ଭାପୁର,୧୧।୮ (ପ୍ରଭାତ ବରାଡ): ଫତେଗଡ ଥାନା ଅନ୍ତର୍ଗତ ଗୋଳାପୋଖରୀ ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ଗୋପାଳ ବେହେରାଙ୍କ ଝିଅ ସନ୍ତୋଷୀ ବେହେରାଙ୍କ (୧୮) ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଛି। ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ପାଇଁ ଝିଅର ମୃତ୍ୟୁ ହୋଇଥିବା ନେଇ ଗ୍ରାମବାସୀ ଅଭିଯୋଗ କରିବା ସହ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ଘଟଣାରୁ ପ୍ରକାଶ ସନ୍ତୋଷୀ ବେହେରା ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟର ଯୁକ୍ତ ତିନି ପ୍ରଥମବର୍ଷର ଛାତ୍ରୀ ଅଟନ୍ତି। ଆଜି ସକାଳୁ କଲେଜ ଯିବାପାଇଁ ବାହୁରୁଥିବା ବେଳେ ତାଙ୍କର ମୁଣ୍ଡ ବୁଲାଇଥିଲା। ପରିବାର ଲୋକେ ତୁରନ୍ତ ଭାପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କାର୍ଯ୍ୟରତ ଡାକ୍ତର ଅଶୋକ କୁମାର ମଲ୍ଲିକ ଗୋଟିଏ ଇଞ୍ଜେକ୍ସନ ଦେବାପରେ ସନ୍ତୋଷୀଙ୍କର ମୃତ୍ୟୁ ଘଟିଥିଲା। ଡକ୍ଟର ଭୁବନେଶର ନେଇଯାଅ ବୋଲି ମୃତ ସନ୍ତୋଷୀଙ୍କ ବାପାଙ୍କୁ କହିଥିଲେ। ଏହାପରେ ଗୋଳାପୋଖରୀ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଓ ସମ୍ପର୍କୀୟ ମେଡିକାଲରେ ପହଞ୍ଚି ପାଟିତୁଣ୍ଡ କରିଥିଲେ। ଘଟଣାସ୍ଥଳରେ ଫତେଗଡ ଥାନାଧିକାରୀ ଅଜୟ କୁମାର ସାହୁ, ଭାପୁର ବିଟ ହାଉସ ଅଧିକାରୀ ଶୁଶାନ୍ତ କୁମାର ବେହେରା ଓ ପୋଲିସ କର୍ମଚାରୀ ବର୍ତ୍ତମାନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରୁଥିବା ବେଳେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି।