ଅଧ୍ୟାପକ ନିଯୁକ୍ତି ଓ ବିଭିନ୍ନ ଦାବିରେ କଲେଜ ଫାଟକରେ ତାଲା: ଧାରଣାରେ ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ପାଟଣା, ୯/୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ୱାମପାଟଣାରେ ଅଧ୍ୟାପକ ନିଯୁକ୍ତି ସହ କଲେଜର ବିଭିନ୍ନ ସମସ୍ୟାର ସମାଧାନ ଦାବିରେ ବୁଧବାର ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ୫ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ସକାଳ ୬ଟାରୁ କଲେଜର ସମ୍ମୁଖ ଓ ପଛ ଫାଟକରେ ତାଲା ପକାଇ ସମ୍ମୁଖ ଗେଟ୍‌ ନିକଟରେ ଧାରଣାରେ ବସିଛନ୍ତି।

‘ଅଧ୍ୟାପକ ନିଯୁକ୍ତି ଆମର ଦାବି’, ‘ୱି ୱାଣ୍ଟ ଜଷ୍ଟିସ୍‌’, ‘ଛାତ୍ର ଏକତା ଜିନ୍ଦାବାଦ’ ଓ ‘ଆମର ଦାବି ସରକାର ମାନି ନିଅ’ ଭଳି ନାରା ଦେଇ ଛାତ୍ରୀଛାତ୍ର ଧାରଣା ଦେଇଛନ୍ତି। କଲେଜରେ ଅଧ୍ୟାପକ-ଅଧ୍ୟାପିକାଙ୍କ ଅଭାବ ଦୂର କରିବା ସହ କଲେଜରେ ଅର୍ଥ ହେରଫେର ହୋଇଥିବା ଅଭିଯୋଗର ତଦନ୍ତ କରିବାକୁ ସେମାନେ ଦାବି କରିଛନ୍ତି।

ସୂଚନା ଅନୁଯାୟୀ, ଏଥିପୂର୍ବରୁ ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ଅଗଷ୍ଟ ୨୪ରେ କେନ୍ଦୁଝର ଉପଜିଲାପାଳ ତଥା କଲେଜ ପରିଚାଳନା କମିଟି ସଭାପତି ଉମାଶଙ୍କର ଦଳେଇଙ୍କୁ ଭେଟି ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ। ସମସ୍ୟାର ସମାଧାନ ପାଇଁ ଉପଜିଲାପାଳ ୧୫ ଦିନ ସମୟ ଦେଇଥିଲେ। ତେବେ ଏହି ସମୟ ମଧ୍ୟରେ ଦାବି ପୂରଣ ନ ହେବାରୁ ଛାତ୍ରୀଛାତ୍ର ଆନ୍ଦୋଳନକୁ ଓହ୍ଲାଇଥିବା କହିଛନ୍ତି।

କଲେଜରେ ଉଦ୍ଭିଦ ବିଜ୍ଞାନ ଓ ଇତିହାସ ବିଷୟରେ ଆଦୌ ଅଧ୍ୟାପକ ନଥିବାବେଳେ ଇଂରାଜୀ ବିଭାଗରେ ଜଣେ ମାତ୍ର ଅଧ୍ୟାପକ ଅଛନ୍ତି। ଆବଶ୍ୟକ ୯ଟି ଅଧ୍ୟାପକ ପଦବୀ ଖାଲି ପଡ଼ିଛି। କଲେଜର ଆର୍ଥିକ ସଙ୍କଟ ଯୋଗୁ ଏବଂ ପୂର୍ବତନ ଅଧ୍ୟକ୍ଷ ଠିକା ଶିକ୍ଷକ ନିଯୁକ୍ତି ପାଇଁ ପର୍ଯ୍ୟାପ୍ତ ଟଙ୍କା ରଖି ନଥିବାରୁ ତୁରନ୍ତ ନିଯୁକ୍ତି ଦେବା ସମ୍ଭବ ହେଉନାହିଁ ବୋଲି କଲେଜ ଅଧ୍ୟକ୍ଷ ଜଗନ୍ନାଥ ମହାନ୍ତ କହିଛନ୍ତି। ତେବେ ୯ ଜଣ ଅଧ୍ୟାପକଙ୍କୁ ଠିକା ଭିତ୍ତିରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପ୍ରକ୍ରିୟା ଚାଲିଥିବା ସେ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Share