୨ଟି କାର୍‌ ମଧ୍ୟରେ ଧକ୍କା: ଚାଲିଗଲା ୨ ଜୀବନ, ୫ ଆହତ

ଜି. ଉଦୟଗିରି, ୨୬।୧୦(ଡି ଏନ ଏ ) ଜି ଉଦୟଗିରି ରାଇପଦା ନିକଟରେ ରବିବାର ସନ୍ଧ୍ୟା ୭ଟା ସମୟରେ ଦୁଇଟି କାର ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୫ ଜଣ ଆହତ ହୋଇଛନ୍ତି। ମୃତକ ମଧ୍ୟରୁ ଜଣେ ଟିକାବାଲି ତେନ୍ତୁଳି ଗଡ଼ର ପଞ୍ଚାନନ ସାହୁ (୩୦ ବର୍ଷ) ଓ ଅନ୍ୟ ଜଣେ ଟିକାବାଲି ବୁଦୁଗୁଡୁର ସୁବାଷ ବେହେରା (୪୫ ବର୍ଷ)ବୋଲି ଜଣାପଡିଛି। ଆହତମାନେ ହେଲେ ଟିକାବାଲି ଥାନା ଅଞ୍ଚଳର ମିଥୁନ ପ୍ରଧାନ, ନାଗାର୍ଜୁନ ନାୟକ, ଦୀପକ କୁମାର ମଲ୍ଲିକ,ମାର୍ଶଲ ପ୍ରଧାନ ଓ ରାଜେନ୍ଦ୍ର ସାହୁ। ସେମାନଙ୍କୁ ଜି ଉଦୟଗିରି ହସ୍ପିଟାଲରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ହସ୍ପିଟାଲକୁ ପଠାଇ ଦିଆଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡ଼ିକାଲ କଲେଜ ହସ୍ପିଟାଲକୁ ପଠାଇଦିଆଯାଇଛି। କଳିଙ୍ଗା ଆଡୁ ଜି ଉଦୟଗିରି ଅଭିମୁଖେ ଆସୁଥିବା ଅଲ୍‌ଟୋ କାର ସହ ବିପରୀତ ଦିଗରୁ ଯାଉଥିବା ଏକ ମାରୁତି ସ୍ବିଫ୍ଟ କାର ଧକ୍କା ହୋଇଥିଲା। ଖବର ପାଇ ଦମକଳ ଓ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଜି ଉଦୟଗିରି ହସ୍ପିଟାଲକୁ ଆଣିଥିଲେ। ଏନେଇ ଜି ଉଦୟଗିରି ଥାନାରେ କେସ ନଂ ୮୫/୨୦ତା୨୫/୧୦ /୨୦୨୦ ଅନୁଯାୟୀ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି ବୋଲି ତଦନ୍ତ ଅଧିକାରୀ କୌଶଲ୍ୟା ବେହେରା କହିଛନ୍ତି ।