Categories: ଅନୁଗୋଳ

ଠିକାଦାରଙ୍କୁ ଅନୁକମ୍ପା ଚର୍ଚ୍ଚା

ଅନୁଗୋଳ ଅଫିସ୍‌, ୧୭।୯: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଠିକାସଂସ୍ଥାଗୁଡିକୁ ଅନୁକମ୍ପା ଦେଖାଯାଉଥିବା ନେଇ ଚର୍ଚ୍ଚା ଜୋର ଧରିଛି। ଠିକାସଂସ୍ଥାଗୁଡିକର ଟେଣ୍ଡର ଡକା ନ ଯାଇ କେବଳ ରିନ୍ୟୁଆଲ କରିଦିଆଯାଉଥିବା ନେଇ ଅଭିଯୋଗ ଉଠିଛି। ସୂଚନା ଅନୁଯାୟୀ, ଚିକିତ୍ସାଳୟରେ ୧୦ରୁ ଊର୍ଦ୍ଧ୍ୱ ଠିକାସଂସ୍ଥା କାର୍ଯ୍ୟ କରୁଛି। ହେଲେ କେବଳ ଡାଇଟ୍‌(ଖାଦ୍ୟ ଯୋଗାଉଥିବା ସଂସ୍ଥା)କୁ ଛାଡ଼ିଦେଲେ ନିକଟରେ ଅନ୍ୟ ଠିକାଦାରଙ୍କ ଟେଣ୍ଡରକୁ ରିନ୍ୟୁଆଲ କରିଦିଆଯାଇଛି। କେତେଜଣ ମୁଷ୍ଟିମେୟ ବ୍ୟକ୍ତି ଓ ଅସାଧୁ କର୍ମଚାରୀ ଏପରି କରୁଥିବା ଆଲୋଚନା ହେଉଛି। କରୋନା ଭଳି ପରିସ୍ଥିତିରେ ଡାଇଟ୍‌ ମେଡିକାଲ ସହ କୋଭିଡ୍‌୍‌ କେୟାର ଓ କୋଭିଡ୍‌ ହସ୍ପିଟାଲରେ ଖାଦ୍ୟ ଯୋଗାଉଥିବାବେଳେ ମେଡିିକାଲ କର୍ତ୍ତୃପକ୍ଷ ଖାଦ୍ୟ ଯୋଗାଣ ସଂସ୍ଥାର ନୂଆ ଟେଣ୍ଡର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ସେହିପରି ଅନ୍ୟ ଠିକାଦାରଙ୍କ ଟେଣ୍ଡରକୁ ୨ରୁ ୩ ମାସ ପର୍ଯ୍ୟନ୍ତ ରିନ୍ୟୁଆଲ କରିବାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରିକି ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ବ୍ୟକ୍ତିଙ୍କ ନିକଟରେ ଏକାଧିକ ଠିକା ସଂସ୍ଥା ମଧ୍ୟ ରହିଥିବା ଚର୍ଚ୍ଚା ହେଉଛି। ଅନ୍ୟପକ୍ଷରେ କେତେକ ଠିକା ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ୩ ମାସର ଦରମା ପ୍ରଦାନ କରାଯାଇ ନ ଥିବା ଅଭିଯୋଗ ଆସିଛି। ଘଟଣା ସମ୍ପର୍କରେ ଚିକିତ୍ସାଳୟ ସିଡିଏମ୍‌ଓ ଅଭୟ କୁମାର ଦାଶ କହିଛନ୍ତି, କରୋନା ପରିସ୍ଥିତି ଯୋଗୁ ଠିକାସଂସ୍ଥା ଟେଣ୍ଡରକୁ ୨ରୁ ୩ ମାସ ପର୍ଯ୍ୟନ୍ତ ବଢ଼ାଯାଇଛି। କିନ୍ତୁ ସେମାନଙ୍କର କାର୍ଯ୍ୟକଳାପ ଠିକ୍‌ ନାହିଁ। ପୂର୍ଣ୍ଣ ଟେଣ୍ଡର ଡକାଯିବ । ମେଡିକାଲର ଜଣେ ବରିଷ୍ଠ ଅଧିକାରୀ ଗତ ସପ୍ତାହରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ ଆସିବା ପରେ ଏନେଇ ଆଲୋଚନା କରାଯିବ ବୋଲି ସିଡିଏମ୍‌ଓ ପ୍ରକାଶ କରିଛନ୍ତି।