କଣାସାଲୁ ଜଙ୍ଗଲରେ କମ୍ବିଂ ଅପରେଶନ ଜୋରଦାର: ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ ଜବତ

ଫୁଲବାଣୀ ଅଫିସ, ୧୬।୧୦: କନ୍ଧମାଳ ଓ କଳାହାଣ୍ଡି ଜିଲା ସୀମାନ୍ତ ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ କଣାସାଲୁ ଜଙ୍ଗଲରେ ଗତ ୯ ତାରିଖରୁ କମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ସର୍ଚ୍ଚ ଅପରେସନ ବେଳେ ଏକ ସ୍ଥାନରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ମିଳିଛି। ଜବତ ସାମଗ୍ରୀ ମଧ୍ୟରେ ବ୍ୟାଗ, ଡ୍ରେସ, ଘଣ୍ଟା, ମେଡ଼ିସିନ, କଣ୍ଟ୍ରାସେପ୍‌ଟିଭ, ବିଭିନ୍ନ ଆସବାବପତ୍ର ଆଦି ରହିଛି।ତେବେ କେକେବିଏନ୍‌ ସଂଗଠନକୁ ଲିଡ୍‌ କରୁଥିବା ମମତାଙ୍କ ମୁଣ୍ଡରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ରହିଥିବା କନ୍ଧମାଳ ଏସ୍‌ପି ବିନୀତ ଅଗ୍ରୱାଲ ରବିବାର ଜିଲା ପୋଲିସ କାର୍ଯ୍ୟାଳୟରେ ଅନୁଷ୍ଠିତ ଖବରଦାତା ସମିଳନୀରେ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୧ ତାରିଖରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଏଥିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସର୍ଚ୍ଚ ଅପରେଶନ ବେଳେ ସେଠାରେ ୫ଟି ଟେଣ୍ଟ ମିଳିଥିଲା,ଯେଉଁଠି ପାଖାପାଖି ୨୦ ମାଓବାଦୀ ଥିବା ଅନୁମାନ କରାଯାଇଥିଲା। ସେମାନଙ୍କୁ ଧରିବା ପାଇଁ ଏବେ କମ୍ବିଂ ଜୋରଦାର ଚାଲିଛି।