ବ୍ରହ୍ମପୁରରେ ଲଜ୍ଜା: କଲେଜ ଛାତ୍ରୀଙ୍କୁ ଲଜ୍‌କୁ ନେଇ ବଳାତ୍କାର କଲେ ପୁରୁଷବନ୍ଧୁ, ତାପରେ….

ବ୍ରହ୍ମପୁର,୧୨।୬(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ନାବାଳିକା ଛାତ୍ରୀଙ୍କୁ ଲଜ୍‌କୁ ନେଇ ବଳାତ୍କାର ଅଭିଯୋଗରେ ବ୍ରହ୍ମପୁର ନିମଖଣ୍ଡି ଥାନା ପୋଲିସ ଅଭିଯୁକ୍ତ ନାବାଳକଙ୍କୁ ଧରିଛି। ଗୁରୁବାର ତାଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ (ଜେଜେବି)ରେ ହାଜର ପରେ ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି। ବ୍ରହ୍ମପୁରର ଏକ କଲେଜରେ ଯୁକ୍ତ ୨ ପଢୁଥିବା ନିମଖଣ୍ଡି ଅଞ୍ଚଳର ଜଣେ ଛାତ୍ରୀଙ୍କ ସହ ତାଙ୍କ ଗାଁରେ ମାମୁଘରେ ରହି ପଢ଼ୁଥିବା ବଡ଼ବଜାର ଥାନା ଅଞ୍ଚଳର ୧୭ ବର୍ଷୀୟ ନାବାଳକଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁକ୍ତ ୨ ପଢ଼ୁଥିବା ସେହି ନାବାଳକ ଜଣକ ଗତ ୨୫ତାରିଖରେ ନାବାଳିକାଙ୍କୁ କୌଶଳକ୍ରମେ ବ୍ରହ୍ମପୁରର ଏକ ଲଜ୍‌କୁ ଡାକି ନେଇଥିଲେ। ସେଠାରେ ତାଙ୍କ ଅନିଚ୍ଛା ସତ୍ତ୍ୱେ ବଳାତ୍କାର କରିଥିଲେ। ଅପରାହ୍ନରେ ନାବାଳକ ଜଣକ ଲଜ୍‌ରୁ ପଳାଇ ଯାଇଥିଲେ। ପୀଡ଼ିତା ଛାତ୍ରୀ ବହୁ ସମୟ ଅପେକ୍ଷା କରି ବାରମ୍ବାର ଫୋନ କରିଥିଲେ ମଧ୍ୟ ସେ ନ ଉଠାଇବାରୁ ପ୍ରତାରଣାର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ।

ସନ୍ଧ୍ୟାରେ ଘରକୁ ଫେରି ପରିବାର ଲୋକଙ୍କୁ ଏ କଥା ଜଣାଇଥିଲେ। ପରିବାର ଲୋକେ ସମ୍ପୃକ୍ତ ନାବାଳକଙ୍କ ମାମୁଙ୍କୁ ଏହା କହିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ପୀଡ଼ିତା ନିମଖଣ୍ଡି ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ନାବାଳକଙ୍କୁ ଧରିଥିଲା। ଏମ୍‌କେସିଜି ଏଫଏମ୍‌ଟିରେ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଛି। ପୋଲିସ ଉଭୟଙ୍କ ପୋଷାକ ଓ ଲଜ୍‌ରେ ରହିଥିବା ସମୟର କାଗଜପତ୍ର, ରେଜିଷ୍ଟର ଜବତ କରିଛି। ଏ ନେଇ ନଂ. ୧୭୬/୨୬ରେ ମାମଲା ହୋଇଛି ।

 

Dharitri – Odisha’s No.1 Odia Daily