ଜେଲରେ ମୃତ୍ୟୁ ହେଲେ ସମ୍ପର୍କୀୟଙ୍କୁ ମିଳିବ କ୍ଷତିପୂରଣ

ଭୁବନେଶ୍ୱର,୧୪ା୨(ବ୍ୟୁରୋ):ଜେଲ ଅନ୍ତେବାସୀଙ୍କ କୌଣସି କାରଣରୁ ମୃତ୍ୟୁ ହେଲେ ସେମାନଙ୍କର ନିକଟ ସମ୍ପର୍କୀୟଙ୍କୁ ରାଜ୍ୟ ସରକାର ଆର୍ଥିକ କ୍ଷତିପୂରଣ ପ୍ରଦାନ କରିବେ। ହାଇକୋର୍ଟ ଏବଂ ମାନବାଧିକାର କମିଶନଙ୍କ ନିର୍ଦ୍ଦେଶ ପରେ ରାଜ୍ୟ ସରକାର ଜେଲ ଅନ୍ତେବାସୀଙ୍କ ଉଦ୍ଦେଶ୍ୟରେ କ୍ଷତିପୂରଣ ପ୍ରଦାନ ରୁଲ୍ସ-୨୦୨୩ ପ୍ରଣୟନ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ପ୍ରସ୍ତାବକୁ ସୋମବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଅନୁମୋଦନ ମିଳିଛି। ଏଭଳି କ୍ଷତିପୂରଣ ଦେବା ପାଇଁ ପୂର୍ବରୁ କୌଣସି ବ୍ୟବସ୍ଥା ନ ଥିଲା। ଜାତୀୟ ମାନବାଧିକାର କମିଶନ କିମ୍ବା ଓଡ଼ିଶା ମାନବାଧିକାର କମିଶନଙ୍କ ସୁପାରିସ ଆଧାରରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଏ। ଏକ ରିଟ୍‌ ପିଟିସନ ଉପରେ ହାଇକୋର୍ଟ ୨୦୨୧ ଡିସେମ୍ବର ୨୩ରେ କାରାଗାରରେ ବନ୍ଦୀମାନଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ଦେବା ସକାଶେ ସ୍କିମ୍‌ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେହିପରି ଜାତୀୟ ମାନବାଧିକାର କମିଶନ ମଧ୍ୟ କ୍ଷତିପୂରଣ ପାଇଁ ଏକ ସ୍ବତନ୍ତ୍ର ପଲିସି ଆଣିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଥିଲେ।