ମୃତ ଖବରଦାତାଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ

ଭୁବନେଶ୍ୱର, ୨୯।୫(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ୩ଜଣ ମୃତ କର୍ମଜୀବୀ ଖବରଦାତାଙ୍କ ପରିବାରକୁ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ଅନୁକମ୍ପା ରାଶି ଓ ଆର୍ଥିକ ସହାୟତା ବାବଦକୁ ୪୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। କରୋନାରେ ମୃତ୍ୟୁ ପାଇଁ ‘ମନ୍ଥନ’ ଖବରକାଗଜର ଯାଜପୁର ଜିଲା ପ୍ରତିନିଧି ସ୍ବର୍ଗତ ଅଶୋକ କୁମାର ସାହୁଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା, କେନ୍ଦୁଝର ଜିଲାରେ କାର୍ଯ୍ୟରତ ‘ଓଡ଼ିଶା ଭାସ୍କର’ର ବରିଷ୍ଠ ଖବରଦାତା ସ୍ବର୍ଗତ ଧୀରେନ୍ଦ୍ର ରାଉତଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କା ଓ ବାଲେଶ୍ୱର ଜିଲାରେ କାର୍ଯ୍ୟରତ ‘ଇ.ପି.ଏ. ୱିକ୍‌ଲି’ର ପ୍ରତିନିଧି ସ୍ବର୍ଗତ ସୋଲୋମାନ୍‌ ସାହୁଙ୍କ ପରିବାରକୁ ମଧ୍ୟ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ସେହିଭଳି ପୂର୍ବରୁ ମଧ୍ୟ ରାଜ୍ୟ ସରକାର କୋଭିଡ୍‌ରେ ମୃତ ୬ଜଣ ଖବରଦାତାଙ୍କ ପରିବାରଙ୍କୁ ୧୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ଏଥିସହ ଭୁବନେଶ୍ୱରଠାରେ କାର୍ଯ୍ୟରତ ‘ନିତିଦିନ’ର ପ୍ରତିନିଧି ସ୍ବର୍ଗତ ରାଧାନାଥ ମହାପାତ୍ର ଓ ‘ପ୍ରତିଦିନ’ର ପ୍ରତିନିଧି ସ୍ବର୍ଗତ ପ୍ରଭାତ କୁମାର ଦାସଙ୍କ ମୃତ୍ୟୁ ପରେ ସେମାନଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥରାଶି ପ୍ରଦାନ କରାଯାଇଛି। ଏହାବାଦ ଭୁବନେଶ୍ୱରଠାରେ ଫ୍ରିଲାନ୍ସ ଜର୍ନାଲିଷ୍ଟ ଭାବେ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ଅମ୍ବିକା ପ୍ରସାଦ କାନୁନ୍‌ଗୋଙ୍କ ଚିକିତ୍ସା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ଓ ଝାରସୁଗୁଡ଼ା ଜିଲାର ସମାଜ ପ୍ରତିନିଧି ଗଜେନ୍ଦ୍ର ମହାନ୍ତିଙ୍କୁ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ବର୍ତ୍ତମାନ କୋଭିଡ୍‌ ଦ୍ୱିତୀୟ ଲହରରେ ଜିଲାସ୍ତରରେ ବହୁ କର୍ମଜୀବୀ ଖବରଦାତା କୋଭିଡ୍‌ରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟୁଥିବା ଖବର ସରକାରଙ୍କ ଦୃଷ୍ଟିକୁ ଆସିଛି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ମୁତାବକ ଯୋଗ୍ୟ ଖବରଦାତାଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଆବଶ୍ୟକ ତଥ୍ୟ ସଂଗ୍ରହ କରି ଜିଲାପାଳଙ୍କ ସୁପାରିଶ ସହ ତୁରନ୍ତ ପ୍ରେରଣ କରିବା ପାଇଁ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ସମସ୍ତ ଜିଲାର ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।