ଡିବିରି ନିଆଁରେ ଜଳିଗଲେ କଲେଜ ଛାତ୍ରୀ

ବଣାଇଁ,୧୪।୧୨(ସ୍ବ.ପ୍ର. ): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅଧୀନ ଭାଲୁଡୁଙ୍ଗୁରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଡିବିରିରୁ ନିଆଁ ଲାଗିଯିବାରୁ ଯୁକ୍ତ ତିନି ପଢୁଥିବା ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସ୍ବପ୍ନେଶ୍ୱରୀ ମୁଣ୍ଡା। ଖବର ପାଇ ବଣାଇଁ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୨୧/୨୧) ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇଛି।

ସୋମବାର ରାତିରେ ସ୍ବପ୍ନେଶ୍ୱରୀ ଘରେ ଜଳୁଥିବା ଏକ ଡିବିରି ଧରି ଗୋଟିଏ କୋଠରୀରୁ ଅନ୍ୟ ଏକ କୋଠରୀକୁ ଯାଉଥିଲେ। ଏହି ସମୟରେ ଅସାବଧାନତା ବଶତଃ ତାଙ୍କ ଉପରେ ଡିବିରିରୁ କିରୋସିନ ଢାଳି ହୋଇ ଡ୍ରେସରେ ନିଆଁ ଲାଗିଯାଇଥିଲା। ସେ ସିଲ୍କ ବସ୍ତ୍ର ପରିଧାନ କରିଥିବାରୁ ନିଆଁ ଦେହସାରା ବ୍ୟାପିଯାଇଥିଲା। ଚିତ୍କାର ଶୁଣି ତାଙ୍କ ମା’ ଚନ୍ଦ୍ରାବତୀ ମୁଣ୍ଡା ଗାଁ ଲୋକଙ୍କ ସହାୟତା ଲୋଡିଥିଲେ। ଗ୍ରାମବାସୀ ସ୍ବପ୍ନେଶ୍ୱରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଣାଇଁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।