୁ ଖୋଳି ଏହି ବାଲି ବସ୍ତା ବାହାର କରାଯାଉଥିବା ନିୟୋଜିତ ଶ୍ରମିକମାନେ କହିଛନ୍ତି। ପିଚୁ ପକା କାମ ଚାଲିଥିବାବେଳେ ଏପଟେ ଉକ୍ତ ରାସ୍ତାର ଏକାଧିକ ସ୍ଥାନରେ ସମାନ ଢଙ୍ଗରେ ଏପରି ଖୋଳା ଚାଲିଛି। ଲୋକଙ୍କ ଅର୍ଥକୁ ଦାୟିତ୍ୱରେ ଥିବା ସରକାରୀ ଅଧିକାରୀମାନେ ବରବାଦ୍‌ କରୁଥିବା ଅଭିଯୋଗ ଆଣି ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।